ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ, ପ୍ରେମ ସଂପର୍କ ନେଇ ହୋଇଥିଲା ହତ୍ୟା

ଭଦ୍ରକ: ଗତ ମାସ ୩୦ ତାରିଖ ସଂଧ୍ୟାରେ ଭଦ୍ରକର ଆପର୍ତ୍ତିବିନ୍ଧା କଲୋନିର ଏକ ବନ୍ଦ ଘର ଭିତରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ହୋଇଛି। ପ୍ରେମ ସଂପର୍କକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ କହିଛି। ପରକୀୟା ପ୍ରୀତି ଏହି ହତ୍ୟାକାଣ୍ଡ ପଛରେ ରହିଥିବା ନେଇ ପୁଲିସ ସନ୍ଦେହ କରିଥିଲା। ଆଉ ଶେଷରେ ପୁଲିସର ସନ୍ଦେହ ସତ ହୋଇଛି। ଆଜି ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ଆଶିଷ ମହାନ୍ତିକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ବାହାରେ ଚାକିରି କରୁଥିଲେ। ପତ୍ନୀ ଭଦ୍ରକରେ ଏକ ଭଡ଼ା ଘରେ ରହୁଥିଲେ। ଘଟଣା ଘଟିବାର ୧୫ ଦିନ ଆଗରୁ ମହିଳାଙ୍କ ସ୍ବାମୀ ତାଙ୍କ ପତ୍ନୀଙ୍କୁ ଫୋନ୍ କରିଥିଲେ ମଧ୍ୟ ତାଙ୍କ ପତ୍ନୀ ଫୋନ୍ ଉଠାଉ ନଥିଲେ। ଏଥିରେ ସ୍ବାମୀଙ୍କର ସନ୍ଦେହ ହେବାରୁ ସେ ତାଙ୍କ ଚାକିରି ସ୍ଥାନରୁ ଆସି ଭଦ୍ରକ ପୁଲିସଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ସହାୟତାରେ ଘର ପଡ଼ିଥିବା ତାଲା ଭାଙ୍ଗି ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏଭଳି ଅଭାବନୀୟ ଘଟଣା ପରେ ଟାଉନ ଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ ଅପର୍ତ୍ତିବିନ୍ଧାସ୍ଥିତ ନ୍ୟୁ କଲୋନି ଅଞ୍ଚଳରେର ଏହି ଘରେ ଯାଞ୍ଚ କରିଥିଲେ। ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରିବେ ବୋଲି କହିଥିଲେ। ଆଜି ଅଭିଯୁକ୍ତ ଗିରଫ ହୋଇଛି।

ପୁଲିସ କହିଛି ତିହିଡି ବ୍ଲକର ଗୋଳାପୋଖରୀ ଅଞ୍ଚଳର ମଧୁସ୍ମିତା ନାୟକ ଆଠ ମାସ ହେବ ଭଦ୍ରକରେ ଏକ ଭଡା ଘରେ ରହି ଆସୁଥିଲେ। ତାଙ୍କର ସ୍ବାମୀ ମହେଶ୍ବର ନାୟକ ହାଇଦ୍ରାବାଦରେ ରହି କାମ କରୁଥିଲେ। ତାଙ୍କର ଏକ ମାତ୍ର ପୁଅ ବାହାରେ ରହି ପାଠ ପଢ଼ୁଥିଲା। ପତ୍ନୀ ଏକୁଟିଆ ଘରେ ରହୁଥିଲେ। ତାଙ୍କର ଜଗତସିଂହପୁର ଅଞ୍ଚଳର ଜଣେ ପୁରୁଷ ସହ ପ୍ରେମ ସମ୍ପର୍କ ରହିଥିଲା। ପ୍ରଥମେ କଲ ଡିଟେଲ ଯାଞ୍ଚ କରି ଗୁରୁବାର ଭଦ୍ରକ ଚରମ୍ପା ଅଂଚଳରେ ଅଭିଯୁକ୍ତ ଜଣକ ବୁଲୁଥିବା ପୁଲିସ ଜାଣିବାକୁ ପାଇଥିଲା। ମୋବାଇଲ ଟ୍ରାକିଙ୍ଗ ଜରିଆରେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିଲା।

ତେବେ ଅଭିଯୁକ୍ତଙ୍କ ସହିତ ମଧୁସ୍ମିତାଙ୍କର ଅନୈତିକ ସମ୍ପର୍କ ୨୦୨୧ରୁ ରହିଆସିଥିଲା ବୋଲି ତଦନ୍ତକାରୀ ପୁଲିସ ଅଧିକାରୀ କହିଛନ୍ତି। ସ୍ୱାମୀ ବାହାରେ ରହୁଥିବା ବେଳେ ମଧୁସ୍ମିତା ଦେହ କାମନା ପାଇଁ ପର ପୁରୁଷ ସହ ସମ୍ପର୍କ ରଖିଥିଲେ। ୨୦୨୧ ଠାରୁ ଅଭିଯୁକ୍ତ ଆଶିଷ ମହାନ୍ତି ନିୟମିତ ଭାବେ ମଧୁସ୍ମିତାଙ୍କ ସାଙ୍ଗରେ ଅନୈତିକ ସମ୍ପର୍କରେ ରଖି ଆସୁଥିଲେ। ଅଭିଯୁକ୍ତ ଆଶିଷ ଭୁବନେଶ୍ୱରରେ ଏକ ଘରୋଇ ସ୍କୁଲରେ ଫାର୍ମାସିଷ୍ଟ ରୂପେ କାର୍ଯ୍ୟ କରୁଥିବା ବେଳେ ମଧୁସ୍ମିତାଙ୍କ ପୁଅ ସେଠାରେ ରହି ପାଠ ପଢୁଥିଲେ। ତେବେ କରୋନା ମହାମାରୀ ସମୟରେ ମଧୁସ୍ମିତାଙ୍କ ପୁଅଙ୍କ ଦେହ ଅସୁସ୍ଥ ହେବାରୁ ଉତ୍ତମ ଚିକିତ୍ସା ପାଇଁ ମଧୁମିତା ଓ ଆଶିଷଙ୍କ ମଧ୍ୟରେ ସବୁବେଳେ ଯୋଗାଯୋଗ ରହୁଥିଲା। ସେବେଠାରୁ ବଢିଥିଲା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ। ଆଉ ଧୀରେଧୀରେ ତାହା ପ୍ରେମ ସମ୍ପର୍କରୁ ଶରୀରର ମିଳନ ଆଡ଼କୁ ଗତିକରିଥିଲା।

ଗତମାସ ୧୪ ତାରିଖରେ ଅପର୍ତିବିନ୍ଧା ନିୟୁ କଲୋନିରେ ଭଡା ଘରେ ମଧୁସ୍ମିତାଙ୍କ ସହ ଦୁଇ ଦିନ ଆଶିଷ ରହିବା ସହ ସବୁଦିନ ଭଳି ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା। ଗତ ୧୬ ମାର୍ଚ୍ଚରେ ଭୋର ୪.୩୦ରେ ମଧୁସ୍ମିତା ଓ ଆଶିଷ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହେବାରୁ ଭଡା ଘରେ ଥିବା ଏକ ଟିୱେଲ ରଡ଼ ସାହାଯ୍ୟରେ ମଧୁସ୍ମିତାଙ୍କୁ ପିଟିପିଟି ହତ୍ୟା କରିଥିଲା। ପରେ ବାହାର ପଟୁ ଚାବି ଦେଇ ଆଶିଷ ପଳାଇଥିଲା। ତେବେ ଅଭିଯୁକ୍ତ ଆଶିଷ ମହାନ୍ତିଙ୍କ ଘର ଜଗତସିଂପୁର ଅଗର ଗାଁରେ ବୋଲି ପୁଲିସ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରିଛି। ଏହି ଘଟଣା ସଂପର୍କରେ ଭଦ୍ରକ ସିଟି ଡ଼ିଏସପି ଅଂଶୁମାନ ଦ୍ବିବେଦୀ ସୂଚନା ଦେବା ସହ ଆଜି ହତ୍ୟାକାଣ୍ଡର ଅଭିଯୁକ୍ତ ଆଶିଷ ମହାନ୍ତିକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ ପରେ ପ୍ରଥମେ ଡାକ୍ତରୀମାଇନା କରିବା ସହ ହତ୍ୟାକାଣ୍ଡ ଘଟାଇଥିବା ସ୍ଥାନକୁ ନେଇ ସିନ ରିକ୍ରିଏସନ କରିଥିଲା ପୁଲିସ।

ସମ୍ବନ୍ଧିତ ଖବର