ବିଏସ୍‌ଏନ୍‌ଏଲ୍‌ର ବିଦ୍ୟୁତ ସଂଯୋଗ କାଟ ନାହିଁ: ଟେଲିକମ ବିଭାଗ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସରକାରୀ ଦୂରସଂଚାର କଂପାନି ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍‌ଏନ୍‌ଏଲ୍‌)ର ବିଦ୍ୟୁତ ସଂଯୋଗ ନକାଟିବାକୁ ଟେଲିକମ୍ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି। ମନ୍ତ୍ରଣାଳୟକୁ ପକ୍ଷରୁ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନଙ୍କୁ ଏକ ଚିଠି ଲେଖି ଏହା ଜଣାଇଦିଆଯାଇଛି। ଚିଠି ଲେଖାଯାଇଛି ଯେ, ମୋବାଇଲ୍ ବଜାର‌ରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଯୋଗୁ ବିଏସ୍‌ଏନ୍‌ଏଲ୍‌ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସେଥିପାଇଁ ଠିକ୍ ସମୟରେ ରାଜ୍ୟ ବିଦ୍ୟୁତ ବୋର୍ଡକୁ ବିଦ୍ୟୁତ ବିଲ୍ ଦେଇପାରୁନାହିଁ। ବିଏସ୍‌ଏନ୍‌ଏଲ୍‌କୁ ଆର୍ଥିକ ସହାୟତା ପ୍ରଦାନ କରିବା ଉପରେ ବିଚାର କରାଯାଉଛି। ତେଣୁ କଂପାନିର ବିଦ୍ୟୁତ ସଂଯୋଗକୁ ନକାଟିବା ପାଇଁ ରାଜ୍ୟର ବିଦ୍ୟୁତ ବୋର୍ଡଗୁଡ଼ିକୁ ଟେଲିକମ୍ ବିଭାଗ ଅନୁରୋଧ କରିଛି। ଯେହେତୁ ଏହି କଂପାନିର ନିର୍ବାଚନ ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି, ତେଣୁ କୌଣସି ପରିସ୍ଥିତିରେ ଏହାର ସେବା ପ୍ରଭାବିତ ହେଉ ବୋଲି ସରକାର ଚାହୁନାହାନ୍ତି।

ସମ୍ବନ୍ଧିତ ଖବର