ସରପଞ୍ଚଙ୍କ ସହାୟତା:ଅସହାୟ ଯୁବତୀଙ୍କ ବିବାହ

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ବ୍ଲକ୍‌ ସାନଜରିଆ ପଞ୍ଚାୟତ ଅଧୀନ ବୋଧଗାଁର ଏକ ଅସହାୟ ପରିବାରର ଯୁବତୀଙ୍କ ବିବାହ ସଂପନ୍ନ ହୋଇଛି। ଏହି ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ଭାଗବତପୁର ସରପଞ୍ଚ ତାଙ୍କ ରିଲିଫ୍‌ ପାଣ୍ଠିରୁ ଏହି ବିବାହ କରାଇଛନ୍ତି। ଯାନି ଯୌତୁକ ନ ହେଲେ ମଧ୍ୟ ଆବଶ୍ୟକ ଉପହାର ଦେଇଛନ୍ତି। ବରଯାତ୍ରୀଙ୍କୁ ମିଶାଇ ୪ଶହ ପାଖାପାଖି ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ ମଧ୍ୟ କରାଯାଇଛି। ପୋଷ୍ୟ ପରିବାରର ବଡ଼ଝିଅ ସୁମିତ୍ରା ରାଉତ(୨୧)ଙ୍କ ସହ ଯାଜପୁର ଜିଲ୍ଲା ବୁଆସାହିର ମିଟୁ ସାହାଣିଙ୍କ ପୁଅ ହରିଶଙ୍କର ସାହାଣିଙ୍କ ସହ ଏଭଳି ଆଦର୍ଶ ବିବାହ ଚର୍ଚ୍ଚାର ବିଷୟ ହୋଇଛି । ସୁମିତ୍ରାଙ୍କ ପିତା ଉତ୍ତମ ରାଉତ ପକ୍ଷାଘାତରେ ଆକ୍ରାନ୍ତ ହୋଇ ପ୍ରାୟ ୪ ମାସ ପୂର୍ବେ ଆଖି ବୁଜିଥିଲେ। ଅନାହାରରେ ପଡ଼ି ରହି ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ସୁମିତ୍ରାଙ୍କ ମା’ ମଧ୍ୟ ସ୍ତନ କର୍କଟରେ ପୀଡ଼ିତ।

ଏଭଳି ଅସହାୟ ସ୍ଥିତିରେ ସହଯୋଗର ହାତ ବଢ଼ାଇଥିଲେ ସରପଞ୍ଚ ଶ୍ରୀ ବେହେରା। ସେ ଏହି ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରି ପ୍ରତି ମାସରେ ସରପଞ୍ଚଙ୍କ ରିଲିଫ୍‌ ପାଣ୍ଠିିରୁ ସହାୟତା ପ୍ରଦାନ କରୁଥିଲେ। ଦରଦିବନ୍ଧୁ ସଂସ୍ଥା ପକ୍ଷରୁ ମଧ୍ୟ ସହଯୋଗ କରାଯାଉଥିଲା । ମୃତ ଉତ୍ତମଙ୍କ ୩ ଝିଅ ଓ ଗୋଟିଏ ପୁଅ । ବଢ଼ିଲା ଝିଅ ବାହାଘର ପରିବାର ମୁଣ୍ଡ ଉପରେ ବୋଝ ହୋଇଥିଲା । ଏତିକି ବେଳେ ବିଭିନ୍ନ ସ୍ଥାନରୁ ବିବାହ ପ୍ରସ୍ତାବ ମଧ୍ୟ ଆସୁଥିଲା । ତେବେ ଯାଜପୁରର ହରଶଙ୍କର ଏହି ବିବାହ ପ୍ରସ୍ତାବରେ ରାଜି ହେବା ପରେ ବିବାହ ଉତ୍ସବ ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା । ଗଣ୍ଡାକିଆ ରୋଡ୍‌ର ଛୁଆଳିଆପୀଠରେ ଏହି ବିବାହ ଉତ୍ସବ ପାଇଁ ସ୍ଥାନ ସ୍ଥିର ହୋଇଥିଲା। ହରିଶଙ୍କର ପ୍ରାୟ ୫୦ ଜଣ ବରଯାତ୍ରୀଙ୍କ ସହ ଆସି ପହଞ୍ଚିିବା ପରେ ତାଙ୍କୁ ପାଛୋଟି ନେଇଥିଲେ ଭାଗବତପୁର ସରପଞ୍ଚ, ଦରଦିବନ୍ଧୁ ସେବା ସଂସ୍ଥାର ସଦସ୍ୟମାନେ । ସହଯୋଗ କରିଥିଲେ ସେହି ଗାଁର ଦରଦିବନ୍ଧୁ ସେବା ସଂସ୍ଥାର ସଭାପତି ବିଜୟ ଦାସ, ସମ୍ପାଦକ ସଂଜୟ ତରେଇ ଓ ସାନ ଝରିଆ ଗାଁର ନାଏବ୍‌ ସରପଞ୍ଚ । ଛୁଆଳିଆ ଦେବୀ ପୀଠର ପରିଚାଳନା କମିଟି ମଧ୍ୟ ଏହି ବିବାହ ଉତ୍ସବକୁ ଶୁଳ୍କ ମୁକ୍ତ କରିଥିଲେ ।

ସମ୍ବନ୍ଧିତ ଖବର