ବିଶିଷ୍ଟ ଲେଖିକା ଆଦରମଣି ବରାଳଙ୍କ ବିୟୋଗ

ଖୋର୍ଦ୍ଧା : ଦିବଂଗତ ଶିକ୍ଷକ ନେତା ଅବନୀ ବରାଳଙ୍କ ଧର୍ମପତ୍ନୀ ତଥା ଖୋର୍ଦ୍ଧା ଅଂଚଳର ଜଣାଶୁଣା ମହିଳା ସମାଜସେବୀ, ଶିକ୍ଷାବିତ୍‌ ଓ ବିଶିଷ୍ଟ ଲେଖିକା ଅଧ୍ୟାପିତା ଆଦରମଣି ବରାଳ (୮୦)ଙ୍କ ଗତକାଲି ରାତି ପ୍ରାୟ ସାଢେ଼ ୧୧ଟାରେ ପ‌ରଲୋକ ଘଟିଛି।

ଜଗତସିଂହପୁର ବିରିଡ଼ି ଅଞ୍ଚଳର ତିଲଡିହା ହାଇସ୍କୁଲରୁ ଶିକ୍ଷକତା ଆରମ୍ଭ କରିଥିବା ଆଦରମଣିଙ୍କ ସହ ସେହି ସ୍କୁଲରେ ପ୍ରଧାନଶିକ୍ଷକ ଥିବା ଅବନୀ ବରାଳଙ୍କ ପରିଚୟ ହୋଇଥିଲା ଏବଂ ପରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପରବର୍ତ୍ତୀ ସମୟରେ ଆଦରମଣି ବାଣପୁର ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ହୋଇଥିଲେ। ତେବେ ଓଡ଼ିଆରେ ସ୍ନାତକତ୍ତୋର କରିବା ପରେ ସେ ବାଳେଶ୍ବର କେକେଏସ୍‌ ମହିଳା ମହାବିଦ୍ୟାଳୟରୁ ଅଧ୍ୟାପିକା ଜୀବନ ଆରମ୍ଭ କରିଥିଲେ। ନିଜ ଜୀବନକାଳ ମଧ୍ୟରେ ସେ ଶୈଳବାଳା ମହିଳା ବିଦ୍ୟାଳୟ, ବିଜେପି କଲେଜ, ପୁରୀ ଏସ୍‌ସିଏସ୍‌ କଲେ, ବରଗଡ଼ ପଞ୍ଚ‌ାୟତ କଲେଜ, ସମ୍ବଲପୁରର ଜିଏମ୍‌ କଲେଜରେ ଏବଂ ଶେଷରେ ରାଜଧାନୀ କଲେଜରେ ଅଧ୍ୟାପନା କରି ଅବସର ଗ୍ରହଣ କରିଥିଲେ। ତେବେ କେବଳ ଜଣେ ଅଧ୍ୟାପିକା ଭାବରେ ନୁହେଁ, ଜଣେ ସୁଲେଖିକା ଭାବେ ସେ ଶତାଧିକ କବିତା, ଗଳ୍ପ ଓ ଉପନ୍ୟାସ ରଚନା କରିଥିଲେ। ଆକାଶବାଣୀର ଜଣେ ଏ ଗ୍ରେଡ୍‌ ଅଭିନେତ୍ରୀ ଭାବେ ସେ ପ୍ରାୟ ୪୦୦ ନାଟକରେ ମଧ୍ୟ ଅଭିନୟ କରିଥିଲେ।

ନିଜ ସ୍ବାମୀଙ୍କ ସହ କାନ୍ଧରେ କାନ୍ଧ ମିଳାଇ ସେ ସମାଜସେବା କରୁଥିଲେ। ଏପରିକି ଶ୍ରୀ ବରାଳଙ୍କ ଦେହାନ୍ତ ପରେ ମଧ୍ୟ ସେ ଏହି କାର୍ଯ୍ୟକୁ ଜାରି ରଖିଥିଲେ। ସେ ଖୋର୍ଦ୍ଧା ମହିଳା ସମିତିର ସଭାନେତ୍ରୀ ଭାବେ ଅନେକ ଦିନ ଧରି ଦାୟିତ୍ବ ତୁଲାଇଥିଲେ। ରୋଟାରି କ୍ଲବ୍‌ର ଜଣେ ସକ୍ରିୟ ସଦସ୍ୟ ସହ ବିଭିନ୍ନ ଶିକ୍ଷା, ସାମାଜିକ ଓ ସାହିତ୍ୟ ଅନୁଷ୍ଠାନ ସହ ଓତପ୍ରୋତ ଭାବେ ଜଡ଼ିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବାବେଳେ ଖୋର୍ଦ୍ଧା ନାଗରିକ ମଞ୍ଚର ସମ୍ପାଦକ ସଂଜୟ ପଟ୍ଟନାୟକ, ଶିକ୍ଷକ ସଂଘ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ସଙ୍ଗଠନର ପ୍ରତିନିଧି ତାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର