ବାର୍ଡ ଫ୍ଲୁ ଆଶଙ୍କା: ୧୨ ବ୍ଲକ୍‌ର ୧୫ ଗ୍ରାମରୁ ନମୁନା ସଂଗ୍ରହ

ଛତ୍ରପୁର : ଶୀତ ଦିନେ ବିଦେଶରୁ ବହୁ ପକ୍ଷୀ ଚିଲିକାକୁ ଆସିଥାନ୍ତି। ଏଣୁ ବାର୍ଡ ଫ୍ଲୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଆଗୁଆ ସତର୍କତା ଅବଲମ୍ବନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ୧୨ଟି ବ୍ଲକ୍‌ର ୧୫ଟି ଗ୍ରାମରୁ ଦେଶୀ ଓ ବ୍ରଏଲର କୁକୁଡ଼ାର ନମୁନା ସଂଗ୍ରହ କରାଯାଇ କଟକର ଫୁଲନଖରା ସ୍ଥିତ ଏଡିଆରଆଇ (ଆନିମଲ ଡିଜିଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ)କୁ ପଠାଯାଉଛି। ଛତ୍ରପୁର ବ୍ଲକ୍‌ର ଭିକାରିପଲ୍ଲୀ ପଂଚାୟତ ଅଧୀନ ଲକ୍ଷ୍ମୀ ନାରାୟଣପୁର (ଭୂତପଲ୍ଲୀ) ଓ ବିପୁଳିଙ୍ଗି ପଂଚାୟତର ତେଲାପଲ୍ଲୀ ଗ୍ରାମରୁ ଦେଶୀ କୁକୁଡ଼ା ମାନଙ୍କର ଶ୍ୱାସନଳୀ ଓ ରକ୍ତ ନମୁନା ସମେତ ମଳ ପରୀକ୍ଷା ସଂଗ୍ରହ କରାଯାଇଥିବା ସୂଚନା ମିଳିଛି। ଏହା ସହ ଛତ୍ରପୁର ଏନଏସିର ୪ଟି ବ୍ରଏଲର ଦୋକାନ କୁକୁଡ଼ାମାନଙ୍କର ନମୁନା ସଂଗ୍ରହ କରାଯାଇଛି । ସେହିପରି ଗଞ୍ଜାମ ବ୍ଲକର ସୁବଳୟା, ପ୍ରୟାଗୀ, ଝାଟି ପଦର, ଶତ୍ରୁସୋଲ ଅଂଚଳରୁ ୭୮ଟି କୁକୁଡାର ନମୁନା ସଂଗ୍ରହ କରାଯାଇଥିବା ବେଳେ, ଖଲ୍ଲିକୋଟ ବ୍ଲକର ପଥରା ଓ ସାବୁଳିଆ ଆଦି ଅଂଚଳରୁ ୪୦ଟି କୁକୁଡାର ନମୁନାକୁ ସଂଗ୍ରହ କରାଯାଇଥିବା ପ୍ରାଣୀ ସମ୍ପଦ ପକ୍ଷରୁ ସୂଚନା ମିଳିଛି। ଯଦି ଏଡିଆର୍‌ଆଇ ଠାରେ କିଛି ପଜିଟିଭ୍‌ ଆଶଙ୍କା ଥାଏ ତେବେ ସେମାନଙ୍କ ନମୁନାକୁ ଭୋପାଳ ପଠାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର