ଟ୍ରେନ୍ ଧକ୍କାରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ

ବ୍ରହ୍ମପୁର: ବ୍ରହ୍ମପୁର ଜିଆର୍‌ପି ଥାନା ଅନ୍ତର୍ଗତ ହଳଦିଆପଦର ଗାଁ ଲେବଲ୍ କ୍ରସିଂ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ ଧକ୍କାରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଜିଆର୍‌ପି ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପରିବାରବର୍ଗ ଆସିବା ପରେ ସେମାନଙ୍କୁ ମରଶରୀରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଗତ ପ୍ରାୟ ୧୫/୨୦ଦିନ ତଳେ ବିଳାସପୁର ଅଞ୍ଚଳର କିଛି ଶ୍ରମିକ କାମ କରିବା ପାଇଁ ବ୍ରହ୍ମପୁର ଆସିଥିଲେ। ଶ୍ରମିକମାନେ ହଳଦିଆପଦର ବସ୍ ଟର୍ମିନସ୍ ନିକଟରେ ତିଆରି ଚାଲିଥିବା ଓଭର୍‌ବ୍ରିଜ୍‌ରେ କାମ କରୁଥିଲେ। ଗତକାଲି ରାତିରେ ୭ଜଣ ଶ୍ରମିକ କାହାକୁ କିଛି ନଜଣାଇ ଘରକୁ ଯିବା ପାଇଁ ବାହାରିଥିଲେ। ସେମାନେ ରେଳଧାରଣାରେ ଚାଲିଚାଲି ଷ୍ଟେସନ୍ ଅଭିମୁଖେ ଯାଉଥିଲେ। ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବିଶାଖାପାଟଣା-ଟାଟା ସ୍ପେସାଲ୍ ଏକ୍ସପ୍ରେସ୍ ଶ୍ରମିକଙ୍କୁ ଧକ୍କା ଦେଇଥିଲା। ଏଥିରେ ୩ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ବିଳମ୍ବିତ ରାତିରେ ଏହି ଘଟଣା ଜଣାପଡ଼ିଥିଲା। ଜିଆର୍‌ପି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା।

ଘଟଣାସ୍ଥଳରୁ ମିଳିଥିବା ଏକ ମୋବାଇଲ୍ ଫୋନ୍‌ରେ ମୃତକଙ୍କ ପରିବାର ବର୍ଗଙ୍କୁ ଯୋଗାଯୋଗ କରିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି। ରେଳ ଧାରଣାରେ ଚାଲିଚାଲି ଯିବା ସମୟରେ ଅସାବଧାନତା ଯୋଗୁଁ ଟ୍ରେନ୍ ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଛି। ଏ ନେଇ ଜିଆର୍‌ପି କେସ୍ ନମ୍ବର ୪୯/୨୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର