କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦର ମହକୁମାର ଡ୍ରେନ ଗୁଡିକ ଆବର୍ଜନାରେ ପୋତି ହୋଇଯାଇଥିବାରୁ ଅସରାଏ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି ଜମି କୁତ୍ରିମ ବନ୍ୟା ସୃଷ୍ଟି ହେବା ସହ ଘର ମାନଙ୍କରେ ପାଣି ପଶୁଥିବାରୁ ଲୋକେ ହନ୍ତସନ୍ତ ହେବାକୁ ପଡୁଛି। କଲ୍ୟାଣସିଂହପୁରରେ ଆଜି ସନ୍ଧ୍ୟାରେ ପ୍ରବଳ ପବନ ସାଙ୍ଗକୁ ଘଣ୍ଟାଏ ଧରି ବର୍ଷା ହେବାରୁ ମୁଖ୍ୟ ବଜାର ବେହାଲ ହୋଇପଡିଥିଲା। ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଡ୍ରେନ ଗୁଡିକ ଗତ ବନ୍ୟାରେ ପୋତି ହୋଇଯାଇଥିଲେବି ସଫା କରାଯାଇ ନଥିବାରୁ ଅଳ୍ପ ଟିକିଏ ବର୍ଷା ଆସିଲେ ଲୋକଙ୍କ ନିଦ ହଜିଯାଉଛି। ବାରମ୍ବାର ଲୋକଙ୍କ ଦାବି ସତ୍ୱେ ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧିମାନେ ନୀରବ ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏପରିକି ରାମନ୍ଦିର ନିକଟସ୍ଥ ରାସ୍ତାରେ ଘର, ହୋଟେଲ ଓ ସିଆରପିଏଫ କ୍ୟାମ୍ପରୁ ବାହାରୁଥିବା ପାଣି ଆସି ରାସ୍ତାରେ ଜମି ରହୁଥିବାରୁ ଲୋକେ ନିତିଦିନିଆ ସେହି ଆବର୍ଜନା ପାଣି ଚାଲୁଥିବା ଦେଖିବାକୁ ମିଳିଛି। ବର୍ଷା ପାଣି ଘରେ ପଶି ଜିନିଷପତ୍ର ସହ ଖାଦ୍ୟ ପେୟ ମଧ୍ୟ ନଷ୍ଠ ହୋଇଯାଇଛି। କେବଳ ଏହି ରାସ୍ତା ନୁହେଁ ବଡ ବ୍ରାହ୍ମଣସାହି, କାମ୍ପ ସାହି, ସାନ ବ୍ରାହ୍ମଣ ସାହି, ପାଇକ ସାହିର ଡ୍ରେନ ଗୁଡିକ ବନ୍ୟା ପାଣିରେ ପୋତି ହୋଇଯାଇଥିଲା। ସେହି ସମୟରେ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ କାଁ ଭାଁ ସଫା କରାଯାଇ ବ୍ଲିଚିଂ ପକାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଡ୍ରେନ ଗୁଡିକର ସଫା କରାଯାଇନଥିବାରୁ ପାଣି ନିର୍ଗତ ହୋଇ ପାରୁନାହିଁ। ପାଣି ଜମିରିହି ମଶାମାଛି ସହ ସଂକ୍ରାମକ ରୋଗ ମଧ୍ୟ ବ୍ୟାପିବା ଆଶଙ୍କା ରହିଛି। ଗତ ଦୁଇ ବର୍ଷ ଧରି ଡ୍ରେନ ଗୁଡିକର ସଫା ହୋଇନଥିବାରୁ ବହୁ ଲୋକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିଥିଲା। ତେଣୁ ବର୍ଷା ଆସିଲେ ଲୋକେ ବନ୍ୟା କିମ୍ବା ଡ୍ରେନ ପାଣି ଘରେ ପଶି ଯିବା ଆଶଙ୍କାରେ ରହୁଛନ୍ତି। ତେଣୁ ଜିଲ୍ଲା ପ୍ରସାଶନ ଏଥିପ୍ରତି ଦୃଷ୍ଟି ଦେଇ ଡ୍ରେନ ଗୁଡିକ ସଫା କରାଇବା ସହ ପ୍ରତି ଦିନ ବ୍ଲିଚିଂ ଓ ଫିନାଇଲ ସିଞ୍ଚନ କରିବାକୁ ନିର୍ଦେଶ ଦେବାକୁ ଦାବି ହୋଇଛି।