ଦିବ୍ୟଶଙ୍କରଙ୍କୁ ବିଧାନସଭା ପୂରାଇ ଦେବୁନି : ସାଲୁଜା

ସୁର ବି ସମର୍ଥନ କଲେ

ଭୁବନେଶ୍ବର : ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲଗାତର ଭାବେ ଟାର୍ଗେଟ୍‌ କରିଚାଲିଛନ୍ତି ବିରୋଧୀ ଦଳ। ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ରାଜରାସ୍ତାରେ ଉଭୟ ବିଜେପି ଓ କଂଗ୍ରେସ ଆନ୍ଦୋଳନ ଜାରି ରଖିଥିଲା ବେଳେ ସୋମବାର କଂଗ୍ରେସ ତା’ର ଆଭିମୁଖ୍ୟକୁ ଆହୁରି କଡ଼ା କରିଛି। ଡିସେମ୍ବର ୧ରୁ ଆରମ୍ଭ ‌ହେଉଥିବା ବିଧାନସଭାର ଶୀତ ଅଧିବେଶନରେ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବିଧାନସଭା ଗୃହରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି।

ଗଣମାଧ୍ୟମକୁ ଶ୍ରୀ ସାଲୁଜା କହିଛନ୍ତି ଯେ ଦିବ୍ୟଶଙ୍କରଙ୍କ ନାଁରେ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ରହିଛି। ପୁଣି ମମିତାଙ୍କ ପରିବାର ଲୋକ ସେକ୍ସ ସ୍କାଣ୍ଡାଲ୍‌ ଅଭିଯୋଗ ବି ଆଣିଛନ୍ତି। ସେପରି ଲୋକ ବିଧାନସଭାକୁ ଆସିଲେ, ତାହା ଅପବିତ୍ର ‌ହେବ ଓ ମର୍ଯ୍ୟାଦା କ୍ଷୂଣ୍ଣ ହେବ। ତେଣୁ ତାଙ୍କୁ ଗୃହ ଭିତରକୁ ନ ପୂରାଇବାକୁ ବାଚସ୍ପତିଙ୍କୁ ଅନୁରୋଧ କରିବୁ। ଯଦି ବାଚସ୍ପତି ତାଙ୍କୁ ବିଧାନସଭା ଆସିବାକୁ ଅନୁମତି ଦିଅନ୍ତି ତେବେ ଆମେ ବିରୋଧ କରିବୁ। ସେତେବେଳେ ଯାହା ପରିସ୍ଥିତି ହେବ, ତାହା ସମସ୍ତେ ଦେଖିବେ।
ଶ୍ରୀ ସାଲୁଜାଙ୍କୁ ସମର୍ଥନ କରି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ମମିତା ହତ୍ୟାକାଣ୍ଡ ଘଟଣାରେ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବାର ଅଭିଯୋଗ ହୋଇଛି। ତେଣୁ ସେ ନିଜ ଆଡ଼ୁ ବିଧାନସଭା ନ ଆସିବା ଉଚିତ। ଯଦି ସେ ଆସନ୍ତି, ତେବେ ଆମେ ତାଙ୍କୁ ପବିତ୍ର ଗୃହରେ ପୂରାଇ ଦେବୁ ନାହିଁ।

କଂଗ୍ରେସର ଏହି ଚେତାବନୀ ପରେ ବିଜେଡିର ବରିଷ୍ଠ ବିଧାୟକ ଅଶ୍ବିନୀ ପାତ୍ର ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଧାନସଭାକୁ ପୂରାଇ ନ ଦେବାର ଅଧିକାର କାହାର ନାହିଁ। ଯଦି ବିରୋଧୀଙ୍କ ପାଖରେ ପ୍ରମାଣ ଅଛି, ତେବେ କୋର୍ଟ କିମ୍ବା ତଦନ୍ତକାରୀ ଅଧିକାରୀଙ୍କୁ ଦିଅନ୍ତୁ। ବିଧାନସଭାରେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ତାର ଜବାବ ଦେବାକୁ ବିଜେଡି ପ୍ରସ୍ତୁତ ଅଛି।

ସମ୍ବନ୍ଧିତ ଖବର