ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ

ସଦସ୍ୟଙ୍କ ନାମ ଘୋଷଣା, ୭ ନୂଆ ମୁହଁ

ପୁରୀ : ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଆଇନ ବିଭାଗ ଆଜି କମିଟିର ୧୦ଜଣିଆ ସଦସ୍ୟଙ୍କ ନାମ ଘୋଷଣା କରିଛି। ଆସନ୍ତା ତିନି ବର୍ଷ ପାଇଁ ଏହି କମିଟି ରହିବ। ତେବେ ଗତ ୨୦୧୪ରେ ଘୋଷଣା କରାଯାଇଥିବା କମିଟିରୁ ମାତ୍ର ତିନି ଜଣ ସଭ୍ୟଙ୍କୁ ପୁନଃ ଚୟନ କରାଯାଇଥିବା ବେଳେ କମିଟିରେ ୭ଜଣ ନୂଆ ମୁହଁଙ୍କୁ ସୁଯୋଗ ମିଳିଛି। ଫଳରେ ଦୀର୍ଘ ଦିନ ଧରି ଶ୍ରୀମନ୍ଦିର ପରିଚାଳନା କମିଟିକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ନବଗଠିତ ପରିଚାଳନା କମିଟିକୁ ନେଇ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମନୋନୀତ ସଭ୍ୟମାନେ ଏହାକୁ ସ୍ୱାଗତ କରିଥିବା ବେଳେ କିଛି ଆଶାୟୀ ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ମନ୍ଦିର ପରିଚାଳନା କମିଟିରେ ରାଜନୀତି ହେଉଥିବା ସିଧାସଳଖ ଅଭିଯୋଗ କରିଛନ୍ତି।

ପ୍ରକାଶ ପାଇଥିବା ବିଜ୍ଞପ୍ତି ମୁତାବକ, ଏହି ତାଲିକାରେ ସିଦ୍ଧେଶ୍ୱର ମହାପାତ୍ର ମୁକ୍ତି ମଣ୍ଡପ ତରଫରୁ ପ୍ରତିନିଧିତ୍ଵ କରିବେ। ସେହିଭଳି ପୂଜାପଣ୍ଡା ନିଯୋଗ ପକ୍ଷରୁ ମାଧବ ପୂଜାପଣ୍ଡା, ମାଧବଚନ୍ଦ୍ର ମହାପାତ୍ର ପ୍ରତିହାରୀ ନିଯୋଗ, ଅନନ୍ତ ତିଆଡ଼ି ସୁଆର ନିଯୋଗ, ରାମଚନ୍ଦ୍ର ଦାସ ମହାପାତ୍ର ଦଇତାପତି ନିଯୋଗ, ତଳୁଛ ନୀଳକଣ୍ଠ ମହାପାତ୍ର ପୁଷ୍ପାଳକ ନିଯୋଗର ପ୍ରତିନିଧିତ୍ୱ କରିବେ। ଅନ୍ୟମାନଙ୍କ ମଧ୍ୟରେ ଏହି କମିଟିରେ ବିଜୟ ସାହୁ (ଚାଟାର୍ଡ୍‌ ଆକାଉଣ୍ଟାଣ୍ଟ୍‌), ସଚ୍ଚିଦାନନ୍ଦ ଦାଶ ମହାରାଜ (ଝାଞ୍ଜପିଟା ମଠ), ପଦ୍ମଶ୍ରୀ ରଘୁନାଥ ମହାପାତ୍ର( ସ୍ଥପତି ) ଓ ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ମହୀମୋହନ ତ୍ରିପାଠୀଙ୍କ ନାମ ରହିଛି।

୨୦୧୪ ପରିଚାଳନା କମିଟିରେ ରହିଥିବା ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଶ୍ରୀ ସାହୁ, ରଘୁନାଥ ମହାପାତ୍ର ଓ ମହିମୋହନଙ୍କୁ ପୁନଃ ନିଯୁକ୍ତି ମିଳିଥିବା ବେଳେ ଅନ୍ୟ ସମସ୍ତେ କମିଟିକୁ ନୂତନଭାବେ ମନୋନୀତ ହୋଇଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା ହେବା ପରେ ଖୁବଶୀଘ୍ର ଶ୍ରୀମନ୍ଦିର ବଜେଟ୍‌ ଉପସ୍ଥାପନ ହେବ ବୋଲି ଜଣାପଡ଼ିଛି। ଗଜପତି ମହାରାଜ ହେଉଛନ୍ତି, ମନ୍ଦିର ପରିଚାଳନା କମିଟର ସ୍ଥାୟୀ ଅଧ୍ୟକ୍ଷ।

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ, ଡ୍ରୋନ୍‌ କ୍ୟାମେରାରେ ହୋଇଛି ଉତ୍ତୋଳନ

ପୁରୀ : ଶ୍ରୀମନ୍ଦିର ଭିତର ତଥା ନିଷିଦ୍ଧାଞ୍ଚଳରୁ ଉଠାଯାଇଥିବା ଫଟୋ ପୁଣି ଭାଇରାଲ ହୋଇଛି। ଡ୍ରୋନ୍‌ କ୍ୟାମେରାରେ ଆକଶ ମାର୍ଗରୁ ଉତ୍ତୋଳନ କରାଯାଇଥିବା ଏହି ଡ୍ରୋନ୍‌ ଫଟୋ ଆଜି ଦିନ ତମାମ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଫଟୋରେ ଶ୍ରୀମନ୍ଦିର ସମେତ ମନ୍ଦିର ପରିସରର ସମସ୍ତ ଦୃଶ୍ୟ ଉତ୍ତୋଳନ କରାଯାଇଛି। ଆକାଶ ମାର୍ଗରୁ ଡ୍ରୋନ୍‌ କ୍ୟାମେରା ସହାୟତାରେ ଏହି ଫଟୋ ଉତ୍ତୋଳନ କରାଯାଇଥିବା ଅଭିଯୋଗ ହୋଇଛି। ତେବେ କିଏ ଓ କେଉଁ ପରିସ୍ଥିତିରେ ଏ ଫଟୋ ଉତ୍ତୋଳନ କରାଯାଇଛି, ସୁରକ୍ଷା ବଳୟ ଭେଦ କରି କିଭଳି ଏହି ଫଟୋ ଉତ୍ତୋଳନ କରାଗଲା ସେ ନେଇ ତନାଘନା ଆରମ୍ଭ ହୋଇଛି। ନିଷିଦ୍ଧାଞ୍ଚଳରୁ ବାରମ୍ବାର ଫଟୋ ଉତ୍ତୋଳନ କରାଯାଉଥିବାରୁ ଏବେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଆଶଙ୍କା ଉପୁଜିଛି। କିଛି ଦିନ ପୂର୍ବରୁ ଶ୍ରୀମନ୍ଦିରରୁ ଆକାଶ ମାର୍ଗର ଫଟୋ ଉତ୍ତୋଳନକୁ ନେଇ ତମ୍ବି ତୋଫାନ ହୋଇଥିଲା। ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ହେଉଥିବା ବେଳେ ଏବେ ଡ୍ରୋନ୍‌ରେ ଆକାଶ ମାର୍ଗରୁ ଏହି ଫଟୋ ଉତ୍ତୋଳନ କରାଯାଇଛି। ଏହାର ତଦନ୍ତ କରିବାକୁ ଦାବି ହୋଇଛି। ଏ ସଂପର୍କରେ ସିଂହଦ୍ଵାର ଥାନା ଅଧିକାରୀଙ୍କୁ ପଚାରିବାରେ ଏ ନେଇ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର