ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି: କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର: ବାତ୍ୟା ବୁଲବୁଲ୍‌ କ୍ଷତିଗ୍ରସ୍ତ ଅଂଚଳ ବୁଲିବା ପରେ ଶୁକ୍ରବାର ସାତ ଜଣିଆ କେନ୍ଦ୍ରୀୟ ଟିମ୍‌ ଲୋକସେବା ଭବନରେ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ରାଜ୍ୟ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀଙ୍କ ସମେତ ଏସ୍‌ଆରସି ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମୀକ୍ଷା ବୈଠକ ପରେ କେନ୍ଦ୍ରୀୟ ଟିମ୍‌ର ମୁଖ୍ୟ ସହେଲି ରୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବୁଲ୍‌ବୁଲ୍‌ ଦ୍ୱାରା ଅଧିକ କ୍ଷୟକ୍ଷତି ହୋଇଛି। ବାତ୍ୟା ଯୋଗୁଁ ବ୍ୟାପକ ଧାନ ଫସଲ, ପନିପରିବା ଚାଷ, ଘର ଓ ଶକ୍ତି ଭିତ୍ତିଭୂମି ନଷ୍ଟ ହୋଇଛି। ସେ କହଛନ୍ତି, ସମୀକ୍ଷା ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦାଖଲ କରାଯିବ। ବାତ୍ୟା ପୂର୍ବରୁ ରାଜ୍ୟ ସରକାର ଦ୍ୱାରା ନିଆଯାଇଥିବା ପୂର୍ବ ପ୍ରସ୍ତୁତି ଓ ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି ଶ୍ରୀ ରୟ ସୂଚନା ଦେଇଛନ୍ତି।

ବୈଠକ ପରେ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି, ଏକ ସପ୍ତାହ ମଧ୍ୟରେ ରାଜ୍ୟର ଦାବି କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ। ବାତ୍ୟା ପ୍ରଭାବିତ ଅଂଚଳରେ ୨ ଲକ୍ଷ ହେକ୍ଟର ଚାଷ ନଷ୍ଟ ହୋଇଛି। ଏହି ସମୟ ମଧ୍ୟରେ ଘର କ୍ଷୟକ୍ଷତିର ତାଲିକା ପ୍ରସ୍ତୁତ କରାଯିବ। ପଂଚାୟତସ୍ତରରେ ଅଭିଯୋଗ ଶୁଣାଯିବ। ଅଭିଯୋଗ ଶୁଣିବା ପରେ ସହଯୋଗ ଦିଆଯିବ।

ସମ୍ବନ୍ଧିତ ଖବର