ବଜାରକୁ ଆସୁଥିଲେ: ଦ୍ରୁତଗାମୀ ଟ୍ରକ୍‌ ଚଢ଼ିଯିବାରୁ ୨ଭାଇଙ୍କ ସମେତ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ବ୍ୟାସନଗର: ଯାଜପୁରରୋଡରେ ଶନିବାର ଅପରାହ୍‌ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜିନିଷପତ୍ର କିଣିବା ପାଇଁ ଏକ ବାଇକ୍‌ରେ ବଜାରକୁ ଆସୁଥିବା ୩ଜଣ ଲୋକଙ୍କ ଉପରେ ଦ୍ରୁତଗାମୀ ଟ୍ରକ୍ ମାଡ଼ିଯାଇଛି। ଫଳରେ ସେମାନଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଚକ୍ରଧର ସାଇଁଆ ୨୮), ଟାଙ୍ଗିରିଆପାଳ ଗାଁର ୨ ଭାଇ ଅନିଲ ହାଁସଦା (୨୯) ଓ ସୁନୀଲ ହାଁସଦା (୧୭)।

ସୂଚନା ଅନୁସାରେ ଡୁବୁରି ଅଞ୍ଚଳର ସୁଆଁଳ ଗାଁର ଚକ୍ରଧର ସାଇଁଆଙ୍କ ସହିତ ଟାଙ୍ଗିରିଆପାଳ ଗାଁର ୨ ଭାଇ ଅନିଲ ହାଁସଦା ଓ ସୁନୀଲ ହାଁସଦା ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୧୨ଟାରେ ଯାଜପୁର ବଜାରକୁ ଜିନିଷପତ୍ର କିଣିବାକୁ ଆସୁଥିଲେ। କଳିଙ୍ଗନଗର ଥାନା ଜିନ୍ଦଲ ମୁଖ୍ୟ ‌ଫାଟକ ସମ୍ମୁଖରେ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଭାରସାମ୍ୟ ହରାଇ ବାଇକ୍‌ ଆରୋହୀଙ୍କ ଉପରକୁ ଏକ ଦ୍ରୁତଗାମୀ ଟ୍ରକ୍‌ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଅନ୍ୟ ଜଣେ ଗୁରୁତରଙ୍କୁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ‌ଘୋଷଣା କରିଥିଲେ।

ତେବେ ଏହି ସଡ଼କ ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କର ଉତ୍ତେଜନା ଦେଖାଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ପୁଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଅନ୍ୟପଟରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଫେରାର ଅଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରିଛି।

କଳିଙ୍ଗନଗର ଅଞ୍ଚଳରେ ଲଗାମ ବିହୀନ ଯାନବାହନ ଚଳାଚଳ ପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଗତ କିଛି ମାସ ପୂର୍ବରୁ ଏହିଭଳି ଏକ ଦୁର୍ଘଟଣା ଘଟିଥିଲା। ଜଖପୁରା ଥାନା ଅଧିନ  ବିଜୁ ପଟ୍ଟପଟ୍ଟନାୟକ ମାର୍ଗରେ ଜଣେ ବାଇକ୍‌ ଆରୋହୀଙ୍କୁ ଟ୍ରକ ଚାପିଦେଇଥିଲା।

ସମ୍ବନ୍ଧିତ ଖବର