କନ୍ଧମାଳ ଚାଷୀ ମୁହଁରେ ହସ ଦେଇଛି ସୂର୍ଯ୍ୟମୁଖୀ, ଉଦାହରଣ ପାଲଟିଛନ୍ତି ତାଡ଼ମେରୁ ଗାଁ ଚାଷୀ

ଫୁଲବାଣୀ : ସୂର୍ଯ୍ୟମୁଖୀ ଚାଷ ପ୍ରତି ଏବେ କନ୍ଧମାଳରେ ଅଧିକାଂଶ ଚାଷୀ ଆଗ୍ରହ ପ୍ରକାଶ କରୁଛନ୍ତି। ବିଶେଷକରି ଖଜୁରୀପଡ଼ା ବ୍ଲକ୍ ତାଡ଼ମେରୁ ଗାଁର କନ୍ଧ ସମ୍ପ୍ରଦାୟର ଚାଷୀ ସୂର୍ଯ୍ୟମୁଖୀ ଚାଷ କରି ଆର୍ଥିକ ଦଷ୍ଟିରୁ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ତାଡ଼ମେରୁ ଗାଁ ଆଜି ଜିଲ୍ଲାର ଅନ୍ୟ ଆଦିବାସୀ ଗାଁ ପାଇଁ ଉଦାହରଣ ସୃଷ୍ଟି କରିଛି। ତେବେ ଗାଁ ପାଶ୍ବ ବେରଣା ନାଳ ଶୁଖିଯିବାରୁ ସୂର୍ଯ୍ୟମୁଖ୍ୟ ଚାଷ ପାଇଁ ସମସ୍ୟା ହୋଇଛି।

ଦିନ ଥିଲା ଏହି ଗାଁର କନ୍ଧ ସମ୍ପ୍ରଦାୟର ଆଦିବାସୀ ମାନେ ନିକଟସ୍ଥ ଜଙ୍ଗଲରୁ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲେ। ଯେବେଠାରୁ ସୂର୍ଯ୍ୟମୁଖୀ ଚାଷ ଆରମ୍ଭ କରିଛନ୍ତି, ସେବେଠୁ ସେମାନେ ସ୍ବାବଲମ୍ବୀ ହେବା ଶିଖିଛନ୍ତି। ଏହି ଗାଁର ଜଣେ କନ୍ଧ ଚାଷୀ ସାରଥି ମଲିକ ଏକ ଏକର ଜମିରେ ସୂର୍ଯ୍ୟମୁଖୀ ଫସଲ କରିଛନ୍ତି। ଗତବର୍ଷ ଠାରୁ ସେ ସୂର୍ଯ୍ୟମୁଖୀ ଚାଷ ଆରମ୍ଭ କରିଛନ୍ତି। ଗତବର୍ଷ ଅଧା ଏକର ଜମିରେ ଚାଷ କରିଥିଲେ। ସୂର୍ଯ୍ୟମୁଖୀ ଫସଲରୁ ଭଲ ଦି ପଇସା ଲାଭ ହେବାରୁ ଚଳିତ ବର୍ଷ ସେ ଏକ ଏକର ଜମିରେ ଚାଷ କରିଛନ୍ତି। ତାଡ଼ମେରୁ ଗାଁର ସାରଥୀ ପ୍ରଥମେ ସୂର୍ଯ୍ୟମୁଖୀ ଫସଲ ଆରମ୍ଭ କରିଥିଲେ। ତାଙ୍କୁ ଏଥିପାଇଁ ଫୁଲବାଣୀ ଆଇଟିଡିଏ ପ୍ରୋତ୍ସାହିତ କରିଥିଲା। ସୂର୍ଯ୍ୟମୁଖୀ ଫସଲ କରି ସାରଥି ଲାଭବାନ ହେବାପରେ ତାଙ୍କୁ ଦେଖି ଗାଁର ଅନ୍ୟ ଚାଷୀମାନେ ମଧ୍ୟ ସୂର୍ଯ୍ୟମୁଖୀ ଫସଲ ଆରମ୍ଭ କରିଛନ୍ତି। ଚଳିତ ବର୍ଷ ଗାଁର ଦୟାନିଧି ମଲିକ, ବଳଭଦ୍ର ମଲିକ, କୃଷ୍ଣଚନ୍ଦ୍ର ନାଏକ, ଦାମୋଦର ନାଏକ, ନିରଞ୍ଜନ ମଲିକ, ଉପେନ୍ଦ୍ର ମଲିକ, ପରମାନନ୍ଦ ନାଏକ, ବିଛନ୍ଦ ଚରଣ ଜାନି, ରଙ୍ଗାଧର ଜାନି, ଚକାଡୋଳା ମଲିକ, ସୀମା ଚରଣ ମଲିକ, ବାଲ୍ମିକୀ ମଲିକ ଓ ଦେବରାଜ ମଲିକ ପ୍ରମୁଖ ସୂର୍ଯ୍ୟମୁଖୀ ଫସଲ କରିଛନ୍ତି। ବର୍ତ୍ତମାନ ଏ ସମସ୍ତ ଚାଷୀଙ୍କ କ୍ଷେତରେ ସୂର୍ଯ୍ୟମୁଖୀ ଲହଡ଼ି ଭାଙ୍ଗୁଛି।

ସମ୍ବନ୍ଧିତ ଖବର