ଚୋର ଧରାଇଲା ବିଲେଇ!

ଭଣ୍ଡାରିପୋଖରୀ-୧: ଚୋରକୁ ବିଲେଇ ଧରାପକାଇଛି! କଥାଟା ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ଏହା କୁଆଡ଼େ ସତ। ଭଦ୍ରକ ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ଆକୁଲିକଣା ଗାଁ’ର ଧୀରେନ୍ଦ୍ର ସାମଲ ତାଙ୍କ ପୋଖରୀରେ ମାଛ ଚାଷ କରିଛନ୍ତି।

ଗତ ଶନିବାର ଦିନ ରାତି ପ୍ରାୟ ୧୧ଟା ୪୦ ମିନିଟ୍ ସମୟରେ କେହି ବ୍ୟକ୍ତି ପୋଖରୀରେ ଜାଲ ପକାଇ ମାଛ ଚୋରି କରୁଥିଲେ। ସେ ଧରିଥିବା ମାଛ ପୋଖରୀ ଆଡ଼ିରେ ରଖିଥିଲେ। ଏହି ସମୟରେ ଏକ ବିଲେଇ ମାଛକୁ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲା। ଫଳରେ ବ୍ୟକ୍ତି ଜଣକ ବିଲେଇକୁ ଘଉଡ଼ାଇବାକୁ ଦୌଡ଼ିଥିଲେ ଓ ଲାଗିଥିବା ସିସିଟିଭି କ୍ୟାମେରା ଆଗକୁ ଚାଲିଆସିଥିଲେ। ବ୍ୟକ୍ତି ଜଣକ ମାଛ ସହ ସେଠାରେ ଲାଗିଥିବା ଗଛରୁ କଦଳୀ ଓ ଅମୃତଭଣ୍ଡା ନେଇଯାଇଥିଲେ। ସିସିଟିଭି ଭିଡିଓ ଆଧାରରେ ପୋଖରୀ ମାଲିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଫଳରେ ପୁଲିସ ଜଣେ ଯୁବକଙ୍କୁ ଥାନା ଆଣି ପଚରାଉଚରା କରିଥିଲା। ତେ‌ବେ ଘଟଣାକୁ ୫ ଦିନ ବିତିଯାଇଥିଲେ ସୁଦ୍ଧା କେହି ଗିରଫ ହୋଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର