ଆଜି ସୃଷ୍ଟି ହେବ ଲଘୁଚାପ: ରାଜ୍ୟରେ ୨ ଦିନ ପ୍ରବଳ ବର୍ଷା

ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆର୍‌ସି

ଭୁବନେଶ୍ବର: ରାଜ୍ୟରେ ଧୀରେଧୀରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି। ଫଳରେ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ହେଉଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ରହିଥିବା ଏକ ଘୂର୍ଣ୍ଣବଳୟ ସମୁଦ୍ର ପତ୍ତନଠାରୁ ୩.୧ କମି ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି ଏବଂ ଏହା ଦକ୍ଷିଣ ଆଡ଼କୁ ଢଳି ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଫଳରେ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ ଓ ମୌସୁମୀ ସକ୍ରିୟ ହେବ। ଅନ୍ୟପଟେ ମୌସୁମୀ ଟ୍ରଫ୍‌ର ପୂର୍ବଭାଗ ଏବେ ଊତ୍ତରପ୍ରଦେଶ, ବିହାର ହୋଇ ଉତ୍ତର ବଙ୍ଗୋପସାଗର ଯାଏ ଲମ୍ବିଛି। ଏହା ଫଳରେ ରାଜ୍ୟରେ ଆସନ୍ତା ୩୦ ତାରିଖ ଯାଏ ବର୍ଷା ଲାଗି ରହିବ। ଏଣୁ ଏ ନେଇ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନ୍‌ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିସହ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନା‌ଳ ଓ ବୌଦ୍ଧ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିସହ ୨୯ ତାରିଖ ଦିନ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩୦ ତାରିଖରୁ ବର୍ଷାର ପରିମାଣ କମିବ। କିନ୍ତୁ ମୌସୁମୀର ସକ୍ରିୟ ସ୍ଥିତି ଯୋଗୁଁ ରାଜ୍ୟରେ ବର୍ଷା ପାଇଁ ଅନୁକୂଳ ବାତାବରଣ କହିବ।

କେନ୍ଦ୍ର କହିଛି, ୧ ଜୁନ୍‌ରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ପାଖାପାଖି ୬୧୧.୧ ମିମି ବର୍ଷା ହୋଇଯାଇଛି। ଏହି ଅବଧି ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୮୮୧.୯ ମିମି ବର୍ଷା ହୋଇଥାଏ। ଅର୍ଥାତ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୧% ନିଅଣ୍ଟିଆ ବର୍ଷା ହୋଇଛି। କୋରାପୁଟ, ମାଲକାନଗିରି, ଖୋର୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ଅବଶିଷ୍ଟ ୨୫ ଜିଲ୍ଲାରେ ଅଭାବୀ ବର୍ଷା ହୋଇଛି। ଅନୁଗୁଳ, ଭଦ୍ରକ, ବଲାଙ୍ଗୀର, ଗଜପତି, ଯାଜପୁର, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି। ଅଭାବୀ ବର୍ଷା ସ୍ଥିତି ଅଗଷ୍ଟରେ ମୌସୁମୀ-ବିରତି ସ୍ଥିତି ଯୋଗୁଁ ହିଁ ‌ସୃଷ୍ଟି ହୋଇଛି। ୧ ଅଗଷ୍ଟରୁ ୨୭ ଅଗଷ୍ଟ ମଧ୍ୟରେ ରାଜ୍ୟରେ ସର୍ବମୋଟ୍‌ ୧୫୪.୮ମିମି ବର୍ଷା ହୋଇଛି। ଯାହାକି ସ୍ବାଭାବିକଠାରୁ ୫୪% କମ୍‌। କିନ୍ତୁ ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ହୋଇଥିବାରୁ ସେପ୍ଟେମ୍ବରରେ ଭଲ ବର୍ଷା ହେବାର ଆଶା ରହିଛି। ଫଳରେ ଏହି ଅଭାବୀ ବର୍ଷା ସ୍ଥିତି ସେପ୍ଟେମ୍ବରରେ ଭରଣା ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର