ସ୍କୁଲ ପିଲାକୁ କାମୁଡ଼ି ମାରିଦେଲେ

ଝୁଣିଦେଲେ କୁକୁର ପଲ, ଅଜଣା ବନ୍ୟଜନ୍ତୁ ନାଁରେ ପାର

କରଞ୍ଜିଆ/ପଦ୍ମପୁର/କରଞ୍ଜିଆ ଗୋଲେଇ : ଆଉ ଅଳ୍ପ ଦୂର ଯାଇଥିଲେ ସ୍କୁଲରେ ପହଞ୍ଚିଥା’ନ୍ତା ସେ। ପୁଣି ପାଠ ପଢ଼ି ଘରକୁ ଫେରିଥା’ନ୍ତା। ଘରେ ବାପାମା’ ପୁଅର ଫେରନ୍ତା ବାଟକୁ ଚାହିଁ ରହିଥିଲେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା। ପୁଅ ଫେରିଲା ନାହିଁ। ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ପୁଅର ପ୍ରାଣ ଚାଲିଗଲା। ମୃତ ଶିଶୁ ଜଣକ ହେଉଛି ଗାଁର ଶର୍ମା ମହାରଣାଙ୍କ ପୁଅ ରିଙ୍କୁ(୭)। ଏପରି ଅଘଟଣ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ମହାର୍ଦ୍ଦାପଳସା ପଞ୍ଚାୟତର ବାଲିସୁଦୁରା ଗାଁରେ ଆଜି ଘଟିଛି। ଏପରି ହୃଦୟ ବିଦାରକ ଘଟଣା ସମଗ୍ର ଯଶୀପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ଅନୁସାରେ, ସବୁଦିନ ପରି ସକାଳ ସାଢ଼େ ୯ଟା ବେଳେ ରିଙ୍କୁ ନିକଟସ୍ଥ ରାହାନ୍ଦା ପ୍ରାଥମିକ ବିଦ୍ୟାଳୟକୁ ବାହାରିଥି‌ଲା। ପ୍ରଥମ ଶ୍ରେଣୀରେ ପଢ଼ୁଥିବା ରିଙ୍କୁ ସବୁଦିନେ ସାଙ୍ଗମାନଙ୍କ ସହିତ ସ୍କୁଲକୁ ଯାଉଥିବା ବେଳେ ଆଜି ଏକୁଟିଆ ଯିବା କାଳ ହୋଇଥିଲା। ଘରଠାରୁ କିଛି ଦୂର ଅତିକ୍ରମ କରି ବିଲ ମଝିରେ ସେ ଯାଉଥିଲା। ଏତିକିବେଳେ କୌଣସି ବନ୍ୟଜନ୍ତୁ ଜଙ୍ଗଲରୁ ବାହାରି ତାକୁ ଆକ୍ରମଣ କରିଥିଲା। ପ୍ରାୟ ୪ ଶହ ମିଟର ଘୋଷାଡ଼ି ନେଇ ଶରୀର ସାରା କ୍ଷତବିକ୍ଷତ କରି ଦେଇଥିଲା। ପେଟକୁ କାମୁଡ଼ି ଛିନ୍‌ଭିନ୍‌ କରି ଅନ୍ତଃବୁଜୁଳା ବାହାର କରି ପକାଇଥିଲା। ଫଳରେ ଘଟଣାସ୍ଥଳରେ ରିଙ୍କୁର ମୃତ୍ୟୁ ଘଟିଥିଲା।

ତେବେ ଅନ୍ୟ କେତେକ ସ୍ଥାନୀୟ ଲୋକ କହୁଛନ୍ତି ଯେ ବୁଲା କୁକୁରଙ୍କ ଆକ୍ରମଣରେ ପିଲାର ମୃତ୍ୟୁ ଘଟିଛି। ପିଲାଟି ଏକୁଟିଆ ସ୍କୁଲ ଯାଉଥିବା ବେଳେ କେତେକ ବୁଲା କୁକୁର ତାକୁ ଗୋଡ଼ାଇବ‌‌ାରୁ ‌େସ ତଳେ ପଡ଼ିଯାଇଥିଲା। କୁକୁରଗୁଡ଼ିକ ତାକୁ କାମୁଡ଼ି ପକ‌ାଇଥିଲେ। ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା।

ଖବର ପାଇ ଯଶୀପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଥିବା ବେଳେ ସରପଞ୍ଚ ରମାକାନ୍ତ ନାଏକ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର, ରେଡକ୍ରସ୍‌ ପାଣ୍ଠିରୁ ଉପଜିଲ୍ଲାପାଳ ଶରତ ଚନ୍ଦ୍ର ପୁରୋହିତ ୫ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି।

ଯଶୀପୁର ବିଧାୟକ ମଙ୍ଗଲସିଂ ମୁଦି, ବ୍ଲକ୍‌ ଅଧ୍ୟକ୍ଷ ମାନଗୋବିନ୍ଦ ନାଏକ, ବିଡିଓ ଦୁଃଖବନ୍ଧୁ ନାଏକ ପ୍ରମୁଖ ମୃତ ଶିଶୁର ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଯାହା ଜଣାପଡ଼ୁଛି କୁକୁର କାମୁଡ଼ାରେ ପିଲାଟିର ମୃତ୍ୟୁ ଘଟିଛି। କିନ୍ତୁ କୌଣସି ପ୍ରମାଣ ମିଳୁ ନଥିବାରୁ ୍ଅଜଣାଜନ୍ତୁ ବୋଲି ମାମଲା ଦାଏର କରାଯାଇଛି। ଜଣେ ଡାକ୍ତର ମଧ୍ୟ କହିଛନ୍ତି ଯେ ପିଲା ଦେହରେ ‌େଯଉଁ ଖଣ୍ଡିଆ ଦାଗ ରହିଛି ସେଥିରୁ ସ୍ପଷ୍ଟ ହେଉଛି ଯେ କୁକୁର କାମୁଡ଼ିଛନ୍ତି।

ସମ୍ବନ୍ଧିତ ଖବର