ସଂସଦକୁ ଗଲା ଚାଉଳ ବିବାଦ

ବକେୟା ୬୦୪୦ କୋଟି ଓ ଉଷୁନା ଚାଉଳ ଉଠାଣ ପାଇଁ ଦାବି ଜଣାଇଲେ ଭର୍ତ୍ତୃହରି

ଭୁବନେଶ୍ବର : ଉଷୁନା ଚାଉଳ ଓ ଧାନ ସଂଗ୍ରହ ବାବଦ ସବସିଡି ବକେୟା ପ୍ରଦାନ ପ୍ରସଙ୍ଗକୁ ନେଇ ରାଜ୍ୟ-କେନ୍ଦ୍ର ମଧ୍ୟରେ ଦେଖାଦେଇଥିବା ବିବାଦ ଆଜି ସଂସଦକୁ ଯାଇଛି। ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଆଜି ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ।

ଶ୍ରୀ ମହତାବ କହିଥିଲେ, ରାଜ୍ୟ ସରକାର ପ୍ରତିବର୍ଷ ବ୍ୟାଙ୍କ ଋଣ କରନ୍ତି ଓ ବିଭିନ୍ନ ସଂସ୍ଥା ମାଧ୍ୟମରେ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଧାନ ସଂଗ୍ରହ କରନ୍ତି। କେନ୍ଦ୍ର ସରକାର ଭାରତର ଖାଦ୍ୟ ନିଗମ ସହାୟତାରେ ବଳକା ଚାଉଳ ରାଜ୍ୟଠାରୁ ନିଅନ୍ତି ଓ ସବ୍‌ସିଡି ଅର୍ଥ ଅଗ୍ରୀମ ଭାବେ ଦିଅନ୍ତି। ଚାଷୀଙ୍କୁ ଠିକ୍ ସମୟରେ ତାଙ୍କ ପ୍ରାପ୍ୟ ଦେବା ପାଇଁ ଏହି ସବ୍‌ସିଡି ଅର୍ଥ ପ୍ରତି କ୍ବାଟର୍ସର ପ୍ରଥମ ମାସରେ ମିଳିଥାଏ। କିନ୍ତୁ ଉଦ୍‌ବେଗର ବିଷୟ ହେଲା, କେନ୍ଦ୍ର ସରକାରଙ୍କ ନିକଟରେ ଏବେ ଏହି ସବ୍‌ସିଡି ବାବଦରେ ୬୦୪୦ କୋଟି ଟଙ୍କା ବକେୟା ପଡ଼ିଛି। ଶ୍ରୀ ମହତାବ କହିଥିଲେ, ୨୦୨୦-୨୧ରେ ଓଡ଼ିଶା ସରକାର ୮୨ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିରୁ ୫୫ଲକ୍ଷ ଟନ୍ ଚାଉଳ ଉତ୍ପାଦନ ହେବ, ଯାହା ପ୍ରାୟତଃ ଉଷୁନା ଚାଉଳ। ଏଥିରୁ ୨୪ଲକ୍ଷ ମେଟ୍ରିକ୍ ଟନ୍ ରାଜ୍ୟରେ ବ୍ୟବହାର ହେବ। ଚୁକ୍ତି ଅନୁସାରେ, ବଳକା ଚାଉଳ କେନ୍ଦ୍ର ସରକାର ସଂଗ୍ରହ କରିବା କଥା। ନିକଟରେ କେନ୍ଦ୍ର ସରକାର ଏକ ଚିଠି ଲେଖି ୫୦ ପ୍ରତିଶତ ଉଷୁନା ଚାଉଳ ଉଠାଣ କଥା କହିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଓଡ଼ିଶାର ଚାଷୀ କ୍ଷତିଗ୍ରସ୍ତ ହେବେ। ଏଣୁ କେନ୍ଦ୍ର ତୁରନ୍ତ ବକେୟା ୬୦୪୦ କୋଟି ଟଙ୍କା ପ୍ରଦାନ ସହିତ ଉଷୁନା ଚାଉଳ ଉଠାଣ କରିବା ଦରକାର ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର