ସତ୍ୟବାଦୀ ଉଚ୍ଚବିଦ୍ୟାଳୟ ହେବ ନୂତନ ଶିକ୍ଷାନୀତିର ପ୍ରୟୋଗଶାଳା: ଧର୍ମେନ୍ଦ୍ର

ଆତ୍ମନିର୍ଭରଶୀଳ ଧନ୍ଦାମୂଳକ ଶିକ୍ଷା ଦିଆଯିବ, ଖୁବ୍‌ଶୀଘ୍ର ବିଦ୍ୟାଳୟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ

ସାକ୍ଷୀଗୋପାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଶିକ୍ଷାନୀତିର ପ୍ରୟୋଗଶାଳା ହେବ ସତ୍ୟବାଦୀ ହାଇସ୍କୁଲ। ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ସହିତ ଐତିହ୍ୟ ସଂରକ୍ଷଣ କରାଯିବ। ଆଜି ବିଦ୍ୟାଳୟ ପରିଦର୍ଶନ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘୋଷଣା କରିଛନ୍ତି। ଏଥିସହିତ, ପ୍ରଧାନମନ୍ତ୍ରୀ ଖୁବ୍‌ଶୀଘ୍ର ବିଦ୍ୟାଳୟ ପରିଦର୍ଶନରେ ଆସିବେ ବୋଲି ସୂଚନା ଦେଇଛନ୍ତି।

୧୯୦୯ ମସିହାରେ ପଞ୍ଚସଖା ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଉଦ୍ୟମକ୍ରମେ ସତ୍ୟବାଦୀ ବନ ବିଦ୍ୟାଳୟ ନାମରେ ଏକ ଐତିହାସିକ ମଣିଷଗଢ଼ା କାରଖାନା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଭାବେ କାର୍ଯ୍ୟ କରୁଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଉଚ୍ଚ ବିଦ୍ୟାଳୟ ଏବେ ଏବେ ସରକାରଙ୍କ ନୂତନ ଆତ୍ମନିର୍ଭରଶୀଳ ଧନ୍ଦାମୂଳକ ଶିକ୍ଷା ପଦ୍ଧତିର ପ୍ରୟୋଗଶାଳାରେ ପରିଣତ ହେବ। ଆତ୍ମନିର୍ଭରଶୀଳ ପାଇଁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରବର୍ତ୍ତିତ ନୂତନ ଶିକ୍ଷାନୀତିକୁ ୧୧୩ ବର୍ଷ ତଳେ ଉତ୍କଳମଣି ଗୋପବନ୍ଧୁ ଦାସ ଆରମ୍ଭ କରିଥିଲେ। ତେଣୁ ଏହି ବିଦ୍ୟାଳୟର ବିକାଶ ଓ ଉନ୍ନତି କରାଯିବ। ଏଥିସହିତ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍‌ଶୀଘ୍ର ବିଦ୍ୟାଳୟ ପରିଦର୍ଶନରେ ଆସିବେ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ସହିତ ଐତିହ୍ୟ ସଂରକ୍ଷଣ କରାଯିବ ବୋଲି ସେ କହିଥିଲେ।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ‘ ଜନ ଆଶୀର୍ବାଦ ଯାତ୍ରା’ ଅବସରରେ ସତ୍ୟବାଦୀରେ ପହଞ୍ଚିଥିଲେ। ଦୁଇ କେନ୍ଦ୍ରମନ୍ତ୍ରୀ ପଞ୍ଚସଖାଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ ଓ ଛାତ୍ରମାନଙ୍କ ସହିତ ଆଲୋଚନା କରିଥିଲେ। ପଞ୍ଚସଖା ସ୍ମୃତି ପାଠାଗାର ଓ ଐତିହାସିକ ବକୁଳବନ ପରିସର ବୁଲିବା ସହିତ ସେଠାରେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଉତ୍କଳମଣିଙ୍କ ଶେଷ ନିଶ୍ୱାସ ତ୍ୟାଗସ୍ଥଳୀରେ ମନ୍ତ୍ରୀ ଦ୍ବୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାାସହିତ ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଶ୍ରୀ ବୈଷ୍ଣବ ସାକ୍ଷୀଗୋପାଳ ମନ୍ଦିରରେ ଠାକୁର ଶ୍ରୀଶ୍ରୀ ଗୋପାଳ ଜିଉ ଓ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀଙ୍କୁ ଦର୍ଶନ କରିବା ପରେ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜନସାଧାରଣଙ୍କ ସହିତ ଭାବ ବିନିମୟ କରିଥିଲେ।

ସମ୍ବନ୍ଧିତ ଖବର