କଟକ : ଆସନ୍ତାକାଲିଠୁ ରାଜ୍ୟର ୨୮୧୮ କେନ୍ଦ୍ରରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହି ପରୀକ୍ଷା ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ଉପଲକ୍ଷେ ବୋର୍ଡ ପକ୍ଷରୁ ଆଜି ଚୂଡାନ୍ତ ପର୍ଯ୍ୟୟ ସ୍କ୍ଵାଡ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଥିଲା। ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ଏହି ସ୍କ୍ଵାଡରେ ୯୫ ଅଧ୍ୟାପକଙ୍କୁ ସାମିଲ କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ଆଜି ୪୬ ଜଣ ଅଧ୍ୟାପକ ପ୍ରଶିକ୍ଷଣ ନେଇଥିଲେ। ଯେଉଁମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି, ସେମାନଙ୍କୁ ବୋର୍ଡ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ କୁହାଯାଇଛି। ଯଦି ରିପୋର୍ଟ ପ୍ରଦାନରେ ବିଳମ୍ବ ହୁଏ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

Advertisment

ଅନ୍ୟପକ୍ଷରେ ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ବିଭିନ୍ନ ଜୋନରେ ୩୭ଟି ସ୍କ୍ଵାଡ ଗଠନ କରାଯାଇଛି। ଏହାବ୍ୟତୀତ ଜୋନାଲ୍‌ ସ୍କ୍ଵାଡ୍‌ ମଧ୍ୟ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଯାଞ୍ଚ କରିବେ। ବିଭିନ୍ନ ସ୍କ୍ଵାଡ ମଧ୍ୟରେ ସମନ୍ଵୟ ରକ୍ଷା କରିବାକୁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ ପ୍ରକୋଷ୍ଠ ରହିବ। ପରୀକ୍ଷା କେନ୍ଦ୍ରରେ ତଥା ସବୁ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଶିକ୍ଷକମାନେ କୌଣସି ଅନିୟମିତତା କିମ୍ବା ଅସଦ୍‌ ଉପାୟ ଅବଲମ୍ବନ ନେଇ ସୂଚନା ପାଇଲେ ସେମାନେ ତୁରନ୍ତ କଣ୍ଟ୍ରୋଲ ରୁମକୁ ଅବଗତ କରାଇବାକୁ କୁହାଯାଇଛି। ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ବୋର୍ଡ ସ୍କ୍ଵାଡ ଘଟଣା ସ୍ଥଳରେ ପହଞ୍ଚ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତେଣୁ ପରୀକ୍ଷାର ସ୍ୱଭାବିକ୍‌ ପରିଚାଳନା ପାଇଁ ସମସ୍ତ ଅଭିଭାବକ ଓ ଶିକ୍ଷକମାନଙ୍କର ସହଯୋଗ ଲୋଡିଛନ୍ତି ପରୀକ୍ଷା ନିୟନ୍ତ୍ରକ ନିହାର ରଂଜନ ମହାନ୍ତି।

ସୂଚନା ଅନୁଯାୟୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୬ଲକ୍ଷ ୮ ହଜାର ୫୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେଥିମଧ୍ୟରୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ୫ ଲକ୍ଷ ୯୦ ହଜାର ୩୬୦ ପରୀକ୍ଷାର୍ଥୀ, ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ୧୩ ହଜାର ୯୭୮ ଏବଂ ମଧ୍ୟମା ପାଇଁ ୩୭୧୫ ଜଣ ପରୀକ୍ଷାର୍ଥୀ ନାମ ପଞ୍ଜିକରଣ କରିଛନ୍ତି। ସେହିପରି ହାଇସ୍କୁଲ ପାଇଁ ୨୮୧୮ଟି ସେଣ୍ଟର କରାଯାଇଥିବା ବେଳେ ରାଜ୍ୟ ମୁକ୍ତ ସ୍କୁଲ ପରୀକ୍ଷା ପାଇଁ ୧୦୧ ଏବଂ ମଧ୍ୟମା ପାଇଁ ୪୭ ସେଣ୍ଟର କରାଯାଇଛି । ସେହିପର ଜେଲରେ ରହୁଥିବା ୧୩ ଜଣ କଏଦୀ ମାନଙ୍କ ପାଇଁ ୨ଟି ସବ୍‌ ସେଣ୍ଟର ଖୋଲାଯାଇଛି। ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ୫୭ଟି କେନ୍ଦ୍ର ସ୍ଥିର କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷା ସମ୍ପର୍କୀତ କୌଣସି ସମସ୍ୟା ଥିଲେ ୦୬୭୧-୨୪୧୨୦୫୯/୨୪୧୨୦୬୦ ନମ୍ବରରେ ଯୋଗାଯୋଗ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି।