ଅଯୋଧ୍ୟା ଶୁଣାଣି ଶେଷ, ରାୟ ସଂରକ୍ଷିତ

ବିବାଦୀୟ ଜମି ଛାଡ଼ିବ ସୁନ୍ନି ୱକଫ୍ ବୋର୍ଡ!

ନୂଆଦିଲ୍ଲୀ : ସୁପ୍ରିମ କୋର୍ଟରେ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ମାମଲାର ଶୁଣାଣି ପ୍ରିକ୍ରିୟା ଆଜି ଶେଷ ହୋଇଛି। ମାମଲାର ରାୟ ନଭେମ୍ବର ମାସରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ନଭେମ୍ବର ୧୭ରେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗଇ ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ ଏହାପୂର୍ବରୁ ମାମଲାର ରାୟ ପ୍ରକାଶ ପାଇପାରେ ବୋଲି କୁହାଯାଉଛି। ପ୍ରଧାନ ବିଚାରପତି ଜଷ୍ଟିସ ଗୋଗଇଙ୍କ ଅଧ୍ୟକ୍ଷତାରେ ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ସମ୍ବିଧାନ ପୀଠ ଏହି ମାମଲାର ୪୦ ଦିନ ଧରି ଶୁଣାଣି କରିବା ପରେ ଆଜି ରାୟକୁ ସଂରକ୍ଷିତ ରଖିଛନ୍ତି।

ଶୁଣାଣି ପ୍ରକ୍ରିୟା ଅପରାହ୍ନ ୫ଟାରେ ଶେଷ ହେବାକୁ ଥିବା ବେଳେ ଏହା ୧ ଘଣ୍ଟା ପୂର୍ବରୁ ଅପରାହ୍ନ ୪ଟାରେ ଶେଷ ହୋଇଥିଲା। ଜମି ବିବାଦ ମାମଲାରେ ସଂପୃକ୍ତ ପକ୍ଷମାନେ ‘ମୋଲ୍‌ଡିଂ ଅଫ୍‌ ରିଲିଫ୍‌ (ସହାୟତା ମାମଲାରେ ପରିବର୍ତ୍ତନ) ପ୍ରସଙ୍ଗରେ ଲିଖିତ ଆବେଦନ କରିବା ପାଇଁ ୩ ଦିନ ସମୟ ଦିଆଯାଇଛି। ଅଯୋଧ୍ୟା ମାମଲା ଶୁଣାଣି ପାଇଁ ଗଠିତ ସମ୍ବିଧାନ ପୀଠରେ ପ୍ରଧାନ ବିଚାରପତିଙ୍କ ସହିତ ଜଷ୍ଟିସ୍‌ ଏସ୍‌. ଏ. ବୋବଡେ, ଜଷ୍ଟିସ୍‌ ଡି.ୱାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଅବ୍‌ଦୁଲ ନଜିର୍‌ ସାମିଲ ଅଛନ୍ତି। ଆଜି ଶୁଣାଣି ଆରମ୍ଭରେ ପ୍ରଧାନ ବିଚାରପତି ସ୍ପଷ୍ଟ କରିଦେଇଥିଲେ ଯେ ଶୁଣାଣି ପ୍ରକ୍ରିୟା ଆଜି ହିଁ ଶେଷ ହେବ ଏବଂ କୌଣସି ପକ୍ଷଙ୍କୁ ଏହାପରେ ଅଧିକ ସମୟ ମିଳିବ ନାହିଁ।

ଆଜି ଶୁଣାଣି ବେଳେ ହିନ୍ଦୁ ମହାସଭା ଓକିଲ ବିକାଶ ସିଂହ ଆଜି ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର୍‌ କୁନାଲ କିଶୋରଙ୍କ ପୁସ୍ତକ ‘ଅଯୋଧ୍ୟା ରିଭିଜିଟେଡ’କୁ କୋର୍ଟରେ ଉପସ୍ଥାପନ କରିଥିଲେ। ଏହି ପୁସ୍ତକରେ ରହିଥିବା ନକ୍‌ସାକୁ ମଧ୍ୟ ସୁପ୍ରିମ୍‌ କୋର୍ଟ ଏକ ବଳିଷ୍ଠ ପ୍ରମାଣ ଭାବେ ଗ୍ରହଣ କରିବା ଆବଶ୍ୟକ ବୋଲି ବିକାଶ ସିଂହ କହିଥିଲେ। ତେବେ ଏହାକୁ ମୁସ୍‌ଲିମ ପକ୍ଷ ଓକିଲ ରାଜୀବ ଧୱନ ଚିରି ଦେଇଥିଲେ। ଏହାକୁ ନେଇ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ସୂଚନାଯୋଗ୍ୟ ଯେ ଦୀର୍ଘ ବର୍ଷ ଧରି ଭାରତୀୟ ରାଜନୀତିକୁ ପ୍ରଭାବିତ କରି ରଖିଥିବା ଏହି ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିବା ଲାଗି ଆହ୍ଲାବାଦ ହାଇକୋର୍ଟ ୩୦ ନଭେମ୍ବର ୨୦୧୦ରେ ରାୟ ଶୁଣାଇଥିଲେ। ବିବାଦୀୟ ୨.୭୭ ଏକର ଜମିକୁ ସୁନ୍ନି ୱକଫ୍‌ ବୋର୍ଡ, ନିର୍ମୋହୀ ଆଖଡ଼ା ଏବଂ ରାମ ଲଲା ବିରାଜମାନ ମଧ୍ୟରେ ସମାନ ଭାଗରେ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ସୁପ୍ରିମ୍‌ କୋର୍ଟରେ ୧୪ଟି ମାମଲା ଦାଏର କରାଯାଥିଲା। ସୁପ୍ରିମ୍‌ କୋର୍ଟ ୨୦୧୧ରେ ହାଇକୋର୍ଟ ରାୟ ଉପରେ ରୋକ ଲଗାଇ ବିବାଦୀୟ ସ୍ଥଳରେ ଯଥାସ୍ଥିତି ବଜାୟ ରଖିବାକୁ ଆଦେଶ ଦେଇଥିଲେ। ଆଜି ସମସ୍ତ ୧୪ ଆବେଦନ ଉପରେ ଶୁଣାଣି ସଂପୂର୍ଣ୍ଣ ହୋଇଛି ଏବଂ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

୧୫୨୮ରେ ନିର୍ମିତ ଏହି ମସଜିଦକୁ ନେଇ ୧୮୫୩ରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ୧୯୫୦ରୁ ଏହି ମାମଲା କୋର୍ଟର ବିଚାରାଧୀନ ରହିଆସିଛି। ୧୯୯୨ରେ ଏହି ବିବାଦୀୟ ମସଜିଦକୁ କରସେବକମାନେ ଭାଙ୍ଗିଦେଇଥିଲେ।

କ’ଣ ଥିଲା ହିନ୍ଦୁ ଓ ମୁସ୍‌ଲିମ ପକ୍ଷର ଦଲିଲ

ଅଯୋଧ୍ୟା ଜମି ବିବାଦ ନେଇ ସୁପ୍ରିମ୍‌ କୋର୍ଟରେ ୪୦ ଦିନ ଧରି ଚାଲିଥିବା ଶୁଣାଣିରେ ଉଭୟ ହିନ୍ଦୁ ଏବଂ ମୁସ୍‌ଲିମ୍‌ ପକ୍ଷ ଦୃଢ଼ ଦଲିଲ୍‌ ଉପସ୍ଥାପନ କରିଛନ୍ତି। ହିନ୍ଦୁ ପକ୍ଷ ପୁରାଣଠାରୁ ଆରମ୍ଭ କରି ଏଏସ୍‌ଆଇ ପର୍ଯ୍ୟନ୍ତ ଯୁକ୍ତି ଉପସ୍ଥାପନ କରିଥିବା ବେଳେ ପ୍ରଭୁ ଶ୍ରୀରାମ ହିଁ ବିବାଦୀୟ ସ୍ଥଳର ମାଲିକ ବୋଲି କହିଛନ୍ତି। ରାମଲଲା ବିରାଜମାନର ଓକିଲ କହିଛନ୍ତି ଯେ ମସ୍‌ଜିଦ୍‌ ତଳେ ଯେଉଁ ଢାଞ୍ଚା ଥିଲା ତାହା ଏକ ମନ୍ଦିର ବୋଲି ସମସ୍ତ ପ୍ରମାଣ ମିଳିଛି। ଲୋକେ ଶହ ଶହ ବର୍ଷ ଧରି ସେଠାରେ ପୂଜା କରି ଆସୁଥିଲେ। ପ୍ରତ୍ନତତ୍ତ୍ବ ବିଭାଗର ଖନନରୁ ଏହା ପ୍ରମାଣିତ ହୋଇଛି। ରାମ ଜନ୍ମଭୂମି ହିନ୍ଦୁଙ୍କ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ଥିବାରୁ ଏଥିରୁ ସେମାନଙ୍କୁ ବଂଚିତ କରାଯାଇ ପାରିବ ନାହିଁ ବୋଲି ହିନ୍ଦୁ ପକ୍ଷର ଓକିଲ ଯୁକ୍ତି ଦର୍ଶାଇଥିଲେ।

ଅନ୍ୟପକ୍ଷରେ ମୁସ୍‌ଲିମ ପକ୍ଷର ଓକିଲ କହିଥିଲେ ଯେ ପ୍ରଭୁ ଶ୍ରୀରାମଙ୍କ ଏକ ମୂର୍ତ୍ତିକୁ ୧୯୪୯ରେ ବିବାଦୀୟ ସ୍ଥଳରେ ଆଣି ରଖି ଦିଆଯାଇଥିଲା। ଏହାକୁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ସେଠାରେ ରଖାଯାଇଥିଲା ଏବଂଏହା ପୂର୍ବରୁ ସେଠାରେ ମୂର୍ତ୍ତି ପୂଜା ହୋଇଥିବାର କୌଣସି ପ୍ରମାଣ ନାହିଁ। ସେହି ନିର୍ଦ୍ଦିଷ୍ଟ ସ୍ଥାନ ହିଁ ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ବୋଲି କୌଣସି ପ୍ରମାଣ ନାହିଁ। ମସ୍‌ଜିଦ୍‌ ନିର୍ମାଣ କରିବାକୁ ମନ୍ଦିର ଭଙ୍ଗା ଯାଇଥିବା ନେଇ କୌଣସି ବଳିଷ୍ଠ ପ୍ରମାଣ ନାହିଁ ବୋଲି ମୁସ୍‌ଲିମ୍‌ ପକ୍ଷ କହିଥିଲେ।

ବିବାଦୀୟ ଜମି ଛାଡ଼ିବ ସୁନ୍ନି ୱକଫ୍ ବୋର୍ଡ!

ନୂଆଦିଲ୍ଲୀ : ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମ୍‌ କୋର୍ଟରେ ଶୁଣାଣି ଶେଷ ହୋଇଥିବା ବେଳେ ମଧ୍ୟସ୍ଥତା ପ୍ୟାନେଲ ମଧ୍ୟ ତାଙ୍କର ରିପୋର୍ଟ ଦାଖଲ କରିଛନ୍ତି। ସୁନ୍ନି ୱକଫ ବୋର୍ଡ ସରକାରଙ୍କୁ ବିବାଦୀୟ ଜମି ଦେବା ପାଇଁ ପ୍ରସ୍ତୁତ ଅଛି ବୋଲି ଖବର ମିଳିଛି। ଏହା ବ୍ୟତୀତ ୱକଫ ବୋର୍ଡ ଅନ୍ୟତ୍ର ମସ୍‌ଜିଦ୍‌ ନିର୍ମାଣ ପାଇଁ ମଧ୍ୟ ରାଜି ହୋଇସାରିଛି ବୋଲି କୁହାଯାଇଛି। ସୁନ୍ନି ୱକଫ ବୋର୍ଡର ଏଭଳି ନିଷ୍ପତ୍ତିକୁ ହିନ୍ଦୁ ସଂଗଠନମାନେ ସ୍ବାଗତ କରିଥିବା ମଧ୍ୟ ମଧ୍ୟସ୍ଥତା ପ୍ୟାନେଲ ରିପୋର୍ଟରେ ଉଲ୍ଲେଖ ରହିଥିବା କେତେକ ସୂତ୍ରରୁ ଜଣାପଡ଼ିଛି। ଜମି ବିବାଦର ସମାଧାନ ପାଇଁ ସବୁ ପ୍ରତିବନ୍ଧକ ହଟାଇବାକୁ ୱକଫ ବୋର୍ଡ, ନିର୍ବାଣୀ ଆଖଡ଼ା, ନିର୍ମୋହୀ ଆଖଡ଼ା, ରାମ ଜନ୍ମଭୂମି ପୁନରୁଦ୍ଧାର ସମିତି ଏବଂ ଅନ୍ୟ କେତେକ ହିନ୍ଦୁ ସଂଗଠନ ରାଜି ହୋଇଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ଥିବା

କୁହାଯାଇଛି। ଅଯୋଧ୍ୟାର ଅନ୍ୟ ସ୍ଥାନରେ ମସଜିଦ ନିର୍ମାଣରେ ହିନ୍ଦୁ ସଂଗଠନ ସହାୟତା କରିବେ ବୋଲି ମଧ୍ୟ କହିଥିବା ଜଣାପଡ଼ିଛି।

ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରା ପୂର୍ବତନ ସୁପ୍ରିମ୍‌ କୋର୍ଟ ବିଚାରପତି ଏଫ୍‌ଏମ୍‌ କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଏବଂ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପଂଚୁ ସଦସ୍ୟ ଅଛନ୍ତି। ନଭେମ୍ବର ୪ରୁ ୧୭ ତାରିଖ ମଧ୍ୟରେ ଯେ କୌଣସି ଦିନ ସୁପ୍ରିମ୍‌ କୋର୍ଟ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ସମ୍ଭାବନା ରହିଛି। ଏହି କାରଣରୁ ପ୍ରଧାନ ବିଚାରପତି ତାଙ୍କର ପ୍ରସ୍ତାବିତ ବିଦେଶ ଗସ୍ତକୁ ବାତିଲ କରିଦେଇଛନ୍ତି।

ସମ୍ବନ୍ଧିତ ଖବର