୩ ବର୍ଷ ପରେ ପୁଣି ରାସ୍ତା କାମ ଆରମ୍ଭ, ଘର ଭାଙ୍ଗି ଜାଗା ଦେଲେ ଗ୍ରାମବାସୀ

ଟିଟିଲାଗଡ଼/ସିନ୍ଧେକେଲା: ବର୍ତ୍ତମାନ ଯୁଗରେ ଇଞ୍ଚେ ଜାଗା ବି କେହି ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ସୁଯୋଗ ମିଳିଲେ ରାସ୍ତା, ଡ୍ରେନ୍‌ ଆଦିକୁ ରାତାରାତି ଜରବଦଖଲ କରିବାକୁ ବି ପଛାଉ ନାହାନ୍ତି। ଏଭଳି ଜବରଦଖଲ ହଟାଇବାକୁ ପ୍ରଶାସନ ନାକେଦମ ହେଉଥିବା ନଜିର ରହିଛି। ଏଭଳି ସ୍ଥିତିରେ କିନ୍ତୁ ଟିଟିଲାଗଡ଼ ବ୍ଲକ୍‌ ସିହିନୀ ଗ୍ରାମବାସୀ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଗାଁ ରାସ୍ତା ଚଉଡ଼ା କରିବାକୁ ସମସ୍ତେ ସ୍ବଇଚ୍ଛାରେ ନିଜ ନିଜ ଜମିରୁ ଏପରିକି ସେମାନଙ୍କ ଘରର କିଛି କିଛି ଜମି ଛାଡ଼ି ଦେଇଛନ୍ତି।

ସୂଚନା ଅନୁସାରେ, ଟିଟିଲାଗଡ଼ ବ୍ଲକ୍‌ ମାର୍ଲାଡ ନିକଟ ଉନ୍ଦେର ନଦୀ ପୋଲ ନିର୍ମାଣ ପରେ ବଲାଙ୍ଗୀର ଓ କଳାହାଣ୍ଡି ମଧ୍ୟରେ ସିଧାସଳଖ ସଂଯୋଗ ହୋଇପାରିଛି। ଏହା ପରେ ଚାରିଚକିଆ ଯାନବାହନ ସହ ବସ୍‌, ଟ୍ରକ୍‌ ମଧ୍ୟ ଚଳାଚଳ କରୁଛି। ସୁରୁଖୁରୁରେ ଯିବା ଆସିବାରେ ମୁଖ୍ୟ ଅନ୍ତରାୟ ସିହିନୀ ଗାଁ ଭିତର ମୁଖ୍ୟ ରାସ୍ତା। ପାଓମେକ୍ସ ଷ୍ଟିଲ କାରଖାନାଠାରୁ ଆରମ୍ଭ କରି ସିହିନୀ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ଥିବା ବେଳେ ସିହିନୀ ଗାଁ ପାରି ହେବା ପରେ କୁମୁଡ଼ାଠାରୁ ମାର୍ଲାଡ ଗାଁ ପର୍ଯ୍ୟନ୍ତ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି। କିନ୍ତୁ ସିହିନୀ ଗାଁ ଭିତରର ପ୍ରାୟ ୮ଶହ ମିଟର ରାସ୍ତା ଅତି ଶୋଚନୀୟ ହୋଇପଡ଼ିଥିଲା। ଏହାକୁ ନେଇ ସିହିନୀ ସରପଞ୍ଚ ବୀରବର ସାହୁ ତଥା ଗ୍ରାମବାସୀ ଅନେକ ଥର ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ।

୨୦୧୯ରେ ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନୀ ସାହୁ ଏହି ରାସ୍ତାର  ଉନ୍ନତୀକରଣ ପାଇଁ ୧୮ଲକ୍ଷ ଟଙ୍କା ମଞ୍ଜୁର କରି ସେତେବେଳେ ଶିଳାନ୍ୟାସ କରିଥିଲେ। ସେତେବେଳେ ରାସ୍ତା ୧୨ଫୁଟ ଚଉଡ଼ା ପାଇଁ ପ୍ରସ୍ତାବ ହୋଇଥିଲା। କିନ୍ତୁ ଗ୍ରାମବାସୀ ରାସ୍ତାର ଉଭୟ କଡ଼ରେ ଥିବା ନିଜ ନିଜ ଜାଗାରୁ ୫ ଫୁଟ ଲେଖାଏଁ ଦାନ କରି ରାସ୍ତାକୁ ୨୨ ଫୁଟ ଚଉଡ଼ା କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ଗାଁରେ ଏକ ବୈଠକ ବସି ୩୩ ପରିବାର ଜାଗ ଛାଡ଼ିବାକୁ ସହମତି ପ୍ରକାଶ କରିଥିଲେ। ଗ୍ରାମବାସୀଙ୍କ ଏହି ନିଷ୍ପତ୍ତିକୁ ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଥିଲେ। କିନ୍ତୁ, ୧୮ଲକ୍ଷ ଟଙ୍କାର କାମ ହେବା ପରେ ଆଉ ପାଣ୍ଠି ଆସିଲା ନାହିଁ। କାମ ଅଧାରେ ଅଟକିଗଲା। ଏବେ ପ୍ରାୟ ୩ ବର୍ଷ ପରେ ପୁଣି ଟୁକୁନୀ ସାହୁ ତାଙ୍କ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ରାସ୍ତାକାମ ପାଇଁ ଦେଇଛନ୍ତି। ତେଣୁ ଅଟକିଥିବା ଜାଗାରୁ ପୁଣି ଥରେ କାମ ଆରମ୍ଭ ହୋଇଛି। ଲୋକେ ନିଜ ନିଜ ଘରର କିଛି କିଛି ଜାଗା ଭାଙ୍ଗି ଦେଇ ରାସ୍ତା ଚଉଡ଼ା କରିବାକୁ ଛାଡ଼ିଛନ୍ତି। ହେଲେ କମ ଟଙ୍କାରେ ଏଥର ବି ରାସ୍ତାକାମ ସମ୍ପୂର୍ଣ୍ଣ ହୋଇ ପାରିବ ନାହିଁ। ତେଣୁ ଏହାକୁ ନେଇ ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର