ସାତକୋଶିଆରେ ପୁଣି ବାଘ ହତ୍ୟା!

ଅନୁଗୁଳ : ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ପୁଣି ଫାଶ ପକାଇ ଏକ କଲରାପତରିଆ ବାଘକୁ ହତ୍ୟା କରାଯାଇଛି। ବାଘର ମଲାଦେହ ସହ ଶିକାରୀମାନେ ଉଠାଇଥିବା ଫଟୋରୁ ଏ ଘଟଣା ପ୍ରଘଟ ହୋଇଛି। ଘଟଣା ପଦାକୁ ଆସିବା ପରେ ସାତକୋଶିଆ କର୍ତୃପକ୍ଷ ରାତାରାତି ଚଢ଼ଉ କରି ୩ ଜଣଙ୍କୁ ଅଟକ ରଖିଛନ୍ତି। ତା ସହିତ ଏକ ସ୍କୁଟି ଏବଂ ମୋବାଇଲ୍ ମଧ୍ୟ ଜବତ ହୋଇଛି। କିନ୍ତୁ, ମୋବାଇଲ୍‌ ଫଟୋ ବାଘ ଶିକାର ଘଟଣାକୁ ଯଦିଓ ପ୍ରମାଣ କରୁଛି, କିନ୍ତୁ ବାଘର ମୃତଦେହ ଏଯାବତ୍‌ ଠାବ ହୋଇନାହିଁ। ଶିକାରୀମାନେ ବାଘର ଛାଲ୍ ଏବଂ ନଖ ଆଦି କୁଆଡ଼େ ଲୁଚାଇଲେ? ତାର ବି କୌଣସି ପତ୍ତା ମିଳିନାହିଁ। ବର୍ଷକ ତଳେ ଏ ବାଘକୁ ଶିକାର କରାଯାଇଥିବା ଫଟୋ ବୟାନ କରୁଛି। ଜଣେ ମହିଳା ସମେତ ମୋଟ୍ ୩ ଜଣଙ୍କୁ ବନ ବିଭାଗ ଏ ସଂକ୍ରାନ୍ତରେ ଜେରା ଜାରି ରଖିଥିବା ବିଶ୍ବସ୍ତ ସୂତ୍ରରୁ ସ୍ପଷ୍ଟ ହୋଇଛି।

ଫାଶ ପକାଇ ବାଘକୁ ମାରିଥିଲେ
ମୋବାଇଲ୍ ଫଟୋରୁ ପଦାକୁ ଆସିଲା ସତ
ସ୍କୁଟି, ମୋବାଇଲ୍ ଜବତ, ତିନି ଜଣଙ୍କୁ ଚାଲିଛି ଜେରା

ସୂତ୍ର ମୁତାବକ, ଗତ ବୁଧବାର ରାତିରେ ସାତକୋଶିଆ କର୍ତୃପକ୍ଷ ଏ ଘଟଣାର ଆଭାସ ପାଇଥିଲେ। ଅଭୟାରଣ୍ୟର ମଝିପଡ଼ା ଏବଂ କୁମୁରୀ ଗାଁ ଅଞ୍ଚଳରୁ ବାଘ ମୃତଦେହ ସହିତ ଶିକାରୀଙ୍କ ଫଟୋ କୌଣସି ପ୍ରକାରରେ ବନ ବିଭାଗ ହାତରେ ପଡ଼ିଥିଲେ। ଫଟୋରେ ବାଘଟି ମରି ପଡ଼ିଥିଲା। ସମ୍ଭବତଃ ତାକୁ ସେଠି ଶିକାର କରାଯାଇଥିଲା। ତା ପାଖରେ ରହି ଶିକାରୀମାନେ ଫଟୋ ଉଠାଇଥିଲେ। ଫଟୋରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ରାତାରାତି ବନ ବିଭାଗ ମଝିପଡ଼ା ଓ କୁମୁରୀ ଗାଁରେ ଚଢ଼ଉ କରିଥିଲା। ଯେଉଁ ମୋବାଇଲ୍‌ରେ ବାଘର ଫଟୋ ଉଠା ଯାଇଥିଲା ତାହା ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସାତକୋଶିଆ ଡିଏଫ୍ଓ ଡ. ସରୋଜ ପଣ୍ଡାଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲା। କିନ୍ତୁ, ତାଙ୍କର ମୋବାଇଲ୍ ନ ଲାଗିବାରୁ ତାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ।

ଦୁଇ ମାସ ତଳେ ଚକିତ କଲାଭଳି ସାତକୋଶିଆରେ ବାଘ ଶିକାର ଘଟଣା ପଦାକୁ ଆସିଥିଲା। ପମ୍ପାସର ରେଞ୍ଜ୍‌ କୁଲାଙ୍ଗୀ ଗାଁ ନିକଟରେ ସ୍ଥାନୀୟ ଲୋକେ ଏକକାଳୀନ ଦୁଇ ଦୁଇଟା କଲରାପତରିଆ ବାଘକୁ ମାରି ପକାଇ ଦେଇଥିଲେ। ଏ ଘଟଣାର ଦୁଇ ମାସ ପରେ ପୁଣି ବାଘ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ ସାତକୋଶିଆ ଅଭୟାରଣ୍ୟର ବିପଜ୍ଜନକ ଆଭ୍ୟନ୍ତରୀଣ ଚିତ୍ରକୁ ଦେଖାଇ ଦେଉଛି। ବର୍ଷକ ତଳେ ବାଘକୁ ହତ୍ୟା କରାଯାଇଥିଲା। କିନ୍ତୁ, ବନ ବିଭାଗ ତାର ଟେର୍‌ ପାଇ ପାରି ନଥିଲା। ଏଥିରୁ ସାତକୋଶିଆ କର୍ତୃପକ୍ଷଙ୍କର ପାରିବାପଣିଆ ଉପରେ କେବଳ ପ୍ରଶ୍ନଠିଆ କରୁନାହିଁ, ବରଂ ଏତେ ବଡ଼ ଜଙ୍ଗଲରେ ଆହୁରି କିଏ କେତେ ଯେ ବାଘକୁ ହତ୍ୟା କରି ନଥିବ ତାହାକୁ ନେଇ ସନ୍ଦେହ ଉପୁଜିଛି।

ସମ୍ବନ୍ଧିତ ଖବର