ମାଲକାନଗିରି : ନକ୍ସଲଙ୍କ ପାଇଁ ଅଭିଶପ୍ତ ଅଞ୍ଚଳ ହୋଇ ରହିଥିଲା ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍ ଅନ୍ତର୍ଗତ ବାପନପାଲୀ ପଞ୍ଚାୟତର ସିଲାକୋଟ ଗାଁ। ଅଘଟଣ ଘଟାଇ ଏଠାରେ ନିର୍ଭୟରେ ଆଶ୍ରୟ ନେଉଥିଲେ ନକ୍ସଲ। ଖୁଲମଖୁଲ୍ଲା ଚଳପ୍ରଚଳ କରୁଥିଲେ। ବନ୍ଧୁକ ମୁନରେ ଦେଉଥିବା ପ୍ରତ୍ୟେକ ଆଦେଶକୁ ଗ୍ରାମବାସୀ ପାଳନ କରୁଥିଲେ। ଭଲ ଘର, ଗାଈଗୋରୁ ଏବଂ ମୋବାଇଲ ରଖିବାକୁ ନକ୍ସଲ ବାରଣ କରିଥିଲେ। ଗାଁ ବାହାରକୁ ଗଲେ ବି ଅନୁମତି ନେବାକୁ ପଡ଼ୁଥିଲା। ଏକ ପ୍ରକାର ପରାଧୀନ ହୋଇ ରହିଥିଲେ ଗ୍ରାମବାସୀ। ତେଣୁ କେବଳ ଏହି ଗାଁ ନାଁ ଶୁଣିଲେ ସାଧାରଣ ଲୋକ ଭୟଭୀତ ହୋଇଯାଉଥିଲେ। ଗାଁକୁ ଯିବା ଦୂରର କଥା ଗାଁ ଆଖପାଖ ଯିବାକୁ ବି ସାହସ ହେଉ ନଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସବୁ ବେଳେ ମୃତ୍ୟୁ ସହ ସାମ୍ନାସାମ୍ନା ହେଉଥିବା ଏହି ଗାଁର ଲୋକଙ୍କୁ ଆତଙ୍କର ବାତାବରଣରୁ ମୁକ୍ତି ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ। ୨୦୧୬ ମସିହା ବେଳକୁ ପୁଲିସ ଏବଂ ସୁରକ୍ଷା କର୍ମୀ ଗାଁ ଆଖପାଖ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କଲେ। ବାରମ୍ବାର ସୁରକ୍ଷା କର୍ମୀ ପଶିବାରୁ ଏହି ସୁରକ୍ଷିତ ଗଡ଼ ନକ୍ସଲଙ୍କ ପାଇଁ ଅସୁରକ୍ଷିତ ହୋଇଗଲା। ପୂରା ଅଞ୍ଚଳ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଥିଲେ ନକ୍ସଲ। ତେବେ ପୁଣି ଅନୁପ୍ରବେଶ କରିବାର ସମସ୍ତ ସମ୍ଭାବନା ରହିଥିଲା। ଏଥିପାଇଁ ଗାଁକୁ ନକ୍ସଲଙ୍କ ପ୍ରଭାବାରୁ ସଂପୂର୍ଣ୍ଣ ବାହାର କରିବାକୁ ନିଆଯାଇଥିଲା ଠୋସ୍ ନିଷ୍ପତ୍ତି। ବିକାଶ ଏବଂ ସ୍ବାଧୀନତାର ଏମିତି ମଞ୍ଜି ବୁଣାଗଲା ଯେ ଗ୍ରାମବାସୀ ଖୋଲାଖୋଲି ଭାବେ ପୁଲିସ ଏବଂ ପ୍ରଶାସନକୁ ସମର୍ଥନ କଲେ। ପ୍ରଥମ ଥର ପାଇଁ ରାଜ୍ୟର କୌଣସି ଗୋଟିଏ ଗାଁର ଶତାଧିକ ମହିଳା ଓ ପୁରୁଷ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହାପରେ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ବାସ ଭରିବା ନିମନ୍ତେ ପ୍ରଶାସନ ବି ବଡ଼ ଘୋଷଣା କରିଥିଲା। ଗାଁକୁ ଆଦର୍ଶ ଭାବେ ଆନୁଷ୍ଠାନିକ ଘୋଷଣା କରାଯାଇଥିଲା। ଗାଁକୁ ବିକାଶର ଏମିତି ଧାରା ପହଞ୍ଚିବ ଯେ ଲୋକେ ନୂଆ ଦୁନିଆ ଦେଖିବେ ଏବଂ ସମସ୍ୟା କଣ କେହି ଜାଣିବେ ନାହିଁ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବର୍ତ୍ତମାନ ବାସ୍ତବ ସ୍ଥିତି ପରଖିବା ବେଳକୁ ୬ବର୍ଷ ମଧ୍ୟରେ କିଛି ବଦଳିନି। ପୁରୁଣା ସହ ନୂଆ ସମସ୍ୟା ଯୋଡ଼ି ହୋଇ ଜୀବନ ଅଧିକ ଦୁର୍ବିଷହ ହୋଇଯାଇଛି।
ସିଲାକୋଟା ଗାଁରେ ପାଖାପାଖି ଶହେ ପରିବାର ରହୁଛନ୍ତି। ଚାରି ପାଞ୍ଚୋଟି ସାହି ରହିଛି। ସଂଜ ନଇଁଲେ ପୂରା ଗାଁ ଅନ୍ଧକାର। କାରଣ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନି। ଅବହେଳାର ମୁକସାକ୍ଷୀ ହୋଇ ରହିଛି ଘରେ ଲାଗି ରହିଥିବା ବିଦ୍ୟୁତ ବଲ୍ବ ଏବଂ ମିଟର। ସେହିପରି ପାନୀୟ ଜଳ ଯୋଗାଣ ପାଇ ବଡ଼ ବଡ଼ ଟାଙ୍କି ଆସି ଗାଁରେ ପହଞ୍ଚିଥିଲା। ବିଦ୍ୟୁତ ନଥିବାରୁ ଜଳ ଯୋଗାଣ ହୋଇପାରୁନି। ବହୁ ବର୍ଷ ପରେ ଗାଁକୁ କେବଳ ପକ୍କା ରାସ୍ତା ହୋଇଛି। ଆଜି ବି ଲୋକେ ପାଣି ପାଇଁ ଚୁଆ ଉପରେ ନିର୍ଭରଶୀଳ। ଗାଁ କିମ୍ବା ଆଖପାଖରେ କାମଧନ୍ଦା ମିଳୁନି। ତେଣୁ ବହୁ ଲୋକ ଗାଁ ବାହାରେ ଦାଦନ ଖଟୁଛନ୍ତି। ଲୋକଙ୍କ ଅବସ୍ଥା ଦେଖିଲେ ବିକାଶ ବଦଳରେ କେବଳ ପ୍ରତାରଣା ମିଳିଥିବା ସ୍ପଷ୍ଟ ବାରି ହୋଇଯିବ। ଗାଁର ସମସ୍ତେ କୋୟା ସଂପ୍ରଦାୟର ହୋଇଥିବା ବେଳେ ନିଜ ପାରଂପାରିକ ଶୈଳୀରେ ଜୀବନଯାପନ କରୁଛନ୍ତି।
ଆଜି ଏହି ଗାଁକୁ ଆଉ ନକ୍ସଲ ଆସୁନାହାନ୍ତି। ପୂର୍ବଭଳି ଆଉ କଟକଣା ମଧ୍ୟ ନାହିଁ। ସ୍ବାଧୀନ ଭାବେ ରହୁଛନ୍ତି ଗ୍ରାମବାସୀ। ଧାନ, ମାଣ୍ଡିଆ ଚାଷ କରି ନିଜ ଘରେ ଗଚ୍ଛିତ ରଖିପାରୁଛନ୍ତି। ହେଲେ ଲୋକଙ୍କୁ କାମଧନ୍ଦା ମିଳୁନି। ବୃଦ୍ଧବୃଦ୍ଧାଙ୍କୁ ଭତ୍ତାରୁ ବଞ୍ଚିତ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଭଳି ଯୋଜନା କାର୍ଯ୍ୟକାରୀ ହୋଇପାରୁନି। ଏହାବ୍ୟତୀତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ଯୋଜନା ଏପର୍ଯ୍ୟନ୍ତ ଲାଗୁ ହୋଇପାରିଲା ନାହିଁ। ଲୋକେ ଯେଉଁ ଆଶା ଏବଂ ବିଶ୍ବାସ ନେଇ ପୁଲିସକୁ ସମର୍ଥନ କରିଥିଲେ ତାହା ପୂରଣ ନ ହେବା ଲୋକଙ୍କୁ ଅଧିକ ମର୍ମାହତ କରିଛି। ତେଣୁ ଏବେ ପ୍ରଶ୍ନ ଉଠିଛି ଏ କେମିତିକା ଆଦର୍ଶ ଗାଁ। ଯେଉଁଠି ବଞ୍ଚିବା ପାଇଁ ଲୋକଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁ ବୋଲି ଦାବି ହୋଇଛି।