ରଥଯାତ୍ରା ନିଷ୍ପତ୍ତି ସରକାର ନେବେ

କଟକ : ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ପ୍ରସଂଗରେ ପରିସ୍ଥିତିକୁ ଦେଖି ସରକାର ନିଷ୍ପତ୍ତି ଗ୍ରହଣ କରିବେ। କୋଭିଡ-୧୯କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା ନିୟମାବଳୀ ପାଳନ କରାଯିବା ସହିତ ‌ସେତେବେଳର ସ୍ଥିତି ଦେଖି ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି। ରଥଯାତ୍ରା ଆୟୋଜନ ସ୍ଥଗିତ ରଖିବାକୁ ପ୍ରାର୍ଥନା କରି ଦାୟର ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ଏଥିସହିତ ଏ ସଂପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ରାଜ୍ୟ ସରକାରଙ୍କ ପକ୍ଷରୁ ରଥ ନିର୍ମାଣ ଓ ରଥଯାତ୍ରା ସଂପର୍କିତ ସ୍ଥିତି ସଂପର୍କରେ ଅବଗତ କରାଯାଇଥିଲା। ଭବିଷ୍ୟତରେ ଯେଉଁ ସ୍ଥିତି ରହିବ ତାହା ବିଚାରକୁ ନେଇ ରାଜ୍ୟ ସରକାର ରଥଯାତ୍ରା ପ୍ରସଂଗରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଅନୁମତି ନେଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା ବୋଲି ରାଜ୍ୟ ସରକାର ଦର୍ଶାଇଥିଲେ।

କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ରଥଯାତ୍ରା ସ୍ଥଗିତ ରଖିବାକୁ ପ୍ରାର୍ଥନା କରି ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ସେ ଦର୍ଶାଇଥିଲେ ଯେ ସାଂପ୍ରତିକ ସ୍ଥିତିରେ ମୁକ୍ତିମଣ୍ଡପ ଭକ୍ତ, ସେବକ, ଶ୍ରଦ୍ଧାଳୁଙ୍କ ସୁସ୍ଥତା ଉପରେ ଗୁରୁତ୍ବାରୋପ କରି ରଥଯାତ୍ରା ବନ୍ଦ ରହିଲେ ହାନୀକାରକ ନୁହେଁ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାସ୍କର ମିଶ୍ରଙ୍କ ଏକ ଆଲେଖ୍ୟରେ ୪୨୫ ବର୍ଷର ଶ୍ରୀଜଗନ୍ନାଥଙ୍କ ଇତିହାସରେ ୩୨ ଥର ରଥଯାତ୍ରା ବିଭିନ୍ନ ବର୍ଷ ବନ୍ଦ ଥିବା ସଂପର୍କରେ ଏଥିରେ ଉଲ୍ଲେଖ କରାଯାଇଥିଲା।

ପ୍ରତିବର୍ଷ ଲକ୍ଷାଧିକ ଭକ୍ତ ରଥଯାତ୍ରାକୁ ଆସୁଥିବା ବେଳେ ଚଳିତବର୍ଷ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଫଳରେ ରଥଯାତ୍ରା ସମୟରେ ସାମାଜିକ ଦୂରତ୍ବ ନିୟମ କଡ଼ାକଡି ପାଳନକୁ ନେଇ ଆଶଙ୍କା ରହିଛି। ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଜୁନ୍ ୨୩ରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାକୁ ସ୍ଥଗିତ ରଖାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ସଂପାଦକ ସରୋଜ କୁମାର ସାହୁ, କଟକର ଆଇନଜୀବୀ ଜୟନ୍ତ କୁମାର ବଳ, ପୁରୀର ତିନି ଆଇନଜୀବୀ ବିଶ୍ବନାଥ ଦାଶ, ରାମଚନ୍ଦ୍ର ସାହୁ ଓ ଶିବାନନ୍ଦ ପାତ୍ର ଦାଖଲ କରିଥିବା ଇଣ୍ଟରଭେନସନ୍ ପିଟିସନ ଦାଖଲ କରିଥିଲେ। ଆବେଦନକାରୀ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଆଇନଜୀବୀ ସରୋଜ କୁମାର ପାଢୀ, ସରକାରଙ୍କ ପକ୍ଷରୁ ଆଡଭୋକେଟ୍‌ ଜେନେରାଲ ଅଶୋକ କୁମାର ପରିଜା, ଇଣ୍ଟରଭେନରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ବିଜୟ କୁମାର ରଗଡ଼, ଶୁଭାଶିଷ ଦାସ, ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର