ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ପ୍ରତି ମୂଷା ବିପଦ: ଗର୍ଭଗୃହରେ ରହିବ ଗୁଡ଼ ମାଠିଆ

ବ୍ରହ୍ମପୁରରୁ ଆସୁଛି ସ୍ବତନ୍ତ୍ର ବଣା ମାଠିଆ, ମୂଷା ଘଉଡାଇବା ପାଇଁ ସ୍ବତନ୍ତ୍ର ଯନ୍ତ୍ର ଦାନରେ ଦେଲେ ଭକ୍ତ

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହରେ ଅନ୍ଧାରର ସୁଯୋଗ ନେଇ ମୂଷା ଉତ୍ପାତ କରୁଛନ୍ତି। ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ପ୍ରତି ଏହା ବିପଦ ଆଶଙ୍କା ସୃଷ୍ଟି କରିଛି। ଏମାନେ ଦୈନିକ ରତ୍ନବେଦୀ ଚାରିପଟେ ଓ କନକମୁଣ୍ଡି ଚାନ୍ଦୁଆରେ ଉତ୍ପାତ କରୁଛନ୍ତି। ସେବାୟତମାନେ ବି ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପରେ ଏହି ମୂଷାମାନଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ ଗୁଡ଼ ମାଠିଆ ରଖିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।

ନିଷ୍ପତ୍ତି ଅନୁସାରେ, ବ୍ରହ୍ମପୁରର କମାରଙ୍କୁ ବଣା ଗୁଡ଼ ମାଠିଆ ତିଆରି କରି ଦେବାକୁ ବରାଦ ଦିଆଯାଇଛି। ଦିନେ ଦୁଇଦିନ ଭିତରେ ଏହା ପହଞ୍ଚିବା ପରେ ଗର୍ଭଗୃହରେ ଗୁଡ଼ ଭର୍ତ୍ତି କରି ଏହାକୁ ଗର୍ଭଗୃହରେ ରଖାଯିବ। ସେପଟେ ମୂଷା ଘଉଡାଇବା ପାଇଁ ବିକୃତ ଶଦ୍ଦ କରୁଥିବା ସ୍ବତନ୍ତ୍ର ଯନ୍ତ୍ର ଲଗାଇବାକୁ ଯୋଜନା କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ଜଣେଭକ୍ତ ବି ଶ୍ରୀମନ୍ଦିର ପ୍ରଶାସନକୁ ଏହି ଯନ୍ତ୍ର ଦାନରେ ଦେଇଥିଲେ। ପ୍ରଥମେ ଏହାକୁ ଗର୍ଭଗୃହରେ ଲଗାଇବାକୁ ଯୋଜନା କରାଯାଇଥିଲା। କିନ୍ତୁ, ମହାପ୍ରଭୁଙ୍କ ଶୟନରେ ବିଘ୍ନ ଘଟିବା ନେଇ ସେବାୟତଙ୍କ ଅଭିଯୋଗ ଓ ବିରୋଧ ପରେ ଏହି ନିଷ୍ପତ୍ତି ବନ୍ଦ କରି ଦିଆଯାଇଥିଲା। ଏହାକୁ ପରୀକ୍ଷାମୂଳକ ଭାବେ ଏବେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଲଗାଯାଇଛି। ଏହି ମେସିନ୍‌ ନାମ ‘ଆର୍ଥ ଇନୋଭେସନ୍‌’। ଏହି ଚତୁଃପାର୍ଶ୍ବରେ ଶଦ୍ଦ କରିବ। ଯେଉଁଥିରେ ମୂଷା ସହ ଅନ୍ୟାନ୍ୟ ପୋକଯୋକ ବି ଚାଲିଯିବେ ବୋଲି ଦାତା ଦାବି କରିଛନ୍ତି।


ସୂଚନା ଅନୁସାରେ, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବିସ୍ତୃତ ଆଲୋଚନା ପରେ ଗୁଡ଼ ମାଠିଆ ରଖିବାକୁ ସମସ୍ତେ ସହମତି ଜଣାଇଥିଲେ। ଯଦି ଆବଶ୍ୟକ ପଡ଼ୁଛି, ଶବ୍ଦ କରୁଥିବା ଯନ୍ତ୍ରକୁ ଜୟ-ବିଜୟ ଦ୍ବାରରେ ଲଗାଯାଉ ବୋଲି ମତ ଦେଇଥିଲେ। ରାତ୍ର ପହୁଡ଼ ପରେ ଗର୍ଭଗୃହରେ ଗୁଡ଼ ମାଠିଆ ବସାଇବାକୁ ନିଷ୍ପତ୍ତି ହୋଇଥିଲା।

ଏ ସମ୍ପର୍କରେ ପୂର୍ବତନ ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ଦଇତାପତି ସେବକ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, ଗୁଡ଼ ମାଠିଆ ବସାଇବା ଦାୟିତ୍ବ ଶ୍ରୀମନ୍ଦିର କମାଣ୍ଡରଙ୍କୁ ଦିଆଯାଇଥିଲା। ମାଠିଆରେ ଚିକିଟା ଗୁଡ଼ ରହିବ। ଫଳରେ ମୂଷା ପଶିଲେ, ଲାଖି ରହିଯିବ। ମାଠିଆ ବି ଏମିତି ଢ଼ଙ୍ଗରେ ତିଆରି ହେବ, ଯେପରି ମୂଷା ଥରେ ପଶିଲେ ଆଉ ବାହାରି ପାରିବନି।

ଶ୍ରୀମନ୍ଦିର କମାଣ୍ଡର ସୁଧାଂଶୁ ପଟ୍ଟନାୟକ କହିଛନ୍ତି, ଏହାକୁ ବଣା ଗୁଡ଼ ମାଠିଆ କହୁଛନ୍ତି। ଏହି ମାଠିଆରେ ଗୁଡ଼ ଭର୍ତ୍ତି କରାଯିବ ଓ ମାଠିଆ ଭିତରକୁ ମୂଷାଙ୍କ ଯିବା ପାଇଁ ସୂତା ସଂଯୋଗ କରାଯିବ। ମୂଷା ସୂତା ଦେଇ ମାଠିଆ ଭିତରେ ପଶିଲେ, ଆଉ ବାହାରି ପାରିବେନି। ଏହାକୁ କିଛି ଦିନ କାର୍ଯ୍ୟକାରୀ କରାଯିବ। ତଥାପି ଏହା କାମ ନ ଦେଲେ ଯନ୍ତା ବସାଯିବ। ଏଥିପାଇଁ ୟୁ-ଟ୍ୟୁବରୁ ଦେଖି ଯନ୍ତା ତିଆରି କରିବାକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ବାହୀ ଯନ୍ତ୍ରୀଙ୍କୁ କୁହାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର