ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ପ୍ରକାଶ: ୧୨ରେ ପୁନଃଯାଞ୍ଚ ବିଜ୍ଞପ୍ତି

ଭୁବନେଶ୍ୱର: ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି। ସମସ୍ତ ବିଭାଗରେ ପାସ୍‌ହାର ଗତବର୍ଷ ତୁଳନାରେ କମିଛି। ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଫେଲ୍‌ ହୋଇଛନ୍ତି। ଯେଉଁମାନଙ୍କ ମାର୍କିଂ ନେଇ କୌଣସି ସମସ୍ୟା ରହିଥିବ ସେମାନେ ପୁନଃ ମୂଲ୍ୟାୟନ/ଯାଞ୍ଚ ପାଇଁ ଆବେଦନ କରିପାରିବେ। ପରୀକ୍ଷାର୍ଥୀ କେବେ ଆବେଦନ କରିବେ ସେନେଇ ଆସନ୍ତା ୧୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ‌ଯେଉଁମାନେ ଗୋଟିଏ ବିଷୟରେ ଫେଲ୍‌ ହୋଇଛନ୍ତି ସେମାନଙ୍କ ଲାଗି ଇନ୍‌ଷ୍ଟାଣ୍ଟ ପରୀକ୍ଷା କରାଯିବ। ପରୀକ୍ଷା କେବେ ହେବ ସେନେଇ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଗଣଶିକ୍ଷା ସଚିବ ଅଶ୍ବଥୀ ଏସ୍‌ କହିଛନ୍ତି।

କଳା: ପ୍ରଥମ ଶ୍ରେଣୀରେ ଗଞ୍ଜାମ ଆଗରେ
କଳା ବିଭାଗରେ ୩୨ ହଜାର ୭୮୨ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାର ୩୨୪୩ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ବାଲେଶ୍ବର ଜିଲ୍ଲାର ପାସ୍‌ହାର ଅଧିକ ହୋଇଥିଲେ ମଧ୍ୟ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦ୍ବିତୀୟ ସ୍ଥାନରେ ରହିଛି। ଗଞ୍ଜାମ ତଳକୁ ବାଲେଶ୍ବରରେ ୨୯୪୬, କଟକରେ ୨୪୦୨, ଖୋର୍ଧାରେ ୨୩୫୮, ବରଗଡ଼ରେ ୨୦୭୭ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ମାଲକାନଗିରିରେ ସର୍ବନିମ୍ନ ୯୮ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ବାଣିଜ୍ୟ ବିଭାଗରେ ମୟୂରଭଞ୍ଜ ଜିଲ୍ଲାର ସର୍ବାଧିକ ୧୪୦ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

କପି କରି ଏମ୍‌ପି ହେଲେ ୪୬୨
କଳା ଓ ଧନ୍ଦାମୂଳକ ବିଭାଗରେ କପି କରି ୪୬୨ ଜଣ ମାଲ୍‌ ପ୍ରା‌କ୍ଟିସ୍‌(ଏମ୍‌ପି) ହୋଇଛନ୍ତି। କଳାରେ ୪୩୫ ଓ ଧନ୍ଦାମୂଳକ ବିଭାଗରେ ୨୯ ଜଣ ଏମ୍‌ପି ହୋଇଥିବା ଜଣାପଡ଼ିଛି।

ଦୁଇ ଜିଲ୍ଲାରେ ନାହିଁ ଧନ୍ଦାମୂଳକ ଶିକ୍ଷା
ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା‌ର କୌଣସି ଗୋଟିଏ ବି ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷାର୍ଥୀ ଏଥର ଧନ୍ଦାମୂଳକ ବିଭାଗ ପରୀକ୍ଷା ଦେଇନାହାନ୍ତି। ଗୋଟିଏ ପଟେ ରାଜ୍ୟ ସରକାର ଧନ୍ଦାମୂଳକ ଶିକ୍ଷାକୁ ପ୍ରାଥମିକତା ଦେଉଥିବା ବେଳେ ଅନ୍ୟପଟେ ରାଜ୍ୟର ଏହି ଦୁଇ ଜିଲ୍ଲାରେ ଆଦୌ କଲେଜ ନରହିବା ଚିନ୍ତାର ବିଷୟ ପାଲଟିଛି। ସୋନପୁର, ଅନୁଗୁଳ, ନୂଆପଡ଼ା, ରାୟଗଡ଼ା, ବୌଦ୍ଧ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ଶହେରେ କମ୍‌ ପିଲା ପରୀକ୍ଷା ଦେଇଥିଲେ।

ସମ୍ବନ୍ଧିତ ଖବର