ମୁଖ୍ୟ ପ୍ରଶାସକଙ୍କୁ ଟାର୍ଗେଟ୍ କଲେ ସେବାୟତ : ଶ୍ରୀମନ୍ଦିରରେ ଭକ୍ତଙ୍କୁ ବାଣ୍ଟିଲେ ପ୍ରଚାରପତ୍ର

ପୁରୀ : ଧାଡ଼ି ଦର୍ଶନକୁ ନେଇ ଲଙ୍କାକାଣ୍ଡ ଓ ଗିରଫଦାରୀ ପରେ ସେବାୟତମାନେ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଛନ୍ତି। ଏଥି ପାଇଁ ସେବାୟତମାନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଟାର୍ଗେଟ୍ କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏ ନେଇ ଭକ୍ତମାନଙ୍କୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ପ୍ରଚାରପତ୍ର ବାଣ୍ଟିଛନ୍ତି। ଖାଲି ବାଣ୍ଟିନାହାନ୍ତି, ଶ୍ରୀମନ୍ଦିରର କାନ୍ଥ ବାଡ଼ରେ ଏହାକୁ ଲଗାଇ ଭକ୍ତଙ୍କୁ ଅବଗତ କରିବାକୁ ଚେଷ୍ଟା କରିଛନ୍ତି। ସେବାୟତଙ୍କ ଅଭିଯୋଗ ହେଲା, ସୁପ୍ରିମକୋର୍ଟ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ କୌଣସି ଜାଗାରେ ଉଲ୍ଲେଖ କରିନାହାନ୍ତି। କିନ୍ତୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁପ୍ରିମକୋର୍ଟଙ୍କ ଆଳରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ବସିଛନ୍ତି। ଯେଉଁଥି ପାଇଁ ବିଶୃଙ୍ଖଳା ଉପୁଜୁଛି। ଏଣୁ ତୁରନ୍ତ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରିବା ସହ ଏହାର ସୁବିଧା ଅସୁବିଧା ସଂପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଉ। ଶ୍ରୀଜନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ହିରୋ କରିବା ପଛରେ ବି ମୁଖ୍ୟ ପ୍ରଶାସକଙ୍କର ହାତ ରହିଥିବା ସେବାୟତମାନେ ପ୍ରଚାରପତ୍ରରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ଏତେ ବଡ଼ ହିଂସାକାଣ୍ଡ ଘଟିଯାଇଥିଲେ ବି ମୁଖ୍ୟ ପ୍ରଶାସକ ମୁହଁ ଖୋଲିନାହାନ୍ତି। ଏହାକୁ ନେଇ ସେବାୟତମାନେ କ୍ଷୁବ୍ଧ ହୋଇଛନ୍ତି। ମୁଖ୍ୟ ପ୍ରଶାସକଙ୍କ ପାଇଁ ଏତେ ବଡ଼ କାଣ୍ଡ ଘଟିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଆଜି ସକାଳୁ ଅପରାହ୍ଣ ପର୍ଯ୍ୟନ୍ତ ସେବାୟତମାନେ ଶ୍ରୀମନ୍ଦିର ଭିତରକୁ ଦର୍ଶନ ପାଇଁ ଯାଉଥିବା ଭକ୍ତମାନଙ୍କୁ ଶହ ଶହ ସଂଖ୍ୟାରେ ଏହି ପ୍ରଚାରପତ୍ର ବାଣ୍ଟୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର