ଗଣଶିକ୍ଷା ବିଭାଗ ଓ ଅନ୍‌ଏକାଡେମି ମଧ୍ୟରେ ବୁଝାମଣା: ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ

ଭୁବନେଶ୍ବର : ସ୍କୁଲ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ମାନସିକ ଦକ୍ଷତାର ବିକାଶ ଦିଗରେ ପଦକ୍ଷେପ ନିଆଯାଇଛି। ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ତଥା ପ୍ରବେଶିକା ପରୀକ୍ଷାରେ ଛାତ୍ରଛାତ୍ରୀ କିଭଳି ସଫଳତା ହାସଲ କରିପାରିବେ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବେଙ୍ଗାଲୁରୁସ୍ଥିତ ଅନ୍‌ଏକାଡେମି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟ ଉନ୍ନୟନ କମିସନର ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୁଝାମଣାପତ୍ର ଦ୍ୱାରା ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ପ୍ରତ୍ୟକ୍ଷ ଭାବେ ଅନ୍‌ଲାଇନ୍‌ ମାଧ୍ୟମରେ ଦେଶର ପ୍ରତିଷ୍ଠିତ ତଥା ଉଚ୍ଚ ଯୋଗ୍ୟତା ସମ୍ପନ୍ନ ଶିକ୍ଷକଙ୍କଠାରୁ ଶିକ୍ଷାଦାନ ପାଇବାର ସୁଯୋଗ ପାଇବେ। ଭବିଷ୍ୟତରେ ବିଭିନ୍ନ ପ୍ରତିଯୋଗିତାମୂଳକ ତଥା ପ୍ରବେଶିକା ପରୀକ୍ଷା ନିମନ୍ତେ ମଧ୍ୟ ନିଜକୁ ପ୍ରସ୍ତୁତ କରିପାରିବେ। ପ୍ରତିବର୍ଷ ହଜାରେ ଲେଖାଏ ଛାତ୍ରଛାତ୍ରୀ ତାଲିମ ନେବାର ସୁଯୋଗ ପାଇବ। ବୁଝାମଣାପତ୍ର ଅନୁଯାୟୀ ଆସନ୍ତା ୩ ବର୍ଷ ମଧ୍ୟରେ ତିନି ହଜାର ଛାତ୍ରଛାତ୍ରୀ ଏହି ସୁଯୋଗ ପାଇ ପାରିବେ ବୋଲି ଉନ୍ନୟନ କମିସନର ଶ୍ରୀ ଜେନା ପ୍ରକାଶ କରିଛନ୍ତି।

ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ ଏହି କାର୍ଯ୍ୟକ୍ରମର ସଫଳତା ନିମନ୍ତେ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନଗୁଡ଼ିକର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ଶିକ୍ଷା ପ୍ରଦାନ କରାଯିବ। ସେମାନଙ୍କ ମାନସିକ ଦକ୍ଷତା ଓ ପ୍ରବୃତ୍ତି ଆଧାରିତ ପରୀକ୍ଷା ପରିଚାଳନା କରିବ। ଏହାର ଫଳାଫଳକୁ ଆଧାର କରି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରବେଶିକା ପରୀକ୍ଷା ନିମନ୍ତେ ଅନ୍‌ଏକାଡେମି ପଦକ୍ଷେପ ଗ୍ରହଣ କରିବ। ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେବା ପାଇଁ ଅନୁପ୍ରେରିତ ତଥା ତ୍ୱରାନ୍ୱିତ କରିବା ନିମନ୍ତେ ସଚିବ ଶ୍ରୀ ସାହୁ ସମସ୍ତ ବିଭାଗୀୟ ନିର୍ଦ୍ଦେଶକ ତଥା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଗଣଶିକ୍ଷା ବିଭାଗ ପକ୍ଷରୁ ସମଗ୍ର ଶିକ୍ଷାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଓ ଅନ୍‌ଏକାଡେମି ପକ୍ଷରୁ ବରିଷ୍ଠ ଉପସଭାପତି ଜୟନ ମୋଦି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ ମନୋଜ କୁମାର ମିଶ୍ରଙ୍କ ସମେତ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ, ଅନ୍ୟାନ୍ୟ ଅଧିକାରୀ ଓ ଅନ୍‌ଏକାଡେମିର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର