ପୂଜାପାଠ ପାଇଁ ଶ୍ମଶାନକୁ ଡାକି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଭଣ୍ତବାବାଙ୍କୁ ଛେଚିଲେ ଗ୍ରାମବାସୀ

ବାସୁଦେବପୁର/ଇରମ : ଭଦ୍ରକ ଜିଲ୍ଲା ଚୂଡାମଣି ଥାନା ରାଧାନାଥପୁର ଗାଁରେ ଜଣେ ଭଣ୍ତବାବାଙ୍କୁ ଗ୍ରାମବାସୀ ବହେ ଛେଚିଛନ୍ତି। ପୂଜାର୍ଚ୍ଚନା ଆଳରେ ଭଣ୍ଡବାବା ଜଣେ ବିବାହିତା ମହିଳାଙ୍କୁ ଶ୍ମଶାନକୁ ଡାକି ସେଠାରେ ତାଙ୍କ ପ୍ରତି ଦୁଷ୍କର୍ମ ଉଦ୍ୟମ କରିବା ବେଳେ ଧରାପଡ଼ି ସାତବେଣ୍ଟିଆ ହୋଇଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଧାନାଥପୁର ଗ୍ରାମର କ୍ରିଷ୍ଣା ଜିତ୍‌ ଆଜିକୁ ୫ ବର୍ଷ ତଳେ ବିବାହ କରିଥିଲେ ମଧ୍ୟ ନିଃସନ୍ତାନ ଥିଲେ। ନିକଟରେ କିଷ୍ମତକୃଷ୍ଣପୁର ଗ୍ରାମର ଗୌରହରି ତଳା (୭୦) ନାମକ ଜଣେ ବାବାଙ୍କ ସଂସ୍ପର୍ଶରେ ଆସିଥିଲେ କ୍ରିଷ୍ଣାଙ୍କ ପରିବାର ଲୋକ। ସନ୍ତାନ ଲାଭ ପାଇଁ ପୂଜାପାଠ କରିବାକୁ ପଡ଼ିବ ବୋଲି ବାବା କହିବାରୁ ପରିବାର ଲୋକେ ତାଙ୍କ ପରାମର୍ଶ ଅନୁଯାୟୀ ସମସ୍ତ ପ୍ରସ୍ତୁତି ସହ ବାବାଙ୍କୁ ଡାକିଥିଲେ। ଗତକାଲି ରାତିରେ ବାବା କ୍ରିଷ୍ଣାଙ୍କ ଘରେ ପହଞ୍ଚି ପୂଜାପାଠ ଆରମ୍ଭ କରିଥିଲେ। ପୂଜା ସରୁ ସରୁ ରାତି ବଢ଼ିଥିଲା। ଏତିକିବେଳେ ବାବା କହିଥିଲେ ଶ୍ମଶାନରେ ସ୍ବତନ୍ତ୍ର ପୂଜା କରିବାକୁ ପଡ଼ିବ। ପରିବାର ମଧ୍ୟ ଏଥିରେ ହଁ ଭରିଥିଲେ। ସେଥିପାଇଁ ବିଳମ୍ବିତ ରାତିରେ ପୂଜା ସାମଗ୍ରୀ ନେଇ ପରିବାର ଲୋକେ ବାହାରିଥିଲେ ଶ୍ମଶାନ ଅଭିମୁଖେ। ମାତ୍ର ଶ୍ମଶାନ ପୂର୍ବରୁ ବାଟ ମଝିରେ ପରିବାର ଲୋକଙ୍କୁ ଅଟକାଇ ଦେଇଥିଲେ ଭଣ୍ଡବାବା ଗୌରହରି। କହିଥିଲେ, ପୂଜାସ୍ଥଳରେ କେବଳ ମୁଁ ଓ ସମ୍ପୃକ୍ତ ମହିଳା ରହିବେ। ତାଙ୍କ କଥା ଅନୁସାରେ ଶ୍ମଶାନରେ ପୂଜାପାଠ ଚାଲିଲା। ଏମିତିକି ସମ୍ପୃକ୍ତ ମହିଳାଙ୍କୁ ଉଲଗ୍ନ ହୋଇ ପୂଜାସ୍ଥଳରେ ବସିବାକୁ କହିଥିଲେ ବାବା। କିଛି ସମୟ ପରେ ଭଣ୍ତବାବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବାରୁ ସେ ଚିତ୍କାର କରିଥିଲେ। ଶ୍ମଶାନକୁ ଯିବା ବେଳେ ସାଙ୍ଗରେ ନେଇଥିବା ଏକ ଦାଆରେ ବାବାଙ୍କୁ ଆକ୍ରମଣ କରି ମୁକୁଳିଥିଲେ। ମହିଳାଙ୍କ ଚିତ୍କାର ଶୁଣି ଅଧାବାଟରେ ଜଗି ବସିଥିବା ପରିବାର ଲୋ‌କେ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ। ଘଟଣା ପ୍ରଘଟ ହେବା ପରେ ଗ୍ରାମବାସୀ ରୁଣ୍ତ ହୋଇ ବାବାଙ୍କୁ ନିସ୍ତୁକ ଛେଚିବା ସହିତ ବାନ୍ଧି ପକାଇଥିଲେ। ପରେ ପୁଲିସ ଘଟଣାସ୍ଥଳରୁ ବାବାଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଥାନା କେସ୍‌ ନଂ ୫୧/୧୯ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଭଣ୍ଡବାବାକୁ ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର