ସାରା ରାଜ୍ୟର ଦୃଷ୍ଟି ଆକର୍ଷଣ କରିଥିଲା କଳା ବାଘ, ଏବେ ଅଛି କେଉଁଠି?

ସୁନ୍ଦରଗଡ଼: ତିନି ବର୍ଷ ତଳେ ସୁନ୍ଦରଗଡ଼ ବନଖଣ୍ଡ ହେମଗିର ବନାଞ୍ଚଳ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ଦୃଷ୍ଟଗୋଚର ହୋଇଥିଲା ବିରଳ କଳା ବାଘ (ବ୍ଲାକପନ୍ଥର)। ଯାହା ସାରା ରାଜ୍ୟର ଦୃଷ୍ଟି ଆକର୍ଷଣ କରିଥିଲା। ଓଡ଼ିଶା ରାଜ୍ୟ ଜଙ୍ଗଲରେ ପ୍ରଥମ କରି ଏକ ବିରଳ କଳାବାଘ ଦେଖାଯିବା ରାଜ୍ୟ ବନବିଭାଗକୁ ବେଶ ଉତ୍ସାହିତ କରିଥିଲା। ବିଭାଗ ଏହାକୁ ଗୁରୁତ୍ବର ସହ ନେଇ ବାଘର ସୁରକ୍ଷା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିରଳ ପ୍ରଜାତିର ଏହି କଳା ବାଘ ଏହା ପୂର୍ବରୁ ଦେଶର ମାତ୍ର ୮ଟି ରାଜ୍ୟରେ ଦେଖାଯାଇଥିଲା।

ଦକ୍ଷିଣ ଭାରତର କର୍ଣ୍ଣାଟକ ରାଜ୍ୟରେ ପ୍ରଥମ କରି କଳାବାଘ ଦେଖାଯାଇଥିଲା। କର୍ଣ୍ଣାଟକରେ ୪ଟି ବାଘ ଅଭୟାରଣ୍ୟ ଥିବା ବେଳେ ଏ ରାଜ୍ୟକୁ କଳାବାଘର ପ୍ରାକୃତିକ ଆବାସସ୍ଥଳି ବୋଲି କୁହାଯାଏ। ଏହା ସହ ଦକ୍ଷିଣର କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଉତ୍ତରରେ ହିମାଚଳପ୍ରଦେଶ, ଉତ୍ତର-ପୂର୍ବାଞ୍ଚଳରେ ଆସାମ ଓ ମଧ୍ୟଭାଗରେ ଛତିଶଗଡ଼ରେ କଳାବାଘ ଦେଖାଯାଇଥିବା ବେଳେ ୨୦୧୮ ମେ’ରେ ନବମ ରାଜ୍ୟ ଭାବେ ଓଡ଼ିଶାବରେ ନଜରକୁ ଆସିଥିଲା। ବାଘଟି ବର୍ଷେ ଗର୍ଜନପାହାଡ଼ରେ ଦୃଷ୍ଟିଗୋଚର ହେବା ଭିତରେ ୨୦୧୯ରେ ଦୁଇଟି ଛୁଆ ଜନ୍ମ କରିଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ତା’ ପରଠାରୁ କଳା ବାଘ କି ତା’ ଛୁଆ ଗର୍ଜନପାହାଡ଼ରେ ଆଉ ଦେଖାଯାଉ ନାହାନ୍ତି।

ବନବିଭାଗର ସିସିଟିଭି କ୍ୟାମେରାରେ ଆଉ ତାର ଚିତ୍ର ଆସୁ ନଥିବାରୁ ବାଘଟି କୁଆଡ଼େ ଗଲା କି କୌଣସି ଶିକାରୀ ହାବୁଡ଼ରେ ପଡ଼ିଲା, ତାକୁ ନେଇ ସଂଶୟ ଲାଗି ରହିଛି। ସୂଚନାଯୋଗ୍ୟ, ଗତ ୨୦୨୦ ଅଗଷ୍ଟରେ ଜଙ୍ଗଲ ନିକଟ ବଡ଼ରମ୍ପିଆ ଗାଁରେ ଏକ କଲରାପତରିଆ ବାଘ ପଶି ଲୋକଙ୍କୁ ଆକ୍ରମଣ କରି ପର ଦିନ ସନ୍ଦେହଜନକ ଭାବେ ପ୍ରାଣ ହରାଇଥିଲା। ଏବେ ବି ସେ ବାଘର ମୃତ୍ୟୁ ରହସ୍ୟ ଉନ୍ମୋଚନ କରିପାରିନି ବନବିଭାଗ। ଏହା ପରେ କଳାବାଘର ଗାଏବକୁ ନେଇ ଏପରି କିଛି ଆଶଙ୍କା ସାଧାରଣରେ ଉଙ୍କି ମାରୁଛି।

ଗର୍ଜନପାହାଡ଼, ଢେକନାପାଣି, ରୋହିଣୀ ସଂରକ୍ଷିତ ଜଙ୍ଗଲରେ ୨୫ରୁ ଅଧିକ କଲରାପତରିଆ ଓ ଚିତା ବାଘ ଥିବା ଆକଳନ କରାଯାଇଥିବା ବେଳେ ପ୍ରଥମ କରି ଏକ ବିରଳ କଳା ବାଘ (ବ୍ଲାକପନ୍ଥର) ଠାବ ହେବା ଗର୍ଜନପାହାଡ଼କୁ ଅଧିକ ଚର୍ଚ୍ଚିତ କରିଥିଲା। ସେତେବେଳେ ସୁନ୍ଦରଗଡ଼ ବନବିଭାଗ ଗର୍ଜନପାହାଡ଼ ଉପରେ ପୂରା ଦୃଷ୍ଟି ନିବିଦ୍ଧ କରି ସୁରକ୍ଷା ବ୍ୟବସ୍ଥାବ ଗ୍ରହଣ କରିଥିଲା। କଳା ବାଘର ଗତିବିଧି ଉପରେ ନଜର ରଖିବାକୁ ସିସିଟିଭି କ୍ୟାମେରା ଖଞ୍ଜିଥିଲା ବିଭାଗ। ଠିକ୍ ଏହାର ଦେଢ଼ ବର୍ଷ ପରେ ଜଙ୍ଗଲରେ ପୁଣି ଦୁଇଟି ବିରଳ କଳାବାଘ ଛୁଆ ବୁଲୁଥିବା ଚର୍ଚ୍ଚା ହୋଇଥିଲା।

ଜଙ୍ଗଲକୁ ଯାଇଥିବା କିଛି ଲୋକ ଦୁଇ ଛୁଆକୁ ଦେଖିଥିବା କହିଥିଲେ। ସେତେବେଳେ ବନବିଭାଗ ମଧ୍ୟ ଏଥିରେ ସତ୍ୟତା ଥାଇପାରେ ବୋଲି କହିଥିଲେ। ଦୁଇ ଛୁଆ ସେ କଳାବାଘର ହୋଇପାରନ୍ତି ବୋଲି କୁହାଗଲା। କିନ୍ତୁ ଏହା ପରେ କଳା ବାଘ କି ସେ ଛୁଆ ଆଉ ଦୃଷ୍ଟିକୁ ଆସିଲେ ନାହିଁ। ଚର୍ଚ୍ଚାକ୍ରମରେ ୨୦୧୭ରେ ମହାରାଷ୍ଟ୍ର ଓ ପରେ ପରେ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ଉଦନ୍ତୀସୀତା ନଦୀ ବନ୍ୟପ୍ରାଣୀ ଅଭ୍ୟୟାରଣ୍ୟରେ ଦେଖାଯାଇଥିବା କଳାବାଘ ୨୦୧୮ରେ ସେଠାରୁ ମାତ୍ର ୩ ଶହ କିଲୋମିଟର ଦୂର ହେମଗିରକୁ ଆସିଥିଲା। ସେତେବେଳେ ସେ ସମ୍ଭବତଃ ଗର୍ଭବତୀ ଥିଲା ଓ ଛୁଆ ଜନ୍ମ କରିବାକୁ ଏଠାକୁ ଚାଲିଆସିଥିଲା। ଏଠାରେ ରହିବା ଭିତରେ ଛୁଆ ଜନ୍ମ କରିଥିଲା। ସେମାନେ ବଡ଼ ହୋଇ ଶିକାର କରିବାକୁ ସକ୍ଷମ ହୋଇଯିବା ପରେ ମା’ ବାଘୁଣୀ ପୁଣି ନିଜ ପୁରୁଣା ବାସସ୍ଥାନକୁ ଫେରାଯାଇଥାଇପାରେ ବୋଲି ଅନୁମାନ କରିଛି ବନବିଭାଗ। କିନ୍ତୁ କଳା ବାଘଟି କେଉଁଠି ଏଯାଏ ତାହା ରହସ୍ୟରେ ରହିଛି। ବନବିଭାଗ ଏହି ବିରଳ ପ୍ରାଣୀର ସନ୍ଧାନ ନେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର