ରାଜ୍ୟରେ ସଡ଼କ ଦୁର୍ଘଟଣା ସ୍ଥିତି ଉଦ୍‌ବେଗଜନକ : ପ୍ରତ୍ୟେକ ଦିନ ଯାଉଛି ୧୨ ଜୀବନ

ଭୁବନେଶ୍ୱର ସବୁଠୁ ଅଧିକ, ଗଜପତି ସବୁଠୁ କମ୍‌

କଟକ : ରାଜ୍ୟରେ ପ୍ରତ୍ୟେକ ଦିନ ହାରାହାରି ଭାବେ ବିଭିନ୍ନ ସ୍ଥାନରେ ୨୮ଟି ସଡ଼କ ଦୁର୍ଘଟଣା ଘଟୁଛି। ଏହି ଦୁର୍ଘଟଣାରେ ପ୍ରତ୍ୟେକ ଦିନ ହାରାହାରି ଭାବେ ୧୨ ଜଣ ବ୍ୟକ୍ତିଙ୍କର ପ୍ରାଣ ଯାଉଥିବା ବେଳେ ୩୧ ଜଣ ଲୋକ ଗୁରୁତର ଆହତ ହେଉଛନ୍ତି। ବର୍ଷକୁ ବର୍ଷ ଏହି ସଂଖ୍ୟା ବଢି ଚାଲିଛି। ବିଭିନ୍ନ ଥାନାରେ ରୁଜୁ ହେଉଥିବା ମାମଲା ଆଧାରରେ ରାଜ୍ୟ ପୁଲିସ୍‌ ବିଭାଗ ରେକର୍ଡରୁ ଏବେ ଏଭଳି ଉଦ୍‌ବେଗଜନକ ତଥ୍ୟ ସାମନାକୁ ଆସୁଛି।

ତଥ୍ୟ ଅନୁଯାୟୀ ୨୦୧୨ରୁ ୨୦୧୭ ମଧ୍ୟରେ ମୋଟ ୬୦ ହଜାର ୫୪୨ଟି ସଡ଼କ ଦୁର୍ଘଟଣା ମାମଲା ପଂଜୀକୃତ ହୋଇଥିବା ବେଳେ ସେହି ଘଟଣାରେ ୨୫ ହଜାର ୨୫୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୭ ହଜାର ୩୯୭ ଜଣ ଆହତ ହୋଇଛନ୍ତି। ରେକର୍ଡ ଅନୁଯାୟୀ ଭୁବନେଶ୍ୱର କମିସନରେଟ୍‌ ପୁଲିସ୍‌ ଅଞ୍ଚଳକୁ ରାଜ୍ୟର ସବୁଠୁ ଅଧିକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ପରିଗଣିତ କରାଯାଉଛି। ଭୁବନେଶ୍ୱରରେ ବର୍ଷକୁ ପାଖାପାଖିି ୬ଶହ ଦୁର୍ଘଟଣା ରେକର୍ଡ ହେଉଛି। ସେହିଭଳି ବର୍ଷକୁ ହାରାହାରି ଭାବେ ୫ଶହରୁ ଅଧିକ ଦୁର୍ଘଟଣା ହେଉଥିବା ଜିଲ୍ଲା ମଧ୍ୟରେ ଭୁବନେଶ୍ୱର ପରକୁ ପର ରହିଛନ୍ତି କେନ୍ଦୁଝର, ସମ୍ବଲପୁର, ଗଂଜାମ, ବାଲେଶ୍ୱର ଓ ଯାଜପୁର ଭଳି ଜିଲ୍ଲା। ବାଲେଶ୍ୱର, ଯାଜପୁର ଭଳି ଜିଲ୍ଲାରେ କ୍ରମାଗତ ଭାବେ ଏହି ଦୁର୍ଘଟଣା ସଂଖ୍ୟା ବଢି ଚାଲିଛି।

ବର୍ଷକୁ ହାରାହାରି ଭାବେ ୪ଶହରୁ ୫ଶହ ମଧ୍ୟରେ ଦୁର୍ଘଟଣା ଘଟୁଥିବା ଜିଲ୍ଲା ମଧ୍ୟରେ ଅଛନ୍ତି ରାଉରକେଲା, ଅନୁଗୁଳ, ମୟୂରଭଞ୍ଜ ଓ ପୁରୀ।

ଅନ୍ୟପଟେ କମ୍‌ ଦୁର୍ଘଟଣା ପ୍ରବଣ ଜିଲ୍ଲା ଭିତରେ ପରିଗଣିତ ହେଉଛନ୍ତି ଗଜପତି, ଦେଓଗଡ଼, ମାଲକାନାଗିରି ଭଳି ଜିଲ୍ଲା। ଗଜପତିରେ ବର୍ଷକୁ ହାରାହାରି ଭାବେ ଶହେରୁ କମ୍‌ ସଂଖ୍ୟାରେ ଦୁର୍ଘଟଣା ରେକର୍ଡ କରାଯାଉଛି। ଦେଓଗଡ଼ ଓ ମାଲାକାନାଗିରିରେ ଶହେରୁ କିଛି ଅଧିକ ସଂଖ୍ୟକ ଦୁର୍ଘଟଣା ବର୍ଷକୁ ରେକର୍ଡ କରାଯାଉଛି। ରେକର୍ଡ ଅନୁଯାୟୀ କଟକ ଓ ଜଗତସିଂହପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣା ସଂଖ୍ୟା ୨୦୧୨ରୁ ୨୦୧୭ ମଧ୍ୟରେ କିଛି ପରିମାଣରେ ହ୍ରାସ ପାଇ ଚାଲିଛି। ସୂଚନା ଅନୁଯାୟୀ ନିଶାସକ୍ତ ଅବସ୍ଥାରେ ଏବଂ ଦ୍ରୁତ ଗତିରେ ଗାଡ଼ି ଚାଳନା, ଓଭରଲୋଡିଂ ଓ ରାସ୍ତାରେ ରହିଥିବା ତ୍ରୁଟି ଦୁର୍ଘଟଣାର ପ୍ରମୁଖ କାରଣ ଭାବେ ବିବେଚନା କରାଯାଉଛି।

ସମ୍ବନ୍ଧିତ ଖବର