ରାୟଗଡ଼ା ଜିଲ୍ଲାରେ ଅର୍ପଣ ରଥରୁ ସଂଗୃହୀତ ଚାଉଳ, ଗୁଆ ସହ ନଗଦ ଟଙ୍କା ଗଲା ଶ୍ରୀମନ୍ଦିର

ରାୟଗଡା: ଚଳିତ ମାସ ୧୭ ତାରିଖରେ ଶ୍ରୀକ୍ଷେତ୍ର ପୁରୀ ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ ପୂର୍ବରୁ ସମଗ୍ର ରାଜ୍ୟରେ ଅର୍ପଣ ରଥ ପରିଭ୍ରମଣ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭାବାବେଗକୁ ଜଗନ୍ନାଥ ପ୍ରେମୀ ଏବଂ ସମସ୍ତଙ୍କ ମନରେ ଏକ ଆଧ୍ୟାତ୍ମିକ ଚିନ୍ତନର ସୃଷ୍ଟି କରିପାରିଥିଲା। ଏହି କ୍ରମରେ ଗାଁ ଠାରୁ ଆରମ୍ଭ କରି ସହରାଂଚଳର ସାହିଗଳିରେ ଅର୍ପଣ ରଥ ବୁଲୁଥିବା ସମୟରେ ଶ୍ରଦ୍ଧାଳୁମାନେ ଚାଉଳ, ଗୁଆ, ନଡ଼ିଆ, ନଗଦ ଟଙ୍କା ଦାନ ଦେଇଥିଲେ। ରାୟଗଡ଼ା ଜିଲ୍ଳାରେ ମଧ୍ୟ ଏହି ଅର୍ପଣ ରଥ ସମସ୍ତ ପଂଚାୟତ, ବ୍ଳକ, ପୌରାଞ୍ଚଳ, ଏନ୍‌ଏସି ଅଂଚଳ ବୁଲିଥିବା ବେଳେ ଜିଲ୍ଳାବାସୀ ମଧ୍ୟ ଚାଉଳ, ଗୁଆ, ନଡ଼ିଆ ଓ ନଗଦ ଟଙ୍କା ଦାନ କରିଥିଲେ।

ରାୟଗଡା ଜିଲ୍ଳାରୁ ସମୁଦାୟ ୨୩୨ କୁଇଣ୍ଟାଲ ଚାଉଳ, ୫୬କିଲୋ ଗୁଆ, ୩୫୦ଟି ନଡ଼ିଆ ଏବଂ ୪ଲକ୍ଷ ୧୩ ହଜାର ୮୩୫ଟଙ୍କା ଦାନ ଆକାରରେ ଆଦାୟ ହୋଇଥିଲା, ଯାହାକୁ ଆଜି ରାୟଗଡ଼ା ଜିଲ୍ଳା ପ୍ରଶାସନ ପକ୍ଷରୁ ପୁରୀକୁ ଏକ ଟ୍ରକ ଯୋଗେ ପଠାଯାଇଛି। ଏଥିନିମନ୍ତେ ରାୟଗଡ଼ା ଜିଲ୍ଳା ସଦର ମହକୁମା ଠାରେ ଥିବା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଦିବାସୀ କଲ୍ୟାଣ ଏବଂ ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଟ୍ରକଟିର ଯାତ୍ରାର ଶୁଭ ମନାସୀ ଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଉପଦେଷ୍ଠା ଦୁର୍ଗା ପ୍ରସାଦ ସାମନ୍ତରାଏ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝି, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ରାୟଗଡ଼ା ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା, ଆମ ଓଡ଼ିଶା ନବୀନ ଓଡିଶା ଜିଲ୍ଳା ସଂଯୋଜକ ପି.ଗୈାରୀ ଶଙ୍କର, ଅତିରିକ୍ତ ଜିଲ୍ଳାପାଳ ଭାସ୍କର ଚନ୍ଦ୍ର ରଇତ, ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଂଜନ କହଁର, ମିସନ ଶକ୍ତି ଡିପିଏମ ହେମନ୍ତ ବାଗ, ସୂଚନା ଓ ଲୋକ ସଂପର୍କ ବିଭାଗ ଉପନିର୍ଦ୍ଦେଶକ ତଥା ଜିଲ୍ଳା ଡିଆଇପିଆରଓ ବସନ୍ତ କୁମାର ପ୍ରଧାନ, ବ୍ଳକ ବିଡ଼ିଓ ଅମୂଲ୍ୟ କୁମାର ସାହୁ, ଏବିଡିଓ କାଳୁଚରଣ ନାୟକଙ୍କ ସମେତ ସରପଂଚ, ସମିତିସଭ୍ୟ, ପଂଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ।

 

ସମ୍ବନ୍ଧିତ ଖବର