କେନ୍ଦ୍ରୀୟ ବଜେଟ ୨୦୨୦ : ଜନକଲ୍ୟାଣକାରୀ ନୁହେଁ, ପ୍ରଦର୍ଶନ ଗୁରୁତ୍ବପୂର୍ଣ୍ଣ: ରାମ ମାଧବ

ଭୁବନେଶ୍ବର : ପୂର୍ବ ସରକାର ଲୋକମାନଙ୍କ ପ୍ରଶଂସା ସାଉଣ୍ଟିବା ଲାଗି ଜନ କଲ୍ୟାଣକାରୀ ବଜେଟ୍ ଉପସ୍ଥାପନ କରୁଥିଲେ। ମାତ୍ର ମୋଦୀ ସରକାର ଏହି ନୀତିରେ ପରିବର୍ତ୍ତନ କରିଛନ୍ତି। ଏବେ ଜନକଲ୍ୟାଣକାରୀ ବଦଳରେ ପ୍ରଦର୍ଶନକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଚଳିତବର୍ଷଠାରୁ ଏହାର ଶୁଭାରମ୍ଭ ହୋଇଛି। ଆସନ୍ତା ୧୦ବର୍ଷ ବଜେଟ୍‌ରେ କେବଳ ଅଭିବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ତଥା ସ୍ତମ୍ଭକାର ରାମ ମାଧବ।

ଆଜି ଇନଷ୍ଟିଚ୍ୟୁସନ୍ ଅଫ ଇଞ୍ଜିନିୟର୍ସରେ ବିଶ୍ବ ସମ୍ବାଦ କେନ୍ଦ୍ର ପକ୍ଷରୁ ‘କେନ୍ଦ୍ରୀୟ ବଜେଟ୍‌-୨୦୨୦, ଫ୍ରମ୍ ବେସିକ୍ସ ଟୁ ବ୍ରିଲିଆନ୍ସ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି ନିରଞ୍ଜନ ପାଢ଼ୀଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ମାଧବ କହିଲେ ଯେ ମୋଦୀ ସରକାର ନିଜ ପ୍ରଥମ ୫ବର୍ଷ ଭାରତୀୟ ଅର୍ଥନୀତିର ମୂଳଦୁଆକୁ ସଜାଡ଼ିବାକୁ ଉଦ୍ୟମ କରିଥିଲେ। ଏଥିପାଇଁ ଆର୍ଥିକ କ୍ଷେତ୍ରରୁ ବାଦ୍ ପଡ଼ିଥିବା ୩୦ ପ୍ରତିଶତ ଭାରତୀୟଙ୍କୁ ଜନଧନ ଯୋଜନାରେ ସାମିଲ କରାଯାଇଥିଲା। ଫଳରେ ସରକାରଙ୍କ ବିଭିନ୍ନ ଯୋଜନାକୁ ସିଧାସଳଖ ଲୋକମାନଙ୍କୁ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବା ସମ୍ଭବ ହୋଇଥିଲା। ସେହିପରି ଦେଶରେ ଥିବା କଳାଧନକୁ ନିୟନ୍ତ୍ରଣ ପାଇଁ ବିମୁଦ୍ରୀକରଣ କରାଯାଇଥିଲା। ଯଦିଓ ଏହାକୁ ନେଇ ଲୋକମାନେ ବିତର୍କ କରିପାରନ୍ତି, ତଥାପି ଯେଉଁ ଟଙ୍କାର ହିସାବ ସରକାରଙ୍କ ପାଖ‌ରେ ନଥିଲା, ତାହା ବ୍ୟାଙ୍କକୁ ଆସିପାରିଛି। ସେହିପରି ଭ୍ରଷ୍ଟାଚାରମୁକ୍ତ ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ନିଯୁକ୍ତି ପାଇଁ ମୁଦ୍ରା ଯୋଜନାରେ ୭ କୋଟି ଲୋକଙ୍କୁ ଋଣ ଦିଆଯାଇଛି। ମାତ୍ର ଏବେଠାରୁ ସରକାର ବଜେଟ୍‌ରେ ପରିବର୍ତନ ଆଣିଛନ୍ତି। ମୋଦୀ ଦେଶକୁ ୫ଟ୍ରିଲିଅନ୍ ଡଲାର ଅର୍ଥନୀତିରେ ପହଞ୍ଚାଇବାକୁ ଚାହୁଥିବା ବେଳେ ଆଗକୁ କେବଳ ଦେଶର ଅଭିବୃଦ୍ଧିକୁ ଗୁରୁତ୍ବ ଦିଆଯିବ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟକୁ ମିଳିମିଶି କାମ କରିବାକୁ ପଡ଼ିବ।

ସେ କହିଲେ ଯେ କେନ୍ଦ୍ର ଓଡ଼ିଶାକୁ ଅନେକ କ୍ଷେତ୍ରରେ ଅର୍ଥ ଦେଉଥିବା ବେଳେ ରାଜ୍ୟ ସରକାର ଏହାକୁ ଖର୍ଚ କରିପାରୁ ନାହାନ୍ତି। ଦେଶରେ ସର୍ବାଧିକ ୪୪ପ୍ରତିଶତ ନିଯୁକ୍ତି କୃଷି କ୍ଷେତ୍ରରେ ହେଉଥିବା ବେଳେ କେନ୍ଦ୍ର ସରକାର କୃଷି କ୍ଷେତ୍ରର ବିକାଶ ପାଇଁ ଉଦ୍ୟମ କରିଛନ୍ତି। କୃଷି ଋଣ ବାବଦରେ କେବଳ ୧୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି କୃଷି କ୍ଷେତ୍ର ପରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟିର ସୁଯୋଗ ରହିଥିବାରୁ ସରକାରଙ୍କ ଏହା ଉପରେ ଧ୍ୟାନକେନ୍ଦ୍ରିତ କରିଛନ୍ତି। ଏପରିକି ବିଦେଶରୁ ଆସୁଥିବା ଜିନିଷ ଉପରେ ସୀମାଶୁଳ୍କକୁ ବଢ଼ାଇ ଦିଆଯାଇଛି। ଏହାସହ ଷ୍ଟାର୍ଟ ଅପ୍‌, ମତ୍ସ୍ୟ କ୍ଷେତ୍ର ମଧ୍ୟ ସରକାରଙ୍କ ଫୋକସ୍‌ରେ ରହିଛି। ପ୍ରତ୍ୟେକ ଜିଲ୍ଲାରେ ଥିବା ସ୍ବତନ୍ତ୍ର ଉତ୍ପାଦକୁ ଲୋକଲୋଚନକୁ ଆଣିବା ଲାଗି ‘ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ’ ଯୋଜନା ରହିଛି। ୟୁପି ସରକାର ଏଥିରୁ ଅନେକ ଫାଇଦା ନେଇପାରିଛନ୍ତି। ଓଡ଼ିଶା ସରକାର ମଧ୍ୟ ଏଭଳି ଯୋଜନାରୁ ଫାଇଦା ନେବା ଦରକାର। ଫଳରେ ରାଜ୍ୟବାସୀଙ୍କ ସହ ଦେଶର ଅଭିବୃଦ୍ଧିରେ ଏହା ସହାୟକ ହୋଇପାରିବ ବୋଲି ଶ୍ରୀ ମାଧବ କହିଥିଲେ।

ମୁଖ୍ୟ ଅତିଥି ତଥା ଚାର୍ଟାଡ୍ ଆକାଉଣ୍ଟାଣ୍ଟ ସୂର୍ଯ୍ୟ ନାରାୟଣ ତ୍ରିପାଠୀ କହିଲେ ଯେ ଚଳିତ ବଜେଟ୍‌ରେ ଶିଳ୍ପ ଓ ନିଯୁକ୍ତିକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଉତ୍ପାଦନ କ୍ଷେତ୍ରର କିଭଳି ବିକାଶ ହୋଇପାରିବ, ସେଥିପାଇଁ ସରକାର ନଜର ଦେଇଛନ୍ତି। କର୍ପୋରେଟ୍ ଟିକସ କମିଥିବାରୁ ଏହା ଷ୍ଟାଟ୍‌ ଅର୍ପ ପାଇଁ ଫଳପ୍ରଦ ହୋଇପାରିବ। ଏପରିକି ମଧ୍ୟବିତ୍ତ ବର୍ଗର ଲୋକମାନେ ମଧ୍ୟ ଚଳିତ ବଜେଟ୍‌ରୁ ଫାଇଦା ପାଇପାରିବେ। ୫ ଟ୍ରିଲିଅନ୍ ଡଲାର ଅର୍ଥନୀତି ହେବା ପାଇଁ ଯେଉଁ ପଦକ୍ଷେପର ଆବଶ୍ୟକତା ରହିଛି, ତାହାକୁ ବଜେଟ୍‌ରେ ଧ୍ୟାନ ଦିଆଯାଇଛି। ସଙ୍ଗେ ସଙ୍ଗେ ଏହାର ଫଳାଫଳ ନ ମିଳିପାରେ, ହେଲେ ଆଗକୁ ଦେଶର ଜିଡିପି ନିଶ୍ଚିତ ବୃଦ୍ଧି ଘଟିବ ବୋଲି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର