ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ମାରି ୧.୩୩ ଲକ୍ଷ ଲୁଟ୍‌ ଅଭିଯୋଗ

ଅନୁଗୁଳ: ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ମାରି ୧ ଲକ୍ଷ ୩୩ ହଜାର ଟଙ୍କା ଲୁଟ୍‌ପାଟ୍‌ ହୋଇଛି। ଅନୁଗୁଳ ସଦର ଥାନା ସାକୋସିଂହା ଆମ୍ବବଗିଚାରେ ରବିବାର ସକାଳେ ୫ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଥିଲାବେଳେ ପୁଲିସ ଅଭିଯୋଗ ପାଇବା ପରେ ଛାନ୍‌ଭିନ ଆରମ୍ଭ କରିଛି। ହେଲେ ଦୁର୍ବୃତ୍ତଙ୍କ କୌଣସି ଟେର୍‌ ମିଳିନି।

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଗୋପାଳପୁର ଗାଁର ଅରବିନ୍ଦ ନାୟକ(୨୪) ଅନୁଗୁଳରେ ଏକ ଘରୋଇ ଫାଇନାନ୍ସ ସଂସ୍ଥାରେ ଲୋନ୍‌ ଅଫିସର ଭାବେ କାମ କରୁଛନ୍ତି। ସୌଭାଗ୍ୟନଗରରେ ଥିବା ଫାଇନାନ୍ସ ସଂସ୍ଥାର କାର୍ଯ୍ୟାଳୟରୁ ସେ ରବିବାର ପ୍ରଗତିନଗର, ସାକୋସିଂହା ଓ ଅନ୍ୟ ଗାଁକୁ ଯାଇଥିଲେ। ଟଙ୍କା ସଂଗ୍ରହ କରି ବାଇକ୍‌ରେ ଫେରିଲାବେଳେ ସାକୋସିଂହା ଗାଁ ଶେଷରେ ଥିବା ଆମ୍ବ ବଗିଚା‌ ନିକଟରେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ସେମାନେ ମୁହଁରେ କପଡ଼ା ବାନ୍ଧିଥିଲାବେଳେ ହାତରେ ଛୁରି, ଭୁଜାଲି ଓ ଅନ୍ୟ ମାରଣାସ୍ତ୍ର ଧରିଥିଲେ। ଅରବିନ୍ଦ ଅଟକିବା ପରେ ଏହି ଦୁର୍ବୃତ୍ତମାନେ ତାଙ୍କୁ ବିଧା, ଚାପୁଡ଼ା, ମୁଥ ମାରିବା ସହ ଗାଡ଼ି ଚାବି ଫିଙ୍ଗି ଦେଇଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ତାଙ୍କ ବ୍ୟାଗ୍‌ରୁ ୧ ଲକ୍ଷ ୩୩ ହଜାର ୬୮୦ ଟଙ୍କା ଝାମ୍ପି ନେଇଥିଲେ। ଟଙ୍କା ନେବା ପରେ ଦୁର୍ବୃତ୍ତମାନେ ୨ଟି ବାଇକ୍‌ରେ ସାକୋସିଂହା ଗାଁ ଆଡ଼କୁ ଚାଲି ଯାଇଥିଲେ। ଯିବା ପୂର୍ବରୁ ଥାନାରେ କହିଲେ ଜୀବନରୁ ମାରିଦେବାକୁ ସେମାନେ ଧମକ ଦେଇଥିବା ଅରବିନ୍ଦ ଅଭିଯୋଗ କରିଛନ୍ତି।

ଅନୁଗୁଳ ସଦର ଥାନାରେ ସୋମବାର ଅରବିନ୍ଦ ଦେଇଥିବା ଏତଲା ଆଧାରରେ ପୁଲିସ ୪୫୨/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ବୃତ୍ତଙ୍କ କୌଣସି ସନ୍ଧାନ ମିଳିନି। ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିଲାବେଳେ କିଛି ଲୋକଙ୍କୁ ପଚରାଉଚରା କରିଛି। ଏପଟେ ଏହି ଘଟଣା ଅଞ୍ଚଳରେ ଭୟ ଖେଳାଇ ଦେଇଛି। ଦିନରେ ଜନଗହଳି ଅଞ୍ଚଳରେ ଏମିତି ଲୁଟପାଟ୍ ଘଟଣା ପରେ ଲୋକମାନେ ଅସୁରକ୍ଷିତ ମନେ କରୁଛନ୍ତି।

ସମ୍ବନ୍ଧିତ ଖବର