ଗଣେଶ ପୂଜା ଭସାଣ ଦେଖିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ, ୩ ଗୁରୁତର

ମାହାଙ୍ଗା: ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ପୋଡ଼ାମରାଇ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଗଣେଶ ପୂଜା ଭସାଣ ଦେଖିବାକୁ ଯାଇ ଜଣେ ବ୍ୟକ୍ତିଙ୍କ ଅତର୍କିତ ଆକ୍ରମଣରେ ୪ଜଣ ଯୁବକ ଗୁରୁତର ଆହତ ହେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି।
ମୃତକ ହେଲେ ଏରକଣା ଗ୍ରାମର ଅକ୍ଷୟ ପଲେଇଙ୍କ ପୁଅ ସୌମ୍ୟରଞ୍ଜନ ପଲେଇ। ଗତକାଲି ସୌମ୍ୟରଞ୍ଜନ ପୋଡ଼ାମରାଇ ଗ୍ରାମରେ ଗଣେଶ ଭସାଣ ଉତ୍ସବ ହେଉଥିବାରୁ ଏରକଣା ଗ୍ରାମର କିଛି ସାଙ୍ଗଙ୍କ ସହ ସେଠାକୁ ଯାଇଥିଲେ। ବିଳମ୍ବିତ ରାତିରେ ଭସାଣ ଶେଷ ହେବା ପରେ ଘରକୁ ଏରକଣା ଗ୍ରାମର ଯୁବକମାନେ ଆସୁଥିବା ବେଳେ ସିନ୍ଦୂପୂର ଗ୍ରାମର ଜଣେ ବ୍ୟକ୍ତି ହାତରେ ଧାରୁଆ ମାରଣାସ୍ତ୍ର ଧରି ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ୪ଜଣ ଯୁବକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତରତ କରାଯାଇଥିଲା। ଏଣେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନ ପଲେଇଙ୍କର ମୃତ୍ୟୁ ଘଟିଛି। ଖବର ପାଇ ମାହାଙ୍ଗା ଥାନା ପୁଲିସ ଆକ୍ରମଣକାରୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର