ବାଟ ଭାଙ୍ଗି କ୍ରୋମାଇଟ ପରିବହନ: ୨୭ ଟ୍ରକ ଜବତ

କାଳିଆପାଣି/ଆନନ୍ଦପୁର : ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅଧୀନ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣିରୁ କେନ୍ଦୁଝର ଜିଲ୍ଲା ସୋସୋ ମହାରାଜା ମିନେରାଲ୍ସ ପ୍ଲାଣ୍ଟ୍‌କୁ କ୍ରୋମ୍‌ ପରିବହନ ବାଟରେ ଗତକାଲି ରାତିରୁ ୨୭ଟି କ୍ରୋମାଇଟ୍‌ ବୋଝେଇ ଟ୍ରକ୍‌କୁ ଆନନ୍ଦପୁର ପୁଲିସ ଅଟକ ରଖିଛି। ଏହିସବୁ ଟ୍ରକ୍‌ ଖଣି ବିଭାଗର ନିର୍ଦ୍ଧାରିତ ପଥ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ସଂପୃକ୍ତ ଟ୍ରକ୍‌ ଓ ଡ୍ରାଇଭରଙ୍କ ଗତିବିଧିକୁ ନେଇ ସନ୍ଦେହ ହେବାରୁ ପୁଲିସ ପକ୍ଷରୁ ଏସବୁକୁ ଅଟକ ରଖାଯାଇଥିବା କୁହାଯାଇଛି। ଆନନ୍ଦପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କ ଠାରୁ ସୂଚନା ପାଇବା ପରେ ଯାଜପୁରରୋଡ଼ ସର୍କଲର ଖଣି ଉପନିର୍ଦ୍ଦେଶକ(ଡିଡିଏମ୍‌) ଇଂ ବିଭୂତି ଭୂଷଣ ବେହେରା ଓ କେନ୍ଦୁଝର ସର୍କଲ ଡିଡିଏମ୍‌ ଅସିତ କୁମାର ବେହେରାଙ୍କ ପକ୍ଷରୁ ଘଟଣାର ଖୋଳତାଡ଼ କରାଯାଉଛି।

ଗତକାଲି ଅପରାହ୍ଣରେ ଓଏମ୍‌ସି ଖଣିରୁ ସୋସୋର କ୍ରେତା ମହାରାଜା ମିନେରାଲ୍ସ କାରଖାନାକୁ ୨୭ ଟ୍ରିପ୍‌ କ୍ରୋମାଇଟ୍‌ ଟ୍ରାନ୍ସପୋର୍ଟର ସ୍ବାଇଁ ରୋଡ୍‌ ଲାଇନ୍‌ ଜରିଆରେ ପଠାଯାଇଥିଲା। ଦକ୍ଷିଣ କାଳିଆପାଣିରୁ ଟମକା ଓ ଡୁବୁରି ବାଟରେ ଯାଜପୁରରୋଡ଼ ପହଞ୍ଚିବା ପରେ ଏନ୍‌ଏଚ୍-୨୦ରେ ଘସିପୁରା ଓ ସେଠାରୁ ସୋସୋ ଯିବା ପାଇଁ ବିଭାଗୀୟ ନିର୍ଦ୍ଦେଶନାମା ରହିଥିଲା। କିନ୍ତୁ ଏସବୁ ଟ୍ରକ୍‌ ଟମକାରୁ ମନଇଛା ପଥ ପରିବର୍ତ୍ତନ କରି ବ୍ରାହ୍ମଣୀପାଳ-ରେମାଳ ଡ୍ୟାମ୍‌ ଜଙ୍ଗଲିଆ ରାସ୍ତାରେ ଯାଉଥିବା ପୁଲିସ ତଦନ୍ତରୁ ଧରାପଡ଼ିଥିଲା। ଏକକାଳୀନ ଏତେ ସଂଖ୍ୟକ ଟ୍ରକ୍‌ ପୁଲିସ ହାତରେ ଧରାପଡ଼ିବା ନେଇ ହଇଚଇ ସୃଷ୍ଟି ହୋଇଛି। ଏ ସଂପର୍କରେ ଓଏମ୍‌ସିର ବରିଷ୍ଠ ପରିବହନ ପ୍ରବନ୍ଧକ ଇଂ ନିଗମାନନ୍ଦ ସେଠୀଙ୍କୁ ଯୋଗାଯୋଗ କରାଯିବାରେ ଖଣିରେ କ୍ରୋମ୍‌ ବୋଝେଇ କରି ନିର୍ଦ୍ଧାରିତ କାଗଜପତ୍ର ଧରି ଖଣି ଫାଟକରୁ ବାହାରିବା ପରେ ଓଏମ୍‌ସିର ଦାୟିତ୍ବ ନଗଣ୍ୟ ରହିଥାଏ ବୋଲି କହନ୍ତି। ସେହିପରି ଏ କ୍ଷେତ୍ରରେ ପୁଲିସ ଠାରୁ ରିପୋର୍ଟ ମିଳିବା ପରେ ତଦନ୍ତ ଜାରି ରହିଥିବା ଏବଂ ଖୁବଶୀଘ୍ର ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି ଉଭୟ ଯାଜପୁରରୋଡ଼ ଓ କେନ୍ଦୁଝର ଡିଡିଏମ୍‌ ସ୍ପଷ୍ଟ ମତ ରଖିଛନ୍ତି। ଏନେଇ ଆନନ୍ଦପୁର ଥାନା ଅଧିକାରୀ ସୁଶାନ୍ତ ଦାଶ କହିଛନ୍ତି ଗାଡିଗୁଡିକ ଡୁବୁରୀ, ଯାଜପୁରରୋଡ଼ ଦେଇ ପରିବହନ କରାଯିବାକୁ ଟ୍ରାନଜିଟ୍ ପାସରେ ଉଲ୍ଲେଖ ରହିଛି। ତେବେ ଗାଡିଗୁଡିକ ବେଆଇନ୍ ଭାବେ ରାସ୍ତା ବଦଳାଇ ଆନନ୍ଦପୁର ଦେଇ ଯାଉଥିଲେ। ପରିବହନରେ ଚଞ୍ଚକତା କରାଯାଇଥିବାରୁ ଅଟକ ଗାଡ଼ି ସମ୍ପର୍କରେ କେନ୍ଦୁଝର ପରିବହନ ଅଧିକାରୀ ଓ ଡିଡିଏମ୍‌କୁ ଅବଗତ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କାଳିଆପାଣି କ୍ରୋମ୍‌ ଉପତ୍ୟକାରୁ କ୍ରୋମ୍‌ ଚୋରା ଚାଲାଣ ବଢ଼ିବାରେ ଲାଗିଛି। ଅନେକ ସମୟରେ ଟ୍ରକ୍‌ଗୁଡ଼ିକ ବାଟ ବଦଳାଇ କିଛି ଚୋରା ଡିପୋରେ କ୍ରୋମ୍‌ ଖଲାସ କରି ସମାନ ପରିମାଣର ମାଟି ମିଶାଉଥିବାର ଅନେକ ନଜିର ରହିଛି। ତେଣୁ ଏହି ୨୭ଟି ଟ୍ରକ୍‌ ରାସ୍ତା ବଦଳାଇ କାହିଁକି ଯାଉଥିଲେ ସେ ସଂପର୍କରେ ସଠିକ୍‌ ଖୋଳତାଡ଼ ହେଲେ ଏହି ରାକେଟ୍‌ର ଗୁମର ଖୋଲିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର