ତୈଳ ବିଶୋଧନାଗାର ସାମ୍‌ନାରେ ଉତ୍ତେଜନା : ପୁଲିସ-ଆନ୍ଦୋଳନକାରୀ ମୁହାଁମୁହିଁ; ୫୫ ଅଟକ

ପାରାଦୀପ : ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପ ସାମ୍ନାରେ ଆଜି ଦିନତମାମ ଉତ୍ତେଜନା ଲାଗି ରହିଛି। ଧାରଣାରେ ବସିଥିବା ୫୫ ଜଣଙ୍କୁ ପୁଲିସ ଉଠାଇ ନେଇଛି। ଏହାକୁ ନେଇ ଆଜି ଆନ୍ଦୋଳନକାରୀ-ପୁଲିସ ମୁହାଁମୁହିଁ ହୋଇଛନ୍ତି। ଥାନାରେ ଅଟକ ରଖାଯାଇଥିବା ଆନ୍ଦୋଳନକାରୀଙ୍କୁ ଛାଡ଼ିବା ଓ ଜମିହରାଙ୍କୁ ନିଯୁକ୍ତି ପ୍ରଦାନ କରିବା ଦାବିରେ ତୈଳ ବିଶୋଧନାଗାର ସାମ୍ନାରେ ଆନ୍ଦୋଳନ ଜାରି ରହିଛି।

ଜମିହରା କୃଷକ ଏକତା ମଞ୍ଚ ପକ୍ଷରୁ ଗତ ୧ ତାରିଖରୁ ନିଯୁକ୍ତି ଓ ଅନ୍ୟ କେତେକ ଦାବିକୁ ନେଇ ଆନ୍ଦୋଳନ ଆରମ୍ଭ ହୋଇଥିଲା। ମଞ୍ଚର ଅଭିଯୋଗ ଅନୁଯାୟୀ, ୧୭୫୨ ଜମିହରା ପରିବାରକୁ ନିଯୁକ୍ତି ଦାବିରେ ଆନ୍ଦୋଳନ ଚାଲୁ ରହିଛି। ବିଶୋଧନାଗାରରେ ଅନ୍ୟ ରାଜ୍ୟର ପିଲାଙ୍କୁ ନିଯୁକ୍ତି ମିଳୁଥିବା ବେଳେ ସ୍ଥାନୀୟ ଜମିହରାଙ୍କୁ କେହି ପଚାରୁ ନାହାନ୍ତି। ବାରମ୍ବାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ତହସିଲଦାରଙ୍କୁ ନେଇ ବୈଠକ ଆୟୋଜନ କରାଯାଉଛି। ମାତ୍ର ପରବର୍ତ୍ତୀ ଅବସ୍ଥାରେ ଏହାକୁ କାର୍ଯ୍ୟକାରୀ କରାଯାଉ ନାହିଁ। ଏହାର ପ୍ରତିବାଦରେ ଗଣତାନ୍ତ୍ରିକ ଧାରାରେ ନିୟମ ଅନୁଯାୟୀ ବିରୋଧ ପ୍ରଦର୍ଶନ କରୁଥିଲେ ମଧ୍ୟ ପୁଲିସ ଜୋରଜବରଦସ୍ତ ଆଜି ଭୋର୍ ସମୟରୁ ୫୫ ଜଣଙ୍କୁ ଉଠାଇ ନେଇଛି।

ଏହାକୁ ବିରୋଧ କରି ଧାରଣାରେ ବସିଥିବା ପ୍ରାୟ ଦୁଇ ହଜାରରୁ ଅଧିକ ଆନ୍ଦୋଳନକାରୀ ଜୋରଜବରଦସ୍ତ ତୈଳ ବିଶୋଧନାଗାର ଫାଟକ ମଧ୍ୟକୁ ପ୍ରବେଶ କରିବାକୁ ପ୍ରୟାସ କରିଥିଲେ। ସେମାନଙ୍କ ମଧ୍ୟରେ ଛୋଟ ଛୋଟ ପିଲା ଓ ମହିଳା ଥିଲେ। ଫଳରେ ଆନ୍ଦୋଳନକାରୀମାନଙ୍କୁ ଅଟକାଇବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଫଳରେ ଧାରଣାସ୍ଥଳରୁ ତୈଳ ବିଶୋଧନାଗାର ଫାଟକ ପର୍ଯ୍ୟନ୍ତ ପୁଲିସ-ଆନ୍ଦୋଳକାରୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସୁରକ୍ଷା ଦୃଷ୍ଟି କୋଣରୁ ବିଶୋଧନାଗାର ଫାଟକକୁ ବନ୍ଦ କରି ଦିଆଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଆସନ୍ତା ୬ ତାରିଖରେ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ ପାରାଦୀପ ଆସୁଥିବାରୁ ଏଭଳି ପରିସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ି ଯାଇଛି।

ସମ୍ବନ୍ଧିତ ଖବର