ଦନ୍ତାହାତୀ ‘ଡନ୍‌’ ଆକ୍ରମଣରେ ୨ ମୃତ

ଧମା/ଯୁଯୁମୁରା: ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ ଅନ୍ତର୍ଗତ କୁଢେନିଶା ଗାଁରେ ମଙ୍ଗଳବାର ରାତି ପ୍ରାୟ ୮ଟାରେ ଦନ୍ତାହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମ୍ବଲପୁର ଡାକ୍ତରଖାନାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ମୃତକଦ୍ବୟ ହେଲେ ଅତାବିରା ବ୍ଲକ ଜୁନେନ ଗାଁର ତେଲେଙ୍ଗା ଓରାମ (୫୨) ଓ ଜୟଲାଲ ମିର୍ଦ୍ଧା (୫୦)। ଖବରପାଇ ସଦର ରେଞ୍ଜର୍‌ ଅକ୍ଷୟ ମହାରଣା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ସୂଚନା ଅନୁଯାୟୀ ମୃତକ ଦ୍ବୟ ଏକ ଠିକାଦାର ସଂସ୍ଥା ପକ୍ଷରୁ କର୍ପୋରେସନ୍‌ର ବାଉଁଶ କଟାଳି ଭାବେ କାମ କରୁଥିଲେ। ସନ୍ଧ୍ୟାରେ କାମ ସାରି ଘରେ ଖାଇପିଇ ବିଶ୍ରାମ ନେଉଥିଲେ। ରାତି ପ୍ରାୟ ୮ଟାରେ ଦନ୍ତା ହାତୀ ‘ଡନ୍‌’ଜୁନେନ୍ ଗାଁରେ ପହଞ୍ଚି ଉତ୍ପାତ କରିଥିଲା। ଜୟଲାଲ ଓ ତେଲେଙ୍ଗା ଯେଉଁ ଘରେ ଶୋଇଥିଲେ ସେହି ଘର ଉପରେ ଦନ୍ତାଟି ହଠାତ୍‌ ଆକ୍ରମଣ କରି ଘରଟିକୁ ଭାଙ୍ଗିଦେଇଥିଲା। ସେଠାରେ ଦଳାଚକଟା କରି ହାତୀଟି ପଳାଇ ଯିବା ପରେ ଆଖପାଖ ଲୋକ ଭଙ୍ଗା ଘର ନିକଟରେ ପହଞ୍ଚିଥିଲେ। ସେତେବେଳକୁ ଘଟଣାସ୍ଥଳରେ ତେଲେଙ୍ଗାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଥିଲା। ଜୟଲାଲ ଗୁରୁତର ଆହତ ଥିବା ଜାଣିବା ପରେ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବରପାଇ ରେଞ୍ଜର୍‌ ଶ୍ରୀ ମହାରଣା ପହଞ୍ଚି ଜୟଲାଲଙ୍କୁ ସମ୍ବଲପୁର ସଦର ଡାକ୍ତରଖାନା ପଠାଇଥିଲେ। ସେଠାରେ ତାଙ୍କ ଅବସ୍ଥା ଉଦ୍‌ବେଗଜନକ ଥିବାରୁ ବୁର୍ଲା ସ୍ଥାନାନ୍ତର ଯୋଜନା କରାଯାଉଥିଲା। ତେବେ ଏହି ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣା ପୂର୍ବରୁ ଦନ୍ତାଟି ଆଉ ୨/୩ ଜଣଙ୍କ ଘର ଭାଙ୍ଗିଥିବା ଅଭିଯୋଗ ହେଉଛି। ଏହି ନିର୍ଦ୍ଦିଷ୍ଟ ଦନ୍ତାଟି ଝାଙ୍କରପାଲିର ଆଖପାଖ ଅଞ୍ଚଳରେ ଉତ୍ପାତ କରୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ବିଶେଷକରି ଆଜି ରାତିରେ ଘଟିଥିବା ଏହି ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ହାତୀକୁ ଘଉଡ଼ାଇବାରେ ବନ ବିଭାଗ ବିଫଳ ହେଉଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୃତକ ଦ୍ବୟଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହିତ ଯେଉଁମାନଙ୍କର ଘର ଭାଙ୍ଗିଛି ସେମାନଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି କରାଯାଇଛି। ବାରମ୍ବାର ଉତ୍ପାତ କରୁଥିବା ହାତୀକୁ ଦୂରକୁ ଘଉଡ଼ାଇବା କିମ୍ବା ଏହାର ସ୍ଥାୟୀ ସମାଧାନ କରିବାକୁ ଦାବି କରାଯାଇଛି। ଉକ୍ତ ଦନ୍ତା ହାତୀକୁ ଉତ୍ପାତରୁ ରକ୍ଷା କରିବା ପାଇଁ ମୁଣ୍ଢେର ଅଞ୍ଚଳବାସୀ ସୋମବାର ସମ୍ବଲପୁର ଡିଏଫ୍‌ଓ ଡ. ସଂଜିତ କୁମାରଙ୍କୁ ଭେଟି ଦାବି ଜଣାଇଥିଲେ। ସୂଚନା ଅନୁଯାୟୀ ଗତ ସପ୍ତାହକ ମଧ୍ୟରେ ହାତୀ ଆକ୍ରମଣରେ ଝାଙ୍କରପାଲି ସେକ୍ସନ୍‌ ଅନ୍ତର୍ଗତ ମୁଣ୍ଢେର ଅଞ୍ଚଳରେ ୧୫ରୁ ୨୦ ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି। ସେହି ରେଞ୍ଜର ବସିଆପଡ଼ା ସେକ୍‌ସନ୍‌ର ବିଭିନ୍ନ ଗାଁରେ ହାତୀଟି ବ୍ୟାପକ କ୍ଷୟକ୍ଷତି କରୁଛି। ଏହାକୁ ନେଇ ଗତ ୩ ମାସ ହେଲା ଲୋକମାନେ ଅତିଷ୍ଠ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର