ବୋରିଗୁମ୍ମାବାସୀଙ୍କୁ ଚୁଆ ପାଣି ଭରସା

କାଶୀପୁର: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ତଥା କୋରାପୁଟ ଜିଲ୍ଲା ସୀମାନ୍ତବର୍ତୀ ବୋରିଗୁମ୍ମା ଗ୍ରାମରେ ଦୀର୍ଘ ବର୍ଷ ହେଲା ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗାଁରେ ପାନୀୟ ଜଳ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଲୋକେ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି। ତେବେ ବର୍ଷା ଦିନରେ ନଦୀରେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ ଲୋକେ ଜୀବନକୁ ବାଜି ଲଗାଇ ପାଣି ସଂଗ୍ରହ କରିଥାନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରଶାସନ ଦୃଷ୍ଟି ଦେଉନଥିବା ପରିତାପର ବିଷୟ ବୋଲି ଗ୍ରାମବାସୀ କହିଛନ୍ତି।
ନଦୀ ଓ ପାହାଡ ଘେରାରେ ଥିବା ବୋରିଗୁମ୍ମା ଗ୍ରାମରେ ପ୍ରାୟ ୧୫୦ଟି ପରିବାରର ୪ଶହରୁ ଊର୍ଧ୍ୱ ଆଦିବାସୀ ଓ କନ୍ଧ ସଂପ୍ରଦାୟର ଲୋକେ ବସବାସ କରନ୍ତି। ଗ୍ରାମବାସୀ ମୁଖ୍ୟତଃ ଚାଷ ଉପରେ ନିର୍ଭର କରନ୍ତି। ଗାଁରେ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନଓ୍ଵାଡି କେନ୍ଦ୍ର ରହିଛି। ଗାଁକୁ ପକ୍କା ରାସ୍ତା ମଧ୍ୟ ନିର୍ମାଣ ହୋଇଛି। କିନ୍ତୁ ଦୀର୍ଘ ବର୍ଷ ହେଲା ଗ୍ରାମବାସୀ ସ୍ୱଚ୍ଛ ପାନୀୟ ଜଳ ପାଇବାରୁ ବଞ୍ଚିତ ରହିଛନ୍ତି। ଗାଁରେ ୨ଟି ନଳକୂପ ଖନନ ହୋଇଛି। କିନ୍ତୁ ଏଥିରୁ ବାହାରୁଥିବା ପାଣି ପାନୀୟ ଉପଯୋଗ ନୁହେଁ ଏବଂ ଯଥେଷ୍ଟ ପାଣି ବାହାରୁନଥିବା ଗ୍ରାମବାସୀ କହିଛନ୍ତି। ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ଗାଁ ନିକଟ ଦେଇ କୋରାପୁଟ ଜିଲ୍ଲାରୁ ପ୍ରବାହିତ ହେଉଥିବା କୁଟିଙ୍ଗଗୁଡା ନଦୀ ଉପରେ ନିର୍ଭର କରନ୍ତି। ନଦୀରେ ଚୁଆ ଖୋଳି ଲୋକେ ପାନୀୟ ଜଳ ସଂଗ୍ରହ କରନ୍ତି। କିନ୍ତୁ ବର୍ଷା ଦିନେ ନଦୀରେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ ଗ୍ରାମବାସୀ ପିଇବା ପାଣି ପାଇଁ ବହୁ ହଇରାଣ ହୋଇଥାନ୍ତି। ନଦୀର ପାଣି ପରିଷ୍କାର ରହୁଥିବା ସମୟରେ ଗ୍ରାମବାସୀ ଏକାଥରକେ ୪ରୁ ୫ଦିନ ପାଇଁ ପାଣି ସଂଗ୍ରହ କରି ଘରେ ମହଜୁଦ ରଖିଥାନ୍ତି। ଅନ୍ୟପଟେ ନିତ୍ୟକର୍ମ ପାଇଁ ନଦୀ ଉପରେ ନିର୍ଭର କରୁଥିବା ବୟସ୍କ ଲୋକେ ବର୍ଷା ଦିନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଗାଁ ଠାରୁ ୩ଶହ ମିଟର ଦୂରରେ ଥିବା ନଦୀକୁ ଯିବା ସମୟରେ ନଦୀର ପ୍ରଖର ଶ୍ରୋତରେ ଭାସିଯିବା ଭୟ ସର୍ବଦା ରହୁଥିବା ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ ଗାଁରେ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ବହୁବାର ପ୍ରଶାସନ ନିକଟରେ ଗୁହାରି କରିବା ପରେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ୱ ଦେଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏସଂପର୍କରେ ବିଡିଓ ବଳରାମ ପାତ୍ରଙ୍କୁ ପଚାରିବାରୁ ଗ୍ରାମର ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର