୬ ରେଞ୍ଜରେ ପକ୍ଷୀ ଗଣନା ଆରମ୍ଭ, ଚଳିତବର୍ଷ ସଂଖ୍ୟା ବଢ଼ିଛି

କୋରାପୁଟକୁ ଆସିଛନ୍ତି ୨୩୫୧ ପକ୍ଷୀ

କୋରାପୁଟ: କୋରାପୁଟ ଜିଲ୍ଲାର ୬ ରେଞ୍ଜରେ ବୁଧବାରଠାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଜିଲ୍ଲାର କୋଲାବ ଜଳଭଣ୍ଡାର, ମାଛକୁଣ୍ଡ ଜଳଭଣ୍ଡାର, କେଚଲା, ଦାମନଯୋଡି ଆସପଣ୍ଡ, ବାଘରା, ମାଳି ଡଙ୍ଗରି ରାଣିଗଡ ଆଦି ଫରେଷ୍ଟ ଡିଭିଜନରେ ଗଣନା ଚାଲିଛି। କୋରାପୁଟ ବନାଂଚଳ ଅଧୀନ ୬ ରେଞ୍ଜରେ କାମେରୁନ,  ଲାପଇଙ୍ଗ,  ରେଡସେଲ ଡକ, ଲିଟିଲ ଏଗ୍ରିଗେଟ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଛି। ଚଳିତବର୍ଷ କୋରାପୁଟକୁ ଆସିଛନ୍ତି ୨୩୫୧ଟି ପକ୍ଷୀ।

ଅତ୍ୟନ୍ତ ଥଣ୍ଡା ଓ ଖାଦ୍ୟାଭାବ ଯୋଗୁଁ ଏଠାକାର ଜଳାଶୟକୁ ସୁଦୂର ସାଇବେରିଆରୁ ପ୍ରତିବର୍ଷ ହଜାର ହଜାର ମାଇଲ ବାଟ ଅତିକ୍ରମ କରି ବିଦେଶୀ ପକ୍ଷୀ ଆସୁଛନ୍ତି। ଉପରୋକ୍ତ ଅଞ୍ଚଳରେ ପ୍ରଚୁର ଖାଦ୍ୟ ଓ କମ୍‌ ଥଣ୍ଡା ଯୋଗୁ ପକ୍ଷୀମାନେ କୋରାପୁଟ ଜିଲ୍ଲାର ଅନେକ ଜଳାଶୟରେ ପଇଁତରା ମାରୁଛନ୍ତି। ଏହି ପକ୍ଷୀମାନଙ୍କର ସଂରକ୍ଷଣ, ସେମାନଙ୍କ ପ୍ରଜାତି ଚିହ୍ନଟ ଓ ଗତିବିଧି ଜାଣିବା ପାଇଁ କିଛି ବର୍ଷ ହେଲା ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । କିଛି ବିଦେଶୀ ପକ୍ଷୀ ବର୍ତ୍ତମାନ ସୁଧା ଆସି ନ ଥିବାବେଳେ ଜାନୁଆରୀ ଶେଷ ସପ୍ତାହ ଆଡକୁ ଆସିବା ଆଶଙ୍କା କରାଯାଉଛି। ଗତବର୍ଷ ମୋଟ ୧୨୦୩ ପକ୍ଷୀ ଗଣନା କରାଯାଇଥିବା ବେଳେ ଏବର୍ଷ ତାହା ବଢିଛି । ଦେଶୀ ପକ୍ଷୀମାନଙ୍କ ମଧ୍ୟରେ ପାଣି କାଉ, ବଗ, କାଉ, ବାଈ ଚଢେଇ, ବଣି ଓ ମାଛରଙ୍କା ଆଦି ପକ୍ଷୀ ମଧ୍ୟ ଦେଖା ଯାଇଛି ।

ଗତ ବର୍ଷ ହଂସରାଳୀ ୫୮୩ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ୧୩୯୮ ଚିହ୍ନଟ ହୋଇଛି । ଉପଯୁକ୍ତ ଜଳବାୟୁ ଓ ଥଣ୍ଡା ଯୋଗୁଁ ପକ୍ଷୀ ସଂଖ୍ୟା ବଢିଥିବା କୋରାପୁଟ ବନଖଣ୍ଡ ରେଂଜର ରୋହିତ କୁମାର କହିଛନ୍ତି। ଏହି ପକ୍ଷୀ ଗଣନାରେ ଏସିଏଫ ଏ.ଉମା ମହେଶ,ରେଂଜର ରୋହିତ କୁମାର, ଫରେଷ୍ଟର ଗୌତମ ବେନିଆ, ସୁନିଲ ପାଢୀ, ଫରେଷ୍ଟ ଗାର୍ଡ ମନୋଜ ମହାରଣା ଏବଂ ସ୍କ୍ବାର୍ଡ ଟିମରେ ଲକ୍ଷବଚ୍ଛ ନାୟକ, କମଳ ଲୋଚନ ମୁଦୁଲି, କାର୍ତ୍ତିକ ମାଳି, ମୁନା ନନ୍ଦିବାଲିଙ୍କ ସମେତ ବନବିଭାଗ ଅଧିକାରୀ , ବନପାଳ, ପକ୍ଷୀ ଗବେଷକ ନିୟୋଜିତ ହୋଇ ପକ୍ଷୀମାନଙ୍କର ରେକର୍ଡ କରିଛନ୍ତି।

ସମ୍ବନ୍ଧିତ ଖବର