ଲୁଗା ଶୁଖା କାଳ ହେଲା : ବିଦ୍ୟୁତ୍‌ ଆଘାତରେ ଦୁଇ ଯା’ଙ୍କ ମୃତ୍ୟୁ

ଭୁବନେଶ୍ୱର : ବିଦ୍ୟୁତ ଆଘାତରେ ଦୁଇ ଯା’ଙ୍କ ମୃତ୍ୟୁ ଘଟଣା ବୁଧବାର ଅପରାହ୍ଣରେ ସ୍ଥାନୀୟ ୟୁନିଟ୍‌-୯ ଫ୍ଲାଟ୍‌ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଖୁସିରେ ଖିଆପିଆ ସାରି ଦୁଇ ଯା’ ଲୁଗା ସଫା କରୁଥିବା ବେଳେ ଘଟିଥିଲା ଏହି ଅଘଟଣ। ମୃତ ଦୁଇ ଯା’ ହେଲେ ପ୍ରମୋଦ ବେହେରାଙ୍କ ସ୍ତ୍ରୀ ପ୍ରତିମା (୩୫) ଓ ବୈକୁଣ୍ଠ ବେହେରାଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନାମୟୀ(୩୪)।

ପୁଲିସ ସୂଚନାନୁସାରେ ୟୁନିଟ୍‌-୯ସ୍ଥିତ ଏକ ଫ୍ଲାଟ୍‌ର ତଳ ମହଲାରେ ୨ଆର୍‌-ଏଏସ୍‌-୧/୨ କ୍ୱାର୍ଟର୍ସରେ ଦୁଇ ଭାଇ ପ୍ରମୋଦ ଓ ବୈକୁଣ୍ଠ ରହୁଛନ୍ତି। ଆଜି ଘରେ ମଧ୍ୟାହ୍ନ ଭୋଜନ ପରେ ଦୁଇ ଯା’ ମିଶି ବାଡ଼ିପଟେ ଲୁଗା ସଫା କରୁଥିଲେ। ବଡ଼ ଯା’ ପ୍ରତିମା ଲୁଗା ସଫା କରୁଥିବ ବେଳେ ସାନ ଯା’ ଜ୍ୟୋତ୍ସ୍ନା ସେଠାରେ ଟଣା ଯାଇଥିବା ଏକ ତାରରେ ଲୁଗା ଶୁଖାଉଥିଲେ। ହଠାତ୍‌ ଜ୍ୟୋତ୍ସ୍ନାଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା ଓ ସେ ତାରରେ ଲାଗି ଛଟପଟ ହୋଇଥିଲେ। ଏହା ଦେଖି ତାଙ୍କୁ ଉଦ୍ଧାର କରିବାକୁ ପ୍ରତିମା ଧାଇଁ ଯାଇ ଜ୍ୟୋତ୍ସ୍ନାଙ୍କ ହାତକୁ ଟାଣିବାକୁ ଚେଷ୍ଟା କରିଥିଲେ। ଫଳରେ ତାଙ୍କୁ ମଧ୍ୟ ବିଦ୍ୟୁତ୍‌ ଆଘାତ ଲାଗିଥିଲା। କିଛି ସମୟ ପାଇଁ ଦୁଇ ମହିଳା ତାରରେ ଲାଗି ରହିବା ପରେ ତଳେ ପଡ଼ି ଯାଇଥିଲେ। ଦୁଇ ଜଣ ତଳେ କଚାଡ଼ି ହୋଇ ପଡ଼ିବା ଶବ୍ଦ ଶୁଣି ପରିବାର ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ତୁରନ୍ତ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ଡାକ୍ତରମାନେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଲୁଗା ଶୁଖାଇବା ପାଇଁ ବାଡ଼ିପଟେ ଟଣା ହୋଇଥିବା ତାରଟି କୌଣସି କାରଣରୁ ଘରର ଆର୍ଥିଂ ତାର ସହ ସଂଲଗ୍ନ ହୋଇ ଯାଇଥିବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର