ସମ୍ବଲପୁର: ରାତି ପାହିଲେ ନୂଆଁଖାଇ। ସମଗ୍ର ପଶ୍ଚିମ ଓଡ଼ିଶା ହୋଇ ଉଠିଛି ଉତ୍ସବମୁଖର। ସବୁ ପରିବାରରେ ଏହି ଗଣପର୍ବ ପାଇଁ ଚାଲିଛି ଜୋର୍ସୋର୍ରେ ପ୍ରସ୍ତୁତି। ବାହାରେ କାମ କରୁଥିବା ଲୋକେ, ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ନିଜ ନିଜ ଘରେ ଆସି ପହଞ୍ଚିଛନ୍ତି। ସେଥିପାଇଁ ଗତ କିଛିଦିନ ହେଲା ପଶ୍ଚିମ ଓଡ଼ିଶାର ବିଭିନ୍ନ ରେଳ ଷ୍ଟେସନ୍, ବସ୍ଷ୍ଟାଣ୍ଡରେ ଘରବାହୁଡ଼ା ଲୋକଙ୍କ ଗହଳି ଲାଗି ରହିଥିଲା। ଭିନେ ହୋଇ ରହୁଥିବା ଭାଇ ମାନଙ୍କ ପରିବାର ମାନେ ଗୋଟିଏ ଘରେ ଏକାଠି ହେଲେଣି। ସବୁ ଘରେ ଉତ୍ସବର ଉଷ୍ମତା। ଏହି ଉଷ୍ମତା ଘରୁ ବାହାରି ରାସ୍ତାଘାଟ, ଦୋକାନ ବଜାରକୁ ବ୍ୟାପିଛି। ଲୋକେ କିଣାବିକା, ପୂଜାପାଠ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମନୋରଂଜନର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। କୃଷି କାର୍ଯ୍ୟରେ ଦିନକୁ ଦିନ ସୃଷ୍ଟି ହେଉଥିବା ନୂଆନୂଆ ଜଟିଳତା, ବିଳମ୍ବ ବର୍ଷା, ବନ୍ୟା, ଅଭାବ, ଅସୁବିଧା, ଓ ଦରଦାମ ବୃଦ୍ଧି ଭଳି ସମସ୍ୟା ଚାଷୀ ପରିବାରରେ କୃଷିଭିତ୍ତିକ ପର୍ବ ନୂଆଁଖାଇର ଉତ୍ସାହକୁ ହ୍ରାସ କରିପାରି ନାହିଁ। ସବୁ ବାଧାବିଘ୍ନ ସତ୍ତ୍ବେ ପଶ୍ଚିମ ଓଡ଼ିଶାର ଘରେଘରେ ନୂଆଁଖାଇ ପାଇଁ ଜୋରସୋର୍ରେ ପ୍ରସ୍ତୁତି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
୧ ତାରିଖ ଗୁରୁବାର ପୂର୍ବାହ୍ନ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ତୁଳା ଲଗ୍ନେ ମିଥୁନ ନବାଂଶେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଜଗତ୍ଜନନୀ ମାଆ ସମଲେଶ୍ବରୀଙ୍କଠାରେ ନବାନ୍ନ ଭୋଗ ଲାଗି ହେବ। ସେହିପରି ପାଟଣାଗଡ଼ରେ ମାଆ ପାଟଣେଶ୍ବରୀ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ସାରଂଗଡ଼ରେ ମାଆ ସମଲେଶ୍ବରୀ, ସୋନପୁରରେ ମାଆ ସୁରେଶ୍ବରୀଙ୍କ ଠାରେ ପୂର୍ବ ନିର୍ଧାରିତ ଲଗ୍ନ ଅନୁଯାୟୀ ନୂଆ ଚାଉଳରେ ପ୍ରସ୍ତୁତ ଭୋଗ ଲଗାଯିବ। ସମସ୍ତ ସହର ଓ ଗାଁରେ ସେଠାକାର ଅଧିଷ୍ଠିତ ଦେବାଦେବୀଙ୍କୁ ପ୍ରଥମେ ନବାନ୍ନ ଭୋଗ ଲାଗି କରାଯିବ। ଏହା ପରେ ପ୍ରତି ପରିବାରରେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କୁ ନୂଆ ଭୋଗ ଲଗାଇବେ। ଚାଷୀମାନେ ନିଜ କ୍ଷେତକୁ ଯାଇ ପୂଜା କରିବେ। ଏହାପରେ ପରିବାରର ସବୁ ସଦସ୍ୟ ଏକାଠି ବସି ନୂଆଁ ଅନ୍ନ ଖାଇବାର ପରମ୍ପରା ରହିଛି। ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ସମସ୍ତ ଗାଁ, ସହରର ଦୋକାନ ବଜାରରେ ପ୍ରବଳ ଭିଡ଼ ଲାଗିଛି। ପନିପରିବା, ଫଳମୂଳଠାରୁ ଆରମ୍ଭ କରି ଶାଢ଼ି ଓ ପୋଷାକ ଦୋକାନୀ ପର୍ଯ୍ୟନ୍ତ କାହାରିକୁ ଫୁର୍ସତ୍ ନାହିଁ। ଲୋକେ ପୂରା ଦମ୍ରେ କିଣାକିଣିରେ ଲାଗିଛନ୍ତି। ରନ୍ଧାବଢ଼ା ନୂଆଁଖାଇ ପର୍ବର ଏକ ପ୍ରମୁଖ ଅ˚ଶ। ନୂଆଁଖାଇ ଦିନ ପ୍ରତି ଘରେ ଘାଣ୍ଟ ତରକାରୀ, ଆମ୍ବିଳ ସମେତ ଛତିଅଣ ନଭଜା ପ୍ରସ୍ତୁତ ହୁଏ। ତେଣୁ ନୂଆଁଖାଇ ପାଳନ ପାଇଁ ବହୁ ପ୍ରକାର ପନିପରିବା ଆବଶ୍ୟକ ହୁଏ। ସେହି କାରଣରୁ ପଶ୍ଚିମ ଓଡ଼ିଶାର ସବୁ ସ୍ଥାନରେ ପରିବା ଦର ଆକାଶଛୁଆଁ ହୋଇଛି। ନିତ୍ୟ ବ୍ୟବହାର୍ଯ୍ୟ ସାଧାରଣ ପନିପରିବା ବ୍ୟତୀତ ସାରୁ, ସାରୁ ଶାଗ, ନୂଆ ଧାନ, କୁରେ ପତ୍ର, କରଡ଼ି ଇତ୍ୟାଦି ନୂଆଁଖାଇ ପାଇଁ ଆବଶ୍ୟକ ହୁଏ। ପୂର୍ବରୁ ଲୋକେ ନିଜେ ଏସବୁ ସ˚ଗ୍ରହ କରୁଥିଲାବେଳେ ଏବେ ସହରର ବଜାର ଗୁଡ଼ିକରେ ଏହା ସହଜରେ ମିଳି ଯାଉଛି। ତେବେ ଗ୍ରାମାଞ୍ଚଳରେ ଏବେ ବି ନୂଆଁଖାଇ ପାଇଁ ଶୀଘ୍ର ଅମଳ ହେଉଥିବା ଧାନ, ସାରୁ, ପନିପରିବା ଆଦି ଘରେ ଘରେ ଚାଷ କରାଯାଉଛି।
ନୂଆଁଖାଇ ସରିବା ପରେ ନିଜଠୁ ବଡ଼ ଲୋକଙ୍କୁ ଜୁହାର୍ ଭେଟ୍ (ପ୍ରଣାମ) ହୋଇ ଆଶୀର୍ବାଦ ନେବାର ଏକ ସ୍ବତନ୍ତ୍ର ଓ ନିଆରା ପର˚ପରା ରହିଛି। ଏହା ବେଶ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥାଏ। ନୂଆଁଖାଇ ସାରିବା ପରେ ଦେବାଦେବୀଙ୍କ ମନ୍ଦିର ଯାଇ ଦର୍ଶନ କରିବାର ମଧୢ ପର˚ପରା ରହିଛି। ତେଣୁ ଗୁରୁବାର ଅପରାହ୍ଣରୁ ମନ୍ଦିର ଗୁଡ଼ିକରେ ଭିଡ଼ ଆରମ୍ଭ ହୋଇଯିବ। ସ˚ଧ୍ୟାରେ ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟ୍ଘାଟ ଓ ସା˚ସ୍କୃତିକ କାର୍ଯ୍ୟକ୍ରମ ରହିଛି। ସମ୍ବଲପୁରରେ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଅନ୍ୟ ସହର ଗୁଡ଼ିକରେ ମଧ୍ୟ ସେଠାକାର ବିଭିନ୍ନ ସଂଗଠନ ପକ୍ଷରୁ ନୂଆଁଖାଇ ଭେଟ୍ଘାଟ ଅନୁଷ୍ଠିତ ହେବ। ଏଥର ନୂଆଁଖାଇ ପରଦିନ ବି ସ୍କୁଲ୍, କଲେଜ୍, ସରକାରୀ କାର୍ଯ୍ୟାଳୟ ଛୁଟି ଘୋଷଣା ହୋଇଥିବାରୁ ବହୁ ଲୋକ ସେଦିନ ବୁଲାବୁଲି କରି ଉପଭୋଗ କରିବାକୁ ଯୋଜନା କରିଛନ୍ତି।