କଂଗ୍ରେସର ଛଅଘଣ୍ଟିଆ ହରତାଳ: ଅଭିନବ ଢଙ୍ଗରେ ସାମୁହିକ ମୁଣ୍ଡନ ହୋଇ ପ୍ରତିବାଦ କଲେ କର୍ମୀ

ନବରଙ୍ଗପୁର: ଓଡ଼ିଶା କଂଗ୍ରେସ ଦ୍ଵାରା ଆହୂତ କଂଗ୍ରେସର ଛଅ ଘଣ୍ଟିଆ ବନ୍ଦ ହରତାଳର ପ୍ରଭାବ ନବରଙ୍ଗପୁରରେ ବହୁ ମାତ୍ରାରେ ଦେଖିବାକୁ ମିଳିଛି। ଆଜକୁ ଏକ ମାସରୁ ଉର୍ଦ୍ଧ୍ୱ ସମୟ ହେବ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ମହଲିଙ୍ଗ ସନ୍ ସାଇନ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ରହସ୍ୟବୃତ୍ତ ହୋଇ ରହିଥିବା ବେଳେ ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଦାବି ହୋଇ ଆସୁଥିଲେ ହେଁ, ସରକାର ତାଙ୍କୁ ଘଣ୍ଟ ଘୋଡ଼ାଇବା ଲାଗି ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି ବୋଲି କଂଗ୍ରେସ ନେତାମାନେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଅଭିଯୁକ୍ତ ମନ୍ତ୍ରୀଙ୍କୁ ସାବାସି ଦେଇ ନିଜ ପାଖରେ ଗୋଟିଏ ମଞ୍ଚରେ ବସାଇ ମନ୍ତ୍ରୀଙ୍କ ଭାଷଣ ଶୁଣି ତାଳି ମାରିବା ସହ ପରୋକ୍ଷରେ ଅପରାଧୀ ଓ ଅପରାଧକୁ ପ୍ରୋତ୍ସାହନ ଦେଉଛନ୍ତି। ଏଭଳି ଅଭିଯୋଗ ଆଣି ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ତରଫରୁ କର୍ମୀମାନେ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ସକାଳୁ କଂଗ୍ରେସ କର୍ମୀମାନେ ପିକେଟିଂ କରିବା ସହ ଦୋକାନ ବଜାର ବନ୍ଦ କରିବାକୁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି।

ଏତଦବ୍ୟତୀତ ଅଭିନବ ଢ଼ଙ୍ଗରେରେ ପିସିସି ସମ୍ପାଦକ ଖେମରାଜ ବାଘଙ୍କ ନେତୃତ୍ୱରେ କର୍ମୀମାନେ ସାମୁହିକ ଭାବେ ମୁଣ୍ଡନରେ ସାମିଲ ହୋଇ ମମିତାଙ୍କର ଆତ୍ମାର ସଦଗତି କାମନା ସହ ତାଙ୍କ ନ୍ୟାୟ ଦାବି କରିଛନ୍ତି। ଏଭଳି ଅଭିଯାନ ଉପାୟରେ ପ୍ରତିବାଦକୁ ଜନସାଧାରଣ ଗ୍ରହଣ କରିଥିବା ବେଳେ ମମିତା ପ୍ରସଙ୍ଗ ପୁଣି ଜୋର୍ ଧରିଛି। ଏହା ପରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହେଇଥିଲା।

ସମ୍ବନ୍ଧିତ ଖବର