ଭଙ୍ଗାଯିବ ୧୭୦ ଘର ୫୦ ବ୍ୟାବସାୟିକ ପ୍ରତିଷ୍ଠାନ

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ନେଇ ଆଜିଠାରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ଲଙ୍ଗୁଳି ମଠକୁ ଭାଙ୍ଗିବା ପରେ ବର୍ତ୍ତମାନ ଏମାର ମଠ ଓ ବଡ଼ଆଖଡ଼ା ମଠ ଭଙ୍ଗାଯିବା ଲାଗି ପ୍ରସ୍ତୁତି ଚାଲିଛି। ତେବେ ଉଚ୍ଛେଦ ପ୍ରକ୍ରିୟା ନେଇ କ୍ୟାବିନେଟ୍‌ରେ ଯେଉଁ ନିଷ୍ପତ୍ତି ହୋଇଥିଲା ସେ ସଂପର୍କିତ ଚିଠି ଆଜି ଜିଲ୍ଲା ପ୍ରଶାସନର ହସ୍ତଗତ ହୋଇଛି। ଚିଠିରେ ସପ୍ତାହେ ଭିତରେ ଷ୍ଟାଟସ୍ ରିପୋର୍ଟ ଦେବାକୁ କୁହାଯାଇଛି। ୭୫ ମିଟର ପରିମିତ ଜାଗାରେ ପ୍ରାୟ ୧୭୦ ବ୍ୟକ୍ତିଗତ ଘର ଓ ୫୦ଟି ବ୍ୟାବସାୟିକ ପ୍ରତିଷ୍ଠାନ ଉଚ୍ଛେଦ ହେଉଥିବା ଆକଳନ କରାଯାଇଛି। ଯେଉଁମାନେ ଏହି ଉଚ୍ଛେଦ ପ୍ରକ୍ରିୟାରେ ଘର, ଜାଗା ହରାଇବେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଥଇଥାନ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଅସ୍ଥାୟୀ ଭାବେ ଥଇଥାନ କରାଯିବ ଓ ପରେ ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ସିଂହ କହିଥିଲେ, ପ୍ରଶାସନର ପ୍ରଥମ ଲକ୍ଷ୍ୟ ହେଉଛି ୭୫ ମିଟର ପରିଧିରେ ଶ୍ରୀମନ୍ଦିର ସହ ସରକାରୀ ଓ ବ୍ୟକ୍ତିଗତ ଜାଗା କେତେ ରହିଛି ତାକୁ ଚିହ୍ନଟ କରିବା। ୧୭୦ ଘର ଓ ୫୦ଟି ବ୍ୟାବସାୟିକ ପ୍ରତିଷ୍ଠାନ ୭୫ ମିଟର ପରିଧିରେ ଆସୁଥିବା ପ୍ରାଥମିକ ଆକଳନ କରାଯାଇଛି। ପୁନର୍ବାର ଏ ନେଇ ଆକଳନ ହେବା ପରେ କିଛିଟା ପରିବର୍ତନ ହୋଇପାରେ। ଯେଉଁମାନେ ଏହି ଉଚ୍ଛେଦ ପ୍ରକ୍ରିୟାରେ ବ୍ୟବସାୟ ହରାଉଛନ୍ତି ଅବା ବାସହରା ହେଉଛନ୍ତି ସେମାନଙ୍କୁ ଜରୁରୀକାଳୀନ ଭିତ୍ତିରେ ଥଇଥାନ କରାଯିବ। ପ୍ରଥମେ ମଠ ଭଙ୍ଗାଯିବ। ଯେଉଁ ମଠ ସବୁ ୭୫ ମିଟର ପରିଧିରେ ଆସୁଛି ସେଗୁଡିକୁ ଭାଙ୍ଗି ଶ୍ରୀମନ୍ଦିର ଜାଗାରେ ଥଇଥାନ କରାଯିବ। ୭୫ ମିଟର ପରେ ବି ଅଧିକାଂଶ ମଠର ଜାଗା ରହିଛି। ସେମାନେ ୭୫ ମିଟର ପରେ ଥିବା ସେମାନଙ୍କ ଜାଗାରେ ରହିବେ। କିନ୍ତୁ ଯେଉଁ ମଠ ସଂପୂର୍ଣ୍ଣ ଜାଗା ହରାଇବ ସେମାନଙ୍କୁ ଶ୍ରୀମନ୍ଦିର ଜାଗାରେ ଥଇଥାନ କରାଯିବ। ଏ ନେଇ ଜିଲ୍ଲା ପ୍ରଶାସନ ସର୍ଭେ ଆରମ୍ଭ କରିବ। ୭୫ ମିଟର ପରେ କେଉଁ କେଉଁ ଜାଗାରେ ଶ୍ରୀମନ୍ଦିରର ଜାଗା ରହିଛି, ତାହା ଚିହ୍ନଟ କରାଯିବ। ଉଚ୍ଛେଦ ପରେ ସେମାନଙ୍କୁ ଚିହ୍ନଟ ଶ୍ରୀମନ୍ଦିର ଜାଗାରେ ଥଇଥାନ କରାଯିବ। କିନ୍ତୁ ଉଚ୍ଛେଦ ପ୍ରକ୍ରିୟାରୁ ମଠର ପୂଜାସ୍ଥାନ ତଥା ମନ୍ଦିରକୁ ବାଦ୍ ଦିଆଯିବ। ୭୫ ମିଟର ପରିଧିରେ ଥିଲେ ବି ଏହାକୁ ଅକ୍ଷତ ରଖାଯିବ। ରାଜ୍ୟ ସରକାର ଏହି ନିର୍ଦେଶନାମା ଦେଇଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି। ସେହିଭଳି ବ୍ୟାବସାୟିକ ପ୍ରତିଷ୍ଠାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଅସ୍ଥାୟୀ ଭାବେ ପୁରୁଣା ଜେଲ୍, ଜଗନ୍ନାଥ ବଲ୍ଲଭ ମଠରେ ସେମାନଙ୍କୁ ଥଇଥାନ କରାଯିବ। ସ୍ଥାୟୀ ସରକାରୀ ଘର ନିର୍ମାଣ ପରେ ସେଠାରେ ଭଡ଼ା ସୂତ୍ରରେ ବ୍ୟବସାୟୀମାନଙ୍କୁ ଥଇଥାନ କରାଯିବ।

ବିସ୍ଥାପିତଙ୍କୁ ପ୍ରଥମେ ଅସ୍ଥାୟୀ, ପରେ ସ୍ଥାୟୀ ଥଇଥାନ

ସପ୍ତାହେ ଭିତରେ ଜିଲ୍ଲାପାଳ ଦେବେ ଷ୍ଟାଟସ୍ ରିପୋର୍ଟ
ଶ୍ରୀମନ୍ଦିର ଜାଗାରେ ରହିବ ମଠ, ସରକାରୀ ଜାଗାରେ ବ୍ୟାବସାୟିକ ପ୍ରତିଷ୍ଠାନ, ଭଡ଼ାରେ ରହିବେ ଲୋକେ
ଭଙ୍ଗା ହେବନି ମଠ ପୂଜାସ୍ଥାନ

ଜଗନ୍ନାଥ ବଲ୍ଲଭ ମଠରେ ବର୍ତ୍ତମାନ ୩୧ଟି ଦୋକାନ ଘର ରହିଛି। ସେଥି ମଧ୍ୟରୁ ୩୦ ପ୍ରତିଶତ ଘରେ ଦୋକାନୀଙ୍କୁ ଥଇଥାନ କରାସରିଲାଣି। ବାକି ଘରେ ଉଚ୍ଛେଦ ଦୋକାନୀଙ୍କୁ ଥଇଥାନ ପରେ ଅସ୍ଥାୟୀ ଭାବେ ପୁରୁଣା ଜେଲ୍ ଓ ଜଗନ୍ନାଥ ବଲ୍ଲଭରେ ଉଚ୍ଛେଦ ବଳକା ଦୋକାନୀଙ୍କୁ ଥଇଥାନ କରାଯିବ। ଭବିଷ୍ୟତରେ ଜଗନ୍ନାଥ ବଲ୍ଲଭରେ ପ୍ରାୟ ୧୦୦ଟି ଦୋକାନ ଘର କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି। ସେହିଭଳି ପୁରୁଣା ଜେଲରେ ବି ଦୋକାନ ଘର ତିଆରି ହେବ। ନିର୍ମାଣାଧୀନ ହବିଷ୍ୟାଳି କେନ୍ଦ୍ରରେ ବି କିଛି ଦୋକାନ ଘର ବାହାରୁଛି। ଉଚ୍ଛେଦ ଦୋକାନୀଙ୍କ ମଧ୍ୟରୁ କିଛି ଏଠାରେ ଥଇଥାନ ହେବେ। ବାକି ଉଚ୍ଛେଦ ଦୋକାନୀ ୨ ବର୍ଷ ଭିତରେ ଦୋକାନ ଘର ନିର୍ମାଣ ପରେ ଥଇଥାନ ହେବେ। କିନ୍ତୁ ଅସ୍ଥାୟୀ ଭାବେ ଜଗନ୍ନାଥ ବଲ୍ଲଭ ଓ ପୁରୁଣା ଜେଲଠାରେ ଏମାନଙ୍କୁ ବ୍ୟବସାୟର ସୁଯୋଗ ଦିଆଯିବ। ବିଶେଷ କରି ବଡ଼ଦାଣ୍ଡ, ଶ୍ରୀମନ୍ଦିର ଆଖପାଖରେ ଉଚ୍ଛେଦ ଦୋକାନୀମାନଙ୍କୁ ଥଇଥାନ ଲକ୍ଷ୍ୟ ରଖାଯାଇଛି, କିନ୍ତୁ ୭୫ ମିଟର ପରିଧି ବାହାରେ। ସେହିଭଳି ଯେଉଁ ଲୋକମାନେ ୭୫ ମିଟର ଭିତରେ ଘର ଓ ଜାଗା ହରାଉଛନ୍ତି ସେମାନଙ୍କ ପାଇଁ ବି ଥଇଥାନ ବ୍ୟବସ୍ଥା କରାଯାଇଛି। ଏ ନେଇ ଏକାଧିକ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଉଚ୍ଛେଦ ଲୋକେ ଚାହିଁଲେ ପ୍ରଶାସନ ସେମାନଙ୍କୁ ଜାଗା ସହ ଘର ତିଆରି କରି ଥଇଥାନ କରିବ। ନଚେତ୍ ସେମାନେ ଚାହିଁଲେ ଉଭୟ ଜାଗା ଓ ଘର ଉଚ୍ଛେଦ ବାବଦ ଟଙ୍କା ପ୍ରଶାସନଠାରୁ ଗ୍ରହଣ କରି ନିଜ ଇଚ୍ଛା ମୁତାବକ ଜାଗା ଓ ଘର ତିଆରି କରିପାରିବେ। ପ୍ରଶାସନ ଯେଉଁ ଜାଗା ଓ ଘର ଦେବ ତାହା କିପରି ଶ୍ରୀମନ୍ଦିର ପାଖରେ ହେବ ସେ ଦିଗରେ ଅଗ୍ରାଧିକାର ଦିଆଯିବ। କିନ୍ତୁ ତତ୍କାଳ ସେମାନଙ୍କୁ ଗୋପାଳ ତୀର୍ଥ, ମହିପ୍ରକାଶ ମଠ ଆଦି ଜାଗାରେ ଥଇଥାନ କରାଯିବ। ଭଡ଼ା ସୂତ୍ରରେ ରହିବାର ବି ବ୍ୟବସ୍ଥା କରାଯିବ। ଭଡ଼ା ଟଙ୍କା ଜିଲ୍ଲା ପ୍ରଶାସନ ବହନ କରିବ। ଆବଶ୍ୟକ ପଡ଼ିଲେ ନିଜେ ଜିଲ୍ଲା ପ୍ରଶାସନ ଘର ସବୁକୁ ଭଡ଼ା ସୂତ୍ରରେ ନେଇ ସମସ୍ତଙ୍କୁ ଥଇଥାନ କରିବାର ବ୍ୟବସ୍ଥା କରିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର