୧% ଧନୀଙ୍କ ସମ୍ପତ୍ତି ୯୩ କୋଟି, ଗରିବ ଭାରତୀୟଙ୍କ ସମ୍ପତ୍ତିର ୪ଗୁଣ

ମହିଳାମାନେ ଦିନକୁ ୩୨୬ କୋଟି ଘଣ୍ଟା ବିନା ଦରମାରେ କାମ କରନ୍ତି

ଭୁବନେଶ୍ବର : ଦେଶରେ ଆର୍ଥିକ ଅସମାନତାର ହାର ମାତ୍ରାଧିକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଦେଶର ଜନସଂଖ୍ୟା ୧୩୦ କୋଟିରୁ ଅଧିକ। ତେବେ ମାତ୍ର ୬୩ ଜଣ ଧନୀ ବ୍ୟକ୍ତି ନିକଟରେ ଠୁଳ ହୋଇଛି ୨୪ ଲକ୍ଷ ୪୨ ହଜାର ୨୦୦ କୋଟି ଟଙ୍କା। ଏହା ଭାରତର ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ୍‌ ରାଶିଠାରୁ ବି ଅଧିକ। ଅକ୍ସଫାମ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ ଏଭଳି ଆଖି ତରାଟିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଏପରିକି ଆମ ଦେଶର ୭୦ ପ୍ରତିଶତ ଗରିବ ଅର୍ଥାତ ୯୩ କୋଟି ୩୦ ଲକ୍ଷ ଲୋକଙ୍କ ନିକଟରେ ଯେତିକି ସମ୍ପତ୍ତି ରହିଛି ତାହାଠାରୁ ୪ ଗୁଣା ଅଧିକ ସମ୍ପତ୍ତି ୧ ପ୍ରତିଶତ ବିତ୍ତଶାଳୀ ବ୍ୟକ୍ତିଙ୍କ ପାଖେ ଠୁଳ ହୋଇଛି। ଆଜି ପ୍ରେସ୍‌ କ୍ଲବ୍‌ରେ ଅକ୍ସଫାମ ପକ୍ଷରୁ ଉନ୍ମୋଚିତ ହୋଇଥିବା ‘ଟାଇମ୍‌ ଟୁ କେୟାର’ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ସବୁଠୁ ବଡ଼ କଥା ହେଲା ଶୀର୍ଷସ୍ତରର ବୈଷୟିକ କମ୍ପାନିର ସିଇଓଙ୍କ ବାର୍ଷିକ ଆୟ ଯେତିକି, କୌଣସି ଘରେ ଘରୋଇ ସହାୟକ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ସେତିକି ଆୟ ପାଇଁ ୨୨ ହଜାର ୨୨୭ ବର୍ଷ ସମୟ ଲାଗିଯିବ ବୋଲି କୁହାଯାଇଛି। ଅନ୍ୟ ଅର୍ଥରେ ଦେଖିଲେ ପ୍ରଯୁକ୍ତି କ୍ଷେତ୍ରର ସିଇଓ ୧ ସେକେଣ୍ଡରେ ୧୦୬ ଟଙ୍କା ଆୟ କରନ୍ତି। ତେଣୁ ଜଣେ ଘରୋଇ ସହାୟିକା ଗୋଟିଏ ବର୍ଷରେ ଯେତିକି ଆୟ କରି ପାରୁଛନ୍ତି ଜଣେ ପ୍ରଯୁକ୍ତି କ୍ଷେତ୍ରର ସିଇଓ ମାତ୍ର ୧୦ ମିନିଟ୍‌ରେ ତାହ‌ାଠାରୁ ଅଧିକ ରୋଜଗାର କରିବାକୁ ସମର୍ଥ ହେଉଛନ୍ତି।

ଦେଶରେ ମହିଳା ଓ ଝିଅମାନେ ପିଲା ଓ ବୟସ୍କ ବ୍ୟକ୍ତିଙ୍କ ଯତ୍ନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ବାବଦରେ ଦିନକୁ ୩୨୬ କୋଟି ଘଣ୍ଟା କାମ କରନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ପାରିଶ୍ରମିକ ମିଳେନାହିଁ। ଯଦି ସେମାନଙ୍କ ଶ୍ରମକୁ ମୂଲ୍ୟାୟନ କରାଯାଏ ତେବେ ତାହା ଅତିକମ୍‌‌ରେ ୧୯ ଲକ୍ଷ କୋଟି ଟଙ୍କା ହେବ। ଅର୍ଥାତ୍ ଭାରତ ସରକାର ୨୦୧୯ରେ ଶିକ୍ଷା ବାବଦରେ ବଜେଟରେ କରିଥିବା ବ୍ୟୟବରାଦ (୯୩ ହଜାର କୋଟି ଟଙ୍କା) ତୁଳନାରେ ୨୦ ଗୁଣ ଅଧିକ।

ତେବେ ଖୁସିର ବିଷୟ ଏହି ଯେ ବିଗତ ବର୍ଷ ‌ଅପେକ୍ଷା ଏ ବର୍ଷ ଅରବପତିଙ୍କ ସମ୍ପତ୍ତି ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଛି। ମାତ୍ର ଧନୀ ଗରିବଙ୍କ ମଧ୍ୟରେ ଅର୍ଥନୈତିକ ତାରତମ୍ୟ ବଢ଼ିବାରେ ଲାଗିଛି। ବିଶେଷକରି ଏବେର ଅର୍ଥନୈତିକ ସ୍ଥିତି ଯାହା, ସେଥିରେ ମହିଳା ଓ ଝିଅମାନଙ୍କୁ କମ୍‌ ଫାଇଦା ମିଳିଛି। ମହିଳାମାନେ କରୁଥିବା ତିନି ଚତୁର୍ଥାଂଶ ଯତ୍ନ କାର୍ଯ୍ୟରୁ କୌଣସି ଆୟ କରନ୍ତି ନାହିଁ। ମହିଳା ଏବଂ ଝିଅମାନେ ଘରେ ପିଲାଙ୍କ ଯତ୍ନ ନେବା, ରୋଷେଇ କରିବା, ସଫାସଫି କାର୍ଯ୍ୟ କରିବା ଏବଂ ବୟସ୍କ ମାନଙ୍କ ଦାୟିତ୍ବ ନେଉଥିଲେ ମଧ୍ୟ ସେମାନଙ୍କୁ ଏ ବାବଦରେ କୌଣସି ପାରିଶ୍ରମିକ ମିଳେନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ଏପରିକି ଆକଳନ କରାଯାଇଛି ଯେ ୨୦୨୫ ମସିହା ବେଳକୁ ବିଶ୍ବର ୨୪ କୋଟି ଲୋକ ପାଣି ସଙ୍କଟରେ ପଡ଼ିବେ। ତେଣୁ ଏ କ୍ଷେତ୍ରରେ ମହିଳାମାନଙ୍କୁ ପାଣି ଯୋଗାଡ଼ କରିବା ଲାଗି ଅଧିକ ଦୂରକୁ ଯିବାକୁ ପଡ଼ିବା ଆଶଙ୍କା କରାଯାଉଛି।

ରିପୋର୍ଟ ମୁତାବକ ସରକାର ବିତ୍ତଶାଳୀ ବ୍ୟକ୍ତି (ବିଲିୟନେୟାର) ଓ କର୍ପୋରେଟଗୁଡ଼ିକର ସମ୍ପତ୍ତି ଉପରେ ଅଧିକ ଟିକସ ଲଗାଇବାରେ ବିଫଳ ହେଛନ୍ତି। ତେଣୁ ଏହାକୁ ବ୍ୟବସ୍ଥିତ କରିବା ପାଇଁ ଠୋସ୍ ଆଇନର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଇଛି। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର, ଉତ୍କଳ ବିଶ୍ବବିଦ୍ୟାଳୟର ଅର୍ଥନୀତି ପ୍ରଫେସର ମିତାଲି ଚିନ୍ନାରା, ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରପାଠୀ ଏହି ରିପୋର୍ଟକୁ ଉନ୍ମୋଚନ କରିଥିଲେ। ଅକ୍ସଫାମର ଆଞ୍ଚଳିକ ପ୍ରବନ୍ଧକ ଅକ୍ଷୟ କୁମାର ବିଶ୍ବାଳ ଓ ଅଧିକାରୀ ପ୍ରଭାସ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର