ସଂଶୋଧିତ ମୋଟରଯାନ ଆଇନ : ରାଜ୍ୟମାନେ ମନଇଚ୍ଛା ଜରିମାନା ରାଶି କମାଇପାରିବେ ନାହିଁ
ନୂଆଦିଲ୍ଲୀ : ସଂଶୋଧିତ ମୋଟରଯାନ ଆଇନରେ ବିଭିନ୍ନ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପାଇଁ ଧାର୍ଯ୍ୟ କରାଯାଇଥିବା ଜରିମାନା ରାଶିକୁ ରାଜ୍ୟ ସରକାରମାନେ ମନଇଚ୍ଛା କମାଇପାରିବେ ନାହିଁ । ଏପରି ମତ ଦେଇଛନ୍ତି ଆଟର୍ଣ୍ଣି ଜେନେରାଲ କେ.କେ. ଭେନୁଗୋପାଳ । ସେ କହିଛନ୍ତି ଯେ ସଂଶୋଧିତ ମୋଟରଯାନ ଆଇନ ସଂସଦରେ ଗୃହୀତ ହୋଇଛି । ଏହା ଏକ କେନ୍ଦ୍ରୀୟ ଆଇନ ହୋଇଥିବାରୁ ରାଜ୍ୟ ସରକାରମାନେ ବିନା ରାଷ୍ଟ୍ରପତିଙ୍କ ମଂଜୁରୀରେ ନିଜସ୍ୱ ଆଇନ ଆଣି କିମ୍ବା ସରକାରୀ ନିର୍ଦ୍ଦେଶ ଜାରି କରି ଧାର୍ଯ୍ୟ ଜରିମାନା ରାଶିକୁ କମାଇପାରିବେ ନାହିଁ ।
Sambad is now on WhatsApp
Join and get latest news updates delivered to you via WhatsApp
ଦେଶରେ ଗତ ସେପ୍ଟେମ୍ବର ୧ରୁ ସଂଶୋଧିତ ମୋଟରଯାନ ଆଇନ ଲାଗୁହେବା ପରେ ତାହାକୁ ନେଇ ସବୁଆଡେ ଚର୍ଚ୍ଚା ଜାରି ରହିଛି । କେତେକ ରାଜ୍ୟ ଏହି ନୂଆ ଆଇନକୁ ଲାଗୁ କରିଥିବାବେଳେ ଆଉ କେତେକ ତାହାକୁ ଆଂଶିକଭାବେ ଲାଗୁ କରିଛନ୍ତି । ଗୁଜୁରାଟ ପ୍ରଭୃତି କେତେକ ରାଜ୍ୟ ଏହି ଆଇନରେ ବିଭିନ୍ନ ନିୟମ ଉଲ୍ଲଙ୍ଘନ ପାଇଁ ଧାର୍ଯ୍ୟ ଜରିମାନା ପରିମାଣକୁ କମାଇଦେଇଛନ୍ତି । ଏସବୁ ନିଷ୍ପତ୍ତିର ଆଇନଗତ ବୈଧତା ସଂପର୍କରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ର ଆଇନ ମନ୍ତ୍ରାଳୟର ମତାମତ ମଗାଯାଇଥିଲା । ଏହାର ଜବାବରେ ଆଟର୍ଣ୍ଣି ଜେନେରାଲ ଏହି ମତ ଦେଇଛନ୍ତି ।