ଋଣ ଟଙ୍କାରେ ଲୋକଙ୍କୁ ଉପହାର

ଅଧିକ ୯୦ ହଜାର କୋଟି ସୁଧ ଗଣିବେ ସରକାର

0 1,909

ନୂଆଦିଲ୍ଲୀ: ନିର୍ବାଚନୀ ବର୍ଷରେ ଭୋଟରଙ୍କୁ ସନ୍ତୁଷ୍ଟ କରିବା ଲାଗି କେନ୍ଦ୍ରର କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ନିକଟରେ ଆଗତ କରିଥିବା ୨୦୧୯-୨୦ ବଜେଟରେ ଅନେକ ଗୁଡ଼ିଏ ଲୋଭନୀୟ ଘୋଷଣା କରିଛନ୍ତି। ଆୟକରଦାତାଙ୍କୁ ରିହାତି ସହିତ କୃଷକମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ଦେବା ଲାଗି ବଜେଟରେ ପ୍ରସ୍ତାବ ରହିଛି। ତେବେ ସରକାରଙ୍କ ନିକଟରେ ଏତେ ପିଠାକୁ ଚୂନା ନାହିଁ। ବଜେଟରେ ଘୋଷଣା କରିଥିବା ବିଭିନ୍ନ ଯୋଜନା ଯୋଗୁ ସରକାରଙ୍କୁ ଆସନ୍ତା ବର୍ଷ ଅଧିକ ପରିମାଣର ଋଣ କରିବା ସହିତ ସୁଧ ବାବଦରେ ଅଧିକ ରାଶି ଗଣିବାକୁ ପଡ଼ିବ। ୨୦୧୭-୧୮ ତୁଳନାରେ ୨୦୧୮-୧୯ରେ ସରକାର ସୁଧ ବାବଦରେ ଅଧିକ ୫୨ ହଜାର ଟଙ୍କା ଖର୍ଚ କରିବେ। କିନ୍ତୁ ୨୦୧୮-୧୯ ତୁଳନାରେ ୨୦୧୯-୨୦ରେ ସରକାରଙ୍କୁ ସୁଧ ବାବଦରେ ଅଧିକ ୯୦ ହଜାର କୋଟି ଟଙ୍କା ଖର୍ଚ କରିବାକୁ ହେବ।
ମୋଦୀ ସରକାର ତାଙ୍କ ଝୁଲାରୁ ଯେଉଁସବୁ ଖର୍ଚ ପ୍ରସ୍ତାବମାନ ରଖିଛନ୍ତି ତାହା ନିର୍ବାଚନକୁ ଆଖି ଆଗରେ ରଖି କରିଛନ୍ତି। ଲୋକଙ୍କୁ ଖୁସି କରିବା ଲାଗି ସରକାର କରିଥିବା ଘୋଷଣା ପାଇଁ ଅର୍ଥ କେଉଁଠୁ ଆଣିବେ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଗଲାଣି। ଏକ ତଥ୍ୟରୁ ଜଣାଯାଇଛି, ୨୦୧୭-୧୮ ଆର୍ଥିକ ବର୍ଷରେ ସରକାର କରିଥିବା ଋଣର ସୁଧ ବାବଦରେ ୫, ୨୩, ୦୦୦ ଟଙ୍କା ଖର୍ଚ କରିଥିଲେ। ୨୦୧୮-୧୯ରେ ଋଣ ସୁଧ ବାବଦ ଖର୍ଚ ୫,୭୫,୦୦୦ କୋଟିକୁ ବୃଦ୍ଧି ପାଇବ। ଅର୍ଥାତ୍ ୨୦୧୭-୧୮ ତୁଳନାରେ ୨୦୧୮-୧୯ରେ ସରକାର ସୁଧ ବାବଦରେ ୯.୯୪ ପ୍ରତିଶତ ଅଧିକ ଖର୍ଚ କରିବେ। କିନ୍ତୁ ୨୦୧୯-୨୦ରେ ସରକାର ସୁଧ ବାବଦରେ ୬,୬୫,୦୦୦ କୋଟି ଟଙ୍କା ଖର୍ଚ କରିବାକୁ ଯାଉଥିବାରୁ ୨୦୧୮-୧୯ ତୁଳନାରେ ଏହା ୧୫.୬୫ ପ୍ରତିଶତ ବୃଦ୍ଧି ଘଟିଛି। ତେବେ ସରକାର ତାଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜସ୍ବ କିଭଳି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି ତାହା ଉପରେ ଏକ ନଜର ପକାଯାଇ ପାରେ। ୨୦୧୯-୨୦ ବଜେଟରେ ଜିଏସଟି ବାବଦରେ କେନ୍ଦ୍ର ସରକାର ୭,୭୧,୦୦୦ କୋଟି ଟଙ୍କା ଆଦାୟ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି। ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୧୮-୧୯ ଆର୍ଥିକ ବର୍ଷର ବଜେଟରେ ସରକାର ଜିଏସଟି ବାବଦରେ କରିଥିବା ଆକଳନ ୭,୪୪,୦୦୦ କୋଟି ଟଙ୍କା ତୁଳନାରେ ଏହା ୨.୨୮ ପ୍ରତିଶତ ଅଧିକ। ତେବେ କର୍ପୋରେଟ୍ ଟିକସ ବାବଦରେ ସରକାର ଅନ୍ତରୀଣ ବଜେଟରେ ଜିଏସଟି ରାଶି ସହ ପ୍ରାୟ ସମାନ ଅର୍ଥାତ୍ ୭,୬୦,୦୦୦ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ କର୍ପୋରେଟ୍ ଟିକସ ବାବଦରେ ସରକାର ୬,୨୧,୦୦୦ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ ସରକାର ଆସନ୍ତା ଆର୍ଥିକ ବର୍ଷରେ କର୍ପୋରେଟ୍ ଟିକସ ବାବଦରେ ୨୨.୩୮ ପ୍ରତିଶତ ବା ୧,୩୯,୦୦୦ କୋଟି ଟଙ୍କା ଅଧିକ ଆଦାୟ କରିବାକୁ ଧାର୍ଯ୍ୟ କରିଛନ୍ତି। ଜିଏସଟି ଆଦାୟ ରାଶି ବୃଦ୍ଧି ପାଉ ନଥିବାବେଳେ ସରକାର କର୍ପୋରେଟ୍ ଟିକସରୁ ଅଧିକ ରାଜସ୍ବ ଆଦାୟ କରିବାକୁ ଲକ୍ଷ୍ୟ ରଖିବା ଏକ ବିରୋଧାଭାଷ। ତେଣୁ ନିର୍ବାଚନୀ ବର୍ଷରେ ଋଣକୁ ମୂଳପୁଞ୍ଜି କରି ଲୋକଙ୍କୁ ଟଙ୍କା ବାଣ୍ଟି ଅର୍ଥନୀତିକୁ ବିଗାଡ଼ିବା କେତେ ଯୁକ୍ତିଯୁକ୍ତ ତାହାକୁ ନେଇ ପ୍ରଶ୍ନ ଉଠିଲାଣି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.