ଉମରକୋଟ ସହରରେ ଫୁଟିଲା ଗୁଳି : ଗୁଳିମାଡ଼ରେ ଯୁବ ବ୍ୟବସାୟୀ ଗୁରୁତର

ଉମରକୋଟ : ଉମରକୋଟ ସହରରେ ଫୁଟିଲା‌ ଗୁଳି। ଉମରକୋଟ ସହରର ଯୁବ ବ୍ୟବସାୟୀ ଟି.ସଂଜୀବ ସୁବୁଦ୍ଧି ନିଜ ବାଇକରେ ଝରିଗାଁ ଯିବା ରାସ୍ତାରେ ଥିବା ନିଜ ଘରକୁ ଫେରୁଥିଲେ। ରାତି ପ୍ରାୟ ୯ଟା ୪୦ ମିନଟ ସମୟରେ ପଞ୍ଜାବ ନେସନାଲ ବ୍ୟାଙ୍କ ନିକଟରେ ହଠାତ୍ ୩ ଜଣ ଯୁବକ ଏକ କଳା ପସଲର ରେ ଆସି ତାଙ୍କୁ  ଗୋଟିଏ ରାଉଣ୍ଡ ଗୁଳି ଚାଳନା କରି ଘଟଣା ସ୍ଥଳରୁ ଉଭାନ ହୋଇଗଲେ। ତାଙ୍କ ଅଣ୍ଟାରେ ଗୁଳିଟି ବାଜିଥିଲା।  ଶ୍ରୀ ସୁବୁଦ୍ଧିଙ୍କୁ ଗୁଳିବାଜିବା ପରେ ସେ ବାଇକରୁ ତଳେ ପଡିଯାଇଥିଲେ। ଗୁଳିଶବ୍ଦ ଶୁଣି ସ୍ଥାନୀୟ ବାସିନ୍ଦା ବ୍ୟବସାୟୀ ସଂଜୀବଙ୍କୁ ଉଦ୍ଧାର କରି ଉମରକୋଟ ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ।

ଉମରକୋଟ ଡାକ୍ତରଖାନାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଖବର ପାଇ ଉମରକୋଟ ପୁଲିସ ଘଟଣା ସ୍ଥଳ ଏବଂ ଡାକ୍ତରଖାନାକୁ ଯାଇ ତଦନ୍ତ କରିଛି। ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। ଆଜିର ଏହି ଗୁଳିକାଣ୍ଡ ସହରବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ସହରବାସୀ ଏକ ପ୍ରକାର ଭୟଭୀତ ଅବସ୍ଥାରେ  ରହିଥିବା ଜଣାପଡିଛି। ଉମରକୋଟ ଥାନା ପୁଲିସ ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରି ଯାଞ୍ଚ ପ୍ରକ୍ରିୟା କଡାକଡି କରିଛି।

ସମ୍ବନ୍ଧିତ ଖବର