ଚାଷୀଙ୍କ ଖାତାକୁ ଗଲା ୯୨୦ କୋଟି

ଚାଷୀ ତ୍ୟାଗର ମୂଲ୍ୟ କେହି ଦେଇପାରିବ ନାହିଁ: ମୁଖ୍ୟମନ୍ତ୍ରୀ
କୃଷି କ୍ଷେତ୍ର ପାଇଁ ରାଜ୍ୟରେ କୌଣସି ଲକ୍‌ଡାଉନ୍‌ ନାହିଁ
କୋଭିଡ୍ ନିୟମ ମାନି ଚାଷ କାମ କରିବାକୁ ଆହ୍ବାନ ଦେଲେ

ଭୂବନେଶ୍ୱର : ଅକ୍ଷୟତୃତୀୟା ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟର ୪୨ଲକ୍ଷ ଚାଷୀଙ୍କ ଆକାଉଣ୍ଟରେ ଆଉ ଏକ କିସ୍ତିରେ ୯୨୦ କୋଟି ଟଙ୍କା ଜମା କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଚାଷୀ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରାଜ୍ୟର ଛୋଟ ଚାଷୀ, ନାମ ମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପରିବାର ଏହି କାଳିଆ ସହାୟତାକୁ ଚାଷ କାମରେ ତଥା ଜୀବନ ଜୀବିକାର ଉନ୍ନତିରେ ବିନିଯୋଗ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ। କେବଳ ସେତିକି ନୁହେଁ, କୋଭିଡ ସମ୍ପର୍କରେ ସଚେତନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ଆମେ କୋଭିଡ ସଂକ୍ରମଣର ଦ୍ବିତୀୟ ଲହର ସାମ୍ନା କରୁଛୁ। ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଲକ୍‌ଡାଉନ୍‌ ଚାଲିଛି। କିନ୍ତୁ କୃଷି ଷେତ୍ର ପାଇଁ କୌଣସି ଲକ୍ ଡାଉନ ନାହିଁ। ତେଣୁ ଚାଷୀ ଭାଇମାନେ କୋଭିଡ଼ ନିୟମ ମାନି ଚାଷ କାମ ଜାରି ରଖିବା ସହିତ ସରକାରଙ୍କ ବିଭିନ୍ନ କୃଷି ବିକାଶ ଯୋଜନାର ସୁଯୋଗ ମଧ୍ୟ ନେବାକୁ ସେ ଆହ୍ଵାନ ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ ଯୋଜନା। ଏହି ଯୋଜନା ଚାଷୀ ମୁହଁରେ ହସ ଆଣିଛି। ଚାଷୀର ଋଣଭାର ଲାଘବରେ ମଧ୍ୟ ଏହା ସହାୟକ ହୋଇଛି।’’ ଚାଷୀମାନଙ୍କ ତ୍ୟାଗର ମଧ୍ୟ ସେ ଉଚ୍ଚ ପ୍ରଶଂସା କରି କହିଥିଲେ ଯେ ସେମାନେ ହେଉଛନ୍ତି ଆମର ଗର୍ବ ଓ ଗୌରବ। ଦେଶ ଓ ସମାଜ ପାଇଁ ସେମାନଙ୍କର ତ୍ୟାଗର ତୁଳନା ନାହିଁ। ଗତବର୍ଷ କୋଭିଡ୍ ସମୟରେ ଅର୍ଥନୀତିକୁ ସଂଜୀବନି ପରି ଶକ୍ତି ଦେଇଥଇଲା। ତେଣୁ ଚାଷୀ ତ୍ୟାଗର ମୂଲ୍ୟ କେହି ବି ଦେଇପାରିବେ ନାହିଁ।

‘‘ମୋ ରାଜ୍ୟର ଚାଷୀ ଭଲରେ ରହୁ। ତା’ର ରୋଜଗାର ବଢୁ, ତା’ ପରିବାରରେ ସମୃଦ୍ଧି ଆସୁ। ଏଥିପାଇଁ ମୁଁ କାମ କରୁଛି ଓ କରିଚାଲିବି।” ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ। ଚଳିତ ବର୍ଷ ପାଇଁ ଭଲ ପାଗ, ଭଲ ଫସଲ ଓ ଚାଷୀ ପରିବାରର ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତୀକରଣ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, କାଳିଆ ଯୋଜନା କିପରି କୋଭିଡ୍‌ ସମୟରେ ଚାଷୀ ପରିବାର ପାଇଁ ଉପାଦେୟ ସାବ୍ୟସ୍ତ ହୋଇପାରିଛି ତା’ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟର ମୁଖ୍ୟ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉଲ୍ଲେଖ ଥାଉକି, କୃଷି ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସଂଖ୍ୟା ୩୬ ଲକ୍ଷ ୯୮ ହଜାର। ଭୂମିହୀନ ଚାଷୀଙ୍କୁ ସରକାର ୨,୫୦୦ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଏ ବାବଦରେ କାଳିଆ ଯୋଜନାରେ ରାଜ୍ୟ ସରକାର ପୂର୍ବରୁ ପ୍ରାୟ ୧୬ ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରିଥିଲେ। ମୁଖ୍ୟମନ୍ତ୍ରୀ ପ୍ରାୟ ୪୨ ଲକ୍ଷ କାଳିଆ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ନେଇ ଘୋଷଣା କରିଛନ୍ତି।

ଏଥର କିସ୍ତି ବାବଦରେ ୯୨୦ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ। କୃଷି ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସଂଖ୍ୟା ୩୬ ଲକ୍ଷ ୯୮ ହଜାର। ରାଜ୍ୟ ସରକାର ସେମାନଙ୍କୁ ଏହି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ପୂର୍ବରୁ ପ୍ରାଖାପାଖି ୧୬ଲକ୍ଷ ଭୂମିହୀନ ହିତାଧିକାରୀ ଚିହ୍ନଟ ହୋଇଥିଲେ। ସେମାନଙ୍କୁ ବାର୍ଷିକ ୧୨ହଜାର ୫ଶହ ଟଙ୍କା ଦେବାକୁ ଘୋଷଣା ହୋଇଥିଲା। ପୂର୍ବରୁ ଦୁଇଟି କିସ୍ତିରେ ସରକାର ସେମାନଙ୍କୁ ୧୦ ହଜାର ଟଙ୍କା ଦେଇସାରିଛନ୍ତି। ସେହିଭଳି ଏପ୍ରିଲ ପହିଲାରେ ୧୧ଲକ୍ଷ ଭୂମିହୀନଙ୍କୁ ବକେୟା ୨ହଜାର ୫୦୦ ଟଙ୍କା ଦିଆଯାଇଥିଲା। ଏହି କିସ୍ତିରେ ସରକାର ବଳକା ୪ଲକ୍ଷ ୮୮ ହଜର ଭୂମିହୀନଙ୍କୁ ୨ହଜାର ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ପିପିଲି ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ପରିପ୍ରେକ୍ଷୀରେ ଏପ୍ରିଲ ମାସ କିସ୍ତି ପ୍ରଦାନ ବେଳେ ଯେଉଁମାନଙ୍କୁ ୨ହଜାର ଓ ଅଢେଇ ହଜାର ଟଙ୍କା ମିଳିନଥିଲା, ସେମାନଙ୍କୁ ଏଥର କିସ୍ତି ସହିତ ଅର୍ଥ ମିଳିଥିବା ସୂଚନା ମିଳିଛି। ଗତ ଏପ୍ରିଲ ୧ ତାରିଖରେ ୩୪ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଇଥିଲା। ଏ ବାବଦରେ ରାଜ୍ୟ ସରକାର ସେବେ ୬୯୩ କୋଟି ୯୪ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର