ସାମାନ୍ୟ ଲକ୍ଷଣ ଥିବା କୋଭିଡ୍‌-୧୯ ରୋଗୀ ଏବେ ନିଜ ଘରେ ଏକାନ୍ତବାସରେ ରହି ହୋଇପାରିବେ ଚିକିତ୍ସିତ; ସରକାର ନୀତିରେ କଲେ ପରିବର୍ତ୍ତନ

ଭୁବନେଶ୍ୱର: କୋଭିଡ୍‌- ୧୯ ରଣନୀତିରେ ରାଜ୍ୟ ସରକାର ଆଜିଠାରୁ କିଛିଟା ପରିବର୍ତ୍ତନ ଆଣିଛନ୍ତି। ବିଶେଷକରି କୋଭିଡ୍‌- ୧୯ ରୋଗୀମାନଙ୍କର ଡିସଚାର୍ଯ୍ୟ ଓ ହୋମ୍‌ ଆଇସୋଲେସନ୍‌ (ଏକାନ୍ତବାସ) ପଲିସି ବା ନୀତିରେ ରାଜ୍ୟ ସରକାର ଏକ ବଡ଼ ଧରଣର ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଂପର୍କରେ ସୂଚନା ପ୍ରଦାନ କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ ସାମାନ୍ୟ ଲକ୍ଷଣ ଥିବା ବା କୌଣସି ପ୍ରକାରର ଲକ୍ଷଣ ପରିଲକ୍ଷିତ ହେଉ ନ ଥିବା କୋଭିଡ୍‌-୧୯ ରୋଗୀମାନଙ୍କ ପାଇଁ ଗତ ମେ ୮ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ନୂତନ ଗାଇଡ୍‌ ଲାଇନ ବା ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜ୍ୟ ସରକାର ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। ତେବେ, ରାଜ୍ୟ ସରକାର ଏଥିରେ ସାମାନ୍ୟ ପରିବର୍ତ୍ତନ କରିବା ସହ ଆହୁରି କଠୋର ଓ ଶକ୍ତ କରି ଏହାକୁ ଆଜି ଠାରୁ ରାଜ୍ୟରେ ଲାଗୁ କରିଛନ୍ତି। କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାରେ ବିଗତ ୧୦ ଧରି ଲକ୍ଷଣ ଦେଖିବାକୁ ମିଳି ନଥିବା ଓ କ୍ରମାଗତ ଭାବେ ତିନିଦିନ ଧରି ଜ୍ୱର ନଥିବା ରୋଗୀମାନଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଯ୍ୟ କରାଯାଇ ପାରିବ ବୋଲି କହିଛନ୍ତି। ସେହିପରି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଲକ୍ଷଣ ପ୍ରକାଶ ପାଇବା ବନ୍ଦ ହେବାର ୩ ଦିନ ପରେ ମଧ୍ୟ ସେମାନଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଯ୍ୟ କରାଯାଇ ପାରିବ ବୋଲି କହିଛନ୍ତି।

କିନ୍ତୁ, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କର ଏହି ନୀତିକୁ ମାନିଥିଲେ ଏଥିରେ କିଛିଟା ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଡିସଚାର୍ଯ୍ୟ ଓ ଏକାନ୍ତବାସ ନୀତିରେ କରା ଯାଇଥିବା ପରିବର୍ତ୍ତନ ସଂପର୍କରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ ଓଡ଼ିଶାରେ ହସ୍ପିଟାଲରୁ ଡିସ୍‌ଚାର୍ଯ୍ୟ ହେଉଥିବା ବ୍ୟକ୍ତିଙ୍କୁ ୭ ଦିନ ପରିବର୍ତ୍ତେ ୧୪ ଦିନ ନିଜ ଘରେ ପୃଥକବାସରେ ବା ଆଇସୋଲେସନରେ ରହିବାକୁ ହେବ। ନିଜ ଘରେ ପୃଥକ ବାସରେ ରହିବାକୁ ଥିବା ବ୍ୟକ୍ତିଙ୍କ ହାତରେ ଅଲିଭା କାଳିରେ ଏକ ଷ୍ଟାମ୍ପ ମରାଯିବା ସହ ତାଙ୍କ ହାତରେ ଏକ ରିଷ୍ଟବ୍ୟାଣ୍ଡ ଲଗାଯିବ। ପୃଥକ ବାସରେ ରହୁଥିବା ବ୍ୟକ୍ତିଙ୍କ ଘର ମଧ୍ୟରୁ କେହି ସଦସ୍ୟ ପଦାକୁ ବାହାରି ପାରିବେ ନାହିଁ; କିମ୍ବା ତାଙ୍କ ଘର ମଧ୍ୟକୁ କେହି ପ୍ରବେଶ କରି ପାରିବେ ନାହିଁ। ସଂପୃକ୍ତ ବ୍ୟକ୍ତିଙ୍କ ଘର ସମ୍ମୁଖରେ ଏକ କ୍ୱାରେଣ୍ଟାଇନ୍‌ ଷ୍ଟିକର ଲଗାଇ ଦିଆଯିବ। ଘରେ ସଂପୃକ୍ତ ବ୍ୟକ୍ତଙ୍କ ପାଇଁ ଅଲଗା କଠୋରି ସହ ଶୌଚାଳୟ ଉପଲବ୍ଧ ନଥିଲେ ତାଙ୍କୁ ଘରେ ଏକାନ୍ତବାସ ପାଇଁ ଅନୁମତି ମିଳିବ ନାହିଁ। ସରକାରଙ୍କ ପକ୍ଷରୁ ଆୟୋଜିତ ଆନୁଷ୍ଠାନିକ ଏକାନ୍ତବାସ କେନ୍ଦ୍ରରେ ତାଙ୍କୁ ୧୪ ଦିନ ପର୍ଯ୍ୟନ୍ତ ରହିବାକୁ ପଡ଼ିବ। ଓଡ଼ିଶାରେ ଯେହେତୁ ୯୦ ଭାଗ ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା କେସ୍‌ ସେଥିପାଇଁ ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେଇଛନ୍ତି।

ସେହପରି ନମୁନା ପରୀକ୍ଷଣ ପରେ ଯେଉଁମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଅଥଚ ସେମାନଙ୍କ ନିକଟରେ କୌଣସି ପ୍ରକାରର ଲକ୍ଷଣ ପରିଲକ୍ଷିତ ହେଉ ନଥିବା ବା ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହେଉଥିବା ସେମାନଙ୍କୁ ମଧ୍ୟ ନିଜ ଘରେ ମେଡିକାଲ ସର୍ଭେଲାନ୍ସ ଅଧୀନରେ ଏକାନ୍ତବାସରେ ରହିବାକୁ ଅନୁମତି ମିଳିବ। ତେବେ, ତାଙ୍କ ଦେଖାଶୁଣା ପାଇଁ ତାଙ୍କ ନିକଟରେ ଫୋନ୍‌ ସୁବିଧା ଥାଇ ଜଣେ ବ୍ୟକ୍ତିଙ୍କୁ ରହିବାକୁ ପଡ଼ିବ। ଯଦି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାର ଖବର ମିଳେ ତେବେ ତାଙ୍କୁ ଅବିଳମ୍ବେ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ତାଙ୍କ ଘରକୁ ଏକ କଣ୍ଟେନମେଣ୍ଟ ଜୋନ୍‌ ରୂପେ ବିବେଚନା କରାଯିବ। ଏଥିସହ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଏହି ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରି ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର।

ସମ୍ବନ୍ଧିତ ଖବର