ରାଜଧାନୀରେ ଶିକ୍ଷକଙ୍କ ଶକ୍ତି ପ୍ରଦର୍ଶନ

୧୦ ହଜାର ଶିକ୍ଷକ ଓ କର୍ମଚାରୀଙ୍କ ବିକ୍ଷୋଭ
ବିଜେପୁରରେ ବିଜେଡି ବିରୋଧରେ କରିବେ ପ୍ରଚାର
ସ୍କୁଲ୍‌, କଲେଜରେ ତାଲା ପକାଇବାକୁ ଧମକ

ଭୁବନେଶ୍ୱର : ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକଙ୍କ କ୍ଷେତ୍ରରେ ସପ୍ତମ ବେତନ କମିସନ ଲାଗୁ, ଚାକିରି ସର୍ତ୍ତାବଳୀ ପ୍ରଦାନ ଏବଂ ବାଧ୍ୟତାମୂଳକ ସତ୍ୟପାଠକୁ ବିରୋଧ କରି ପୁଣିଥରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଶିକ୍ଷକ ଓ ଅଧ୍ୟାପକ। ଗତକାଲି ପୁରୀରୁ ଆରମ୍ଭ ହୋଇଥିବା ୧୦ ହଜାରରୁ ଅଧିକ ଶିକ୍ଷକଙ୍କ ପଦଯାତ୍ରା ଆଜି ରାଜଧାନୀରେ ପହଞ୍ଚିବା ପରେ ଥରହର ହୋଇଉଠିଛି ବିଧାନସଭା ସମ୍ମୁଖ। ଲୋୟର ପିଏମ୍‌ଜିରେ ଶିକ୍ଷକ ଓ ଅଧ୍ୟାପକ ଏକାଠି ହୋଇ ରାଜ୍ୟ ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି। ଯଦି ଖୁବ୍‌ଶୀଘ୍ର ଦାବି ପୂରଣ କରା ନ ଯାଏ ତେବେ ସ୍କୁଲ, କଲେଜରେ ତାଲା ପଡ଼ିବ ଏବଂ ସେମାନେ ବିଜେପୁର ଉପନିର୍ବାଚନରେ ବିଜେଡି ବିରୋଧରେ ପ୍ରଚାର କରିବେ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ମିଳିତ ମଞ୍ଚର ଆହ୍ଵାନକ୍ରମେ ଗତକାଲିଠାରୁ ପୁରୀରୁ ଆରମ୍ଭ ହୋଇଥିବା ଶିକ୍ଷକ, ଅଧ୍ୟାପକ, କର୍ମଚାରୀମାନଙ୍କ ପଦଯାତ୍ରା ଆଜି ମଧ୍ୟାହ୍ନରେ ଭୁବନେଶ୍ୱରରେ ପହଞ୍ଚିଥିଲା। ପଦଯାତ୍ରା ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ପହଞ୍ଚିବା ପରେ ପ୍ରାୟ ଦେଢ଼ ଘଣ୍ଟା ଧରି ରାମମନ୍ଦିର ଛକରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ଠପ୍‌ ହୋଇଯାଇଥିଲା। ଲୋୟର ପିଏମ୍‌ଜିରେ ମିଳିତ ମଞ୍ଚ ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଏକ ମହାସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏକତ୍ର ହୋଇ ସରକାରଙ୍କ ବିରୋଧରେ ବର୍ଷିଥିଲେ।

ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି ପ୍ରମୁଖ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତୁ। ଯେଉଁ ପ୍ରଶାସନିକ ଅଧିକାରୀମାନେ ଟାଳଟୁଳ ନୀତି ଧରିଛନ୍ତି ସେମାନଙ୍କୁ ବହିଷ୍କାର କରନ୍ତୁ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମିଳିତ ମଞ୍ଚ ଏଥର ରାସ୍ତାରୁ ହଟିବ ନାହିଁ। ଯଦି ଏହି ସମାବେଶ ପରେ ମୁଖ୍ୟମନ୍ତ୍ରୀଙ୍କ ନିଦ ନ ଭାଙ୍ଗେ ତେବେ ସମସ୍ତ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ବିଜେପୁର ଯିବେ। ୨୦୧୯ ନିର୍ବାଚନ ପୂର୍ବରୁ ସରକାର ବିଜେପୁର ଉପ ନିର୍ବାଚନ ଜିତିବାର ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହାକୁ ଧୂଳିସାତ କରି ଦିଆଯିବ ବୋଲି ସେମାନେ ଧମକ ଦେଇଥିଲେ।

ସମସ୍ତ ସ୍କୁଲ କଲେଜରୁ ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ଶତ ପ୍ରତିଶତ ଅନୁଦାନ ପ୍ରଦାନ, ଚାକିରି ସର୍ତ୍ତାବଳୀ, ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ଭଳି ସପ୍ତମ ବେତନ କମିସନ ଲାଗୁ, ଅନୁଦାନଯୋଗ୍ୟ ସମସ୍ତ ସ୍କୁଲ, କଲେଜକୁ ଅନୁଦାନ, ଅମାନବୀୟ ସତ୍ୟପାଠ ନେବା ବନ୍ଦ କରିବାକୁ ସେମାନେ ଦାବି କରିଥିଲେ।

ପୁରୀରୁ ବାହାରିଥିବା ଏହି ପଦଯାତ୍ରା ଗତକାଲି ସନ୍ଧ୍ୟାରେ ଚନ୍ଦନପୁରଠାରେ ଅଟକି ରହିଥିଲା। ଆଜି ସକାଳ ୯ଟାରୁ ପଦଯାତ୍ରା ପୁଣିଥରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ଶତାଧିକ ଲୋକ ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇ ପଦଯାତ୍ରାକୁ ସ୍ୱାଗତ କରିଥିଲେ।

ସମ୍ବନ୍ଧିତ ଖବର